ବେକରେ ରଶି ବାନ୍ଧି ଶ୍ରମିକଙ୍କ ଆତ୍ମହତ୍ୟା

ଖଣ୍ଡଗିରି : ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଭରତପୁର ତାରିଣୀବସ୍ତିରେ ଜଣେ ଶ୍ରମିକ ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ନୂଆଗଡ଼ିଆ ସାହିର ମହେନ୍ଦ୍ର ଗୁରୁଙ୍କ ପୁଅ ଦୀପକ ଗୁରୁ (୩୧)। ଗୁରୁବାର ସକାଳୁ ଖଣ୍ଡଗିରି ଥାନା ପୁଲିସ ଦୀପକଙ୍କ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପାରିବାରିକ କଳହରୁ ସେ ଏଭଳି କାଣ୍ଡ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସୂଚନାନୁସାରେ, ଗତକାଲି ରାତିରେ ଦୀପକ ପୁଅ ପାଇଁ ଫାଷ୍ଟଫୁଡ୍‌ ଆଣିଥିଲେ। ନିଜ ପାଇଁ ଛତୁ ଆଣିଥିଲେ ଓ ସ୍ୱାମୀ-ସ୍ତ୍ରୀ ଭଲରେ ଖିଆପିଆ କରିଥିଲେ। ଗରମ ହେଉଥିବା କାରଣରୁ ସେ ଏକୁଟିଆ ଦାଣ୍ଡ ବାରଣ୍ଡାରେ ଶୋଇଥିଲେ ଓ ସ୍ତ୍ରୀ ପୁଅ ଘର ଭିତରେ ଶୋଇଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଅନ୍ୟ ଏକ ଘରର ଆଜ୍‌ବେଷ୍ଟସ୍‌ କଡ଼ିରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କୌଣସି କଳହ ନଥିବାରୁ ଦୀପକଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଥିବା ପଡ଼ୋଶୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର