ଭୁବନେଶ୍ବର/ଧଉଳି : ଧଉଳି ଥାନା ଅଧୀନ ଇନ୍ଦିରା କଲୋନିର ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ଘଟଣାକୁ ଏହା ମଧ୍ୟରେ ୨୦ ଦିନ ବିତିଲାଣି। କିନ୍ତୁ ପୁଲିସ ଏଯାଏ ସନ୍ଦିଗ୍ଧ ପୁରୁଷ ବନ୍ଧୁ ବିକ୍ରମ କେଶରୀ ମିଶ୍ରଙ୍କୁ ଗିରଫ କରିପାରିଲା ନାହିଁ। ପୁଲିସର ସବୁପ୍ରକାର ଚେଷ୍ଟା ଫେଲ ମାରିଛି। ଶେଷରେ ପୁଲିସ ଏବେ ବିକ୍ରମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛି। ବିକ୍ରମକୁ ପୁଲିସ ପଳାତକ ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି।

Advertisment

ଜଣେ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ବିକ୍ରମକୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। କିନ୍ତୁ ରାଜ୍ୟ ବାହାରକୁ ଏକାଧିକ ଟମ୍ ଯାଇ ଖାଲି ହାତରେ ଫେରି ଆସିଛନ୍ତି। ବିକ୍ରମଙ୍କ ପରିବାରଲୋକ, ସାଙ୍ଗ ସାଥୀମାନଙ୍କୁ ମଧ୍ୟ ତାଙ୍କ ସମ୍ପର୍କରେ ପଚରାଉଚରା କରାଯାଇଛି। ରାଜ୍ୟ ବାହା‌ରେ ଥିବା ତାଙ୍କ ବ୍ୟାବସାୟିକ ବନ୍ଧୁମାନଙ୍କୁ ମଧ୍ୟ ଜେରା କରାଯାଇଛି। କିନ୍ତୁ କେଉଁଠି ବି ତାଙ୍କ ପତ୍ତା ମିଳୁନାହିଁ। ପୁଲିସ ବାଲେଶ୍ବର ଜିଲ୍ଲା ବାଲିଖଣ୍ଡରେ ଥିବା ବିକ୍ରମଙ୍କ ଘର ଯାଇ ଏକ ନୋଟିସ୍‌ ମଧ୍ୟ ଦେଇଥିଲା। ନୋଟିସ୍‌ରେ ଉଲ୍ଲେଖ ଥିଲା, ଦୁଇ ସପ୍ତାହ ମଧ୍ୟରେ ଥାନାରେ ହାଜର ହେବାକୁ। ତଥାପି ସେ ହାଜର ହୋ‌ଇ ନ ଥିଲା। ଘଟଣା ପରଠାରୁ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ରହିଛି। ଦୀପାଳିଙ୍କ ମୃତ୍ୟୁ ରହସ୍ୟ କେବଳ ବିକ୍ରମ ହିଁ କହି ପାରିବେ। ବିକ୍ରମ ଧରା ପଡ଼ୁନଥିବାରୁ ପୁଲିସ ତଦନ୍ତ ମଧ୍ୟ ଆଗେଇ ପାରୁନାହିଁ। ତେଣୁ ବିକ୍ରମ ବିରୋଧରେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛି। ବିକ୍ରମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ାଯିବ। ମାସକ ମଧ୍ୟରେ କୋର୍ଟରେ ଆତ୍ମସମର୍ପଣ ନକଲେ ବିକ୍ରମ ନାମରେ ୱାରେଣ୍ଟ ଜାରି ହେବ। ଯଦି ସେ ସେ କୋର୍ଟ ନିର୍ଦ୍ଦେଶକୁ ଅବମାନନା କରେ ପରବର୍ତୀ ସମୟରେ ତାକୁ ପଳାତକ ଘୋଷଣା କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

publive-image

ଥରେ ବିକ୍ରମ ପଳାତକ ଘୋ‌ଷଣା ହେଲେ ତାଙ୍କ ନାଁରେ ଥିବା ଜମି, ବ୍ୟାଙ୍କ ବାଲାନ୍ସ ଓ ସୁନାଗହଣା ଆଦି ପୁଲିସ ଜବତ କରି ନିଲାମ କରି ଦେଇପାରିବ। ଏହା ଛଡ଼ା ସେ ବ୍ୟବହାର କରୁଥିବା ପରିଚୟପତ୍ର, ପାସ୍‌ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଆଦି ରଦ୍ଦ କରି ହେବ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି। ବିକ୍ରମ ବିରୋଧରେ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ସେ ପୁଲିସ କିମ୍ବା କୋର୍ଟରେ ଆତ୍ମସମର୍ପଣ କରିବାର ସମ୍ଭାବନା ଅଧିକ ରହିଛି ବୋ‌ଲି ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।