ପୁସ୍ତକ ‘ଲାଲ୍‌ଗଡ଼ର ଶାନ୍ତିକନ୍ୟା’ ଲୋକାର୍ପିତ

ଭୁବନେଶ୍ବର: ନବରଙ୍ଗପୁର ମା’ ଘର ଶାଖାର ସଭାପତି କାଦମ୍ବିନୀ ତ୍ରିପାଠୀଙ୍କ କାର୍ଯ୍ୟର ସଫଳ କାହାଣୀକୁ ନେଇ ମନୋଜ ତ୍ରିପାଠୀଙ୍କ ରଚିତ ପୁସ୍ତକ ‘ଲାଲ୍‌ଗଡ଼ର ଶାନ୍ତିକନ୍ୟା’ ଆଜି ସମ୍ବାଦ ଭବନଠାରେ ଉନ୍ମୋଚିତ ହୋଇଯାଇଛି। ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ନକ୍ସଲଗଡ଼ ଭାବେ କୁଖ୍ୟାତି ଅର୍ଜନ କରିଥିବା‌ ଏହି ଅଞ୍ଚଳରେ ନିର୍ଯାତିତ ମହିଳାଙ୍କୁ ସୁରକ୍ଷା ଓ ନାବାଳିକାଙ୍କ ସହ ହେଉଥିବା ଦୁଷ୍କର୍ମ ତଥା ବହୁ ଘରୋଇ ହିଂସା ବିରୋଧରେ କ‌ାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ମା’ଘର ଶାଖା ଜରିଆରେ ସମାଧାନ ହୋଇ ପାରିଥିବା ୨୦ଟି ସଫଳ କାହାଣୀକୁ ନେଇ ଏହି ପୁସ୍ତକ ରଚିତ। ଏଭଳି ପୁସ୍ତକ ମହିଳାମାନଙ୍କୁ ସମାଜରେ ଘଟୁଥିବା ବିଭିନ୍ନ ଅପରାଧ ଓ ହିଂସା ବିରୋଧରେ ଲଢ଼ିବାକୁ ସକାରାତ୍ମକ ଭାବେ ପ୍ରେରଣା ଦେବ ବୋଲି ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ।

ଏହି ଲୋକାର୍ପଣ ଉତ୍ସବରେ ମା’ ଘରର ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବୀ ଋତୁପର୍ଣ୍ଣା ମହାନ୍ତିଙ୍କ ସମେତ କାଦମ୍ବିନୀ ତ୍ରିପାଠୀ, ମନୀଷା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ୨୦୧୧ ମସିହାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରଠାରେ ମା’ ଘର ଫାଉଣ୍ଡେସନର ଆଉ ଏକ ଶାଖା ପ୍ରତିଷ୍ଠା ହୋଇଥିଲା। ଏଥିରେ ସଭାନେତ୍ରୀ ଭାବେ ଶ୍ରୀମତୀ ତ୍ରିପାଠୀ ଯୋଗ ଦେବା ପରେ ଅନେକ ଅସହାୟ ଶିଶୁ ଓ ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରି ସମାଜସେବା ପ୍ରତି ତାଙ୍କର ଥିବା‌ ନିଷ୍ଠାକୁ ପ୍ରତିପାଦିତ କରିଛନ୍ତି।

ସମ୍ବନ୍ଧିତ ଖବର