କଟକଣାକୁ ଖାତିର ନାହିଁ : ପ୍ରଚଣ୍ଡ ଖରାରେ କାମ କରୁଛନ୍ତି ଶ୍ରମିକମାନେ

ଭୁବନେଶ୍ବର : ଜଳୁଛି ଭୁବନେଶ୍ବର। ତିନିଦିନ ହେଲା ଏଠାରେ ତାପମାତ୍ରା ୩୯ ଡିଗ୍ରି ଉପରେ। ସୂର୍ଯ୍ୟଙ୍କ ପ୍ରକୋପ ଏମିତି ହେଉଛି ଯେ ଖରାରେ କାମ କରିବା ତ ଦୂରର କଥା ଘରୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କିଲ୍‌ ହୋଇପଡ଼ୁଛି। ମାତ୍ର ଏପରି ପ୍ରଚଣ୍ଡ ଖରାରେ ଶ୍ରମିକମାନେ କାମ କରୁଛନ୍ତି।

ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଏପ୍ରିଲ ୧ରୁ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ୩୦ ପର୍ଯ୍ୟନ୍ତ ‌ଶ୍ରମିକମାନେ ଯେମିତି କାମ ନ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ରାଜସ୍ବ କିମସନର, ଜିଲ୍ଲାପାଳ, ଶ୍ରମ କମିସନରଙ୍କୁ ନିର୍ଦେଶ ଦିଆଯାଇଥିଲା। ଏଥିସହ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ମାଲିକ ଓ ଠିକାଦାରଙ୍କୁ କୁହାଯାଇଥିଲା ଯେ, ଉପରୋକ୍ତ ସମୟରେ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇବେ ନାହିଁ। ଆବଶ୍ୟକସ୍ଥାଳେ କାର୍ଯ୍ୟ ନିର୍ଘଣ୍ଟ ସମୟ ପରିବର୍ତନ କରିବେ। ‌ତେବେ ଏହି ନିୟମକୁ କେହି ମାନୁନାହାନ୍ତି। ରାଜଧାନୀରେ ନିୟମର ଉଲ୍ଲଂଘନ ହେଉଛି। ଠିକାଦାର ଶ୍ରମିକଙ୍କୁ କାମରେ ଲଗାଇ ଦେଇ ଛୁ। ଶ୍ରମ ବିଭାଗ ଅଧିକାରୀମାନେ ବି ଚଢ଼ଉ କରୁନାହାନ୍ତି। ଯେଉଁଥିପାଇଁ ଶ୍ରମିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଅଂଶୁଘାତ ଆଶଙ୍କା ବି ବଢ଼ିଛି।

ସମ୍ବନ୍ଧିତ ଖବର