ତାରକା ହୋଟେଲ ପାଇଁ ଜମି ନିଲାମି: ତିନି ବର୍ଷରେ ହେବ ୧୦ଟି ହୋଟେଲ

୭୦୦ରୁ ଅଧିକ ରୁମ୍‌ ରହିବ, ସାଧାରଣ ପ୍ରଶାସନ ଓ ଇଡକୋ ଦେବେ ଜମି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ହେବ ତାରକା ହୋଟେଲର ହବ୍‌। ଦେଶ ଏବଂ ଦେଶ ବାହାରର ବହୁ ଅନ୍ତର୍ଜାତୀୟ ସ୍ତରର ହୋଟେଲର ଶାଖା ଏଠାରେ ଖୋଲିବ। ଏଥିପାଇଁ ବିଡିଏ ପକ୍ଷରୁ ଜମିର ଇ-ନିଲାମି ଡକାଯିବ। ରାଜଧାନୀର ପ୍ରମୁଖ ସ୍ଥାନରେ ବିଡିଏ ପକ୍ଷରୁ ୧୦ଟି ଜାଗା ଚିହ୍ନଟ ହୋଇଥିବାବେଳେ ଏଠାରେ ୬ଟି ତାରକା ହୋଟେଲ ଏବଂ ୪ଟି ବଜେଟ୍‌ ହୋଟେଲ ନିର୍ମାଣ ହେବ। ଏଥିପାଇଁ ବିଡିଏ ଆରଏଫ୍‌ପି ଆହ୍ଵାନ କରିଛି। ବିଡିଏ ପକ୍ଷରୁ କୁହାଯାଇଛି ରାଜଧାନୀରେ କୌଣସି ପ୍ରକାରର ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା, ସମ୍ମିଳନୀ ହେଲେ ଆବଶ୍ୟକୀୟ ହୋଟେଲ୍‌ ମିଳୁନି। ଏପରିକି ଯେତିକି ତାରକା ହୋଟେଲ ଅଛି ସେଠାରେ ସର୍ବାଧିକ ୭୦୦ରୁ ୮୦୦ ଲୋକ ରହିବାର ବ୍ୟବସ୍ଥା ଅଛି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ହେଲେ ଖେଳାଳିମାନଙ୍କୁ ଆବଶ୍ୟକୀୟ ପ୍ରୋଫାଇଲ୍‌ର ହୋଟେଲ ଯୋଗାଇ ଦିଆଯାଇପାରୁନି। ଏପରିକି ଅନ୍ତର୍ଜାତୀୟସ୍ତରର ସମ୍ମିଳନୀ ହେଲେ କଟକ ଓ ପୁରୀରେ ବିଭିନ୍ନ ହୋଟେଲରେ ଅତିଥିଙ୍କୁ ରଖିବାକୁ ପଡ଼ୁଛି। ତେଣୁ ଭୁବନେଶ୍ୱରରେ ୧୦ରୁ ଅଧିକ ତାରକା ହୋଟେଲ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଇ-ନିଲାମି ମାଧ୍ୟମରେ ଜମି ଯୋଗାଯିବ। ଯେଉଁ ସଂସ୍ଥା ଅଧିକ ଦାମ୍‌ ଦେବ ସେ ଜମି ପାଇବ। ସାଧାରଣ ପ୍ରଶାସନ ବିଭାଗ ଓ ଇଡକୋ ଜମିକୁ ଯେଉଁଠି ବିଡିଏ ଜବରଦଖଲମୁକ୍ତ କରିଛି ସେଠାରେ ହୋଟେଲ ପ୍ରକଳ୍ପ କରିବାକୁ ଯୋଜନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ତାରକା ହୋଟେଲ୍‌ ନିର୍ମାଣ ହେବ। ଏହି ପ୍ରକଳ୍ପର ଫାଇଦା ଦେଖି ଦ୍ୱିତୀୟ ପର୍ଯ୍ୟାୟରେ ଜବରଦଖଲମୁକ୍ତ ଜମିରେ କେଉଁ ପ୍ରକଳ୍ପ ହୋଇପାରିବ ତାହା ସରକାର ସ୍ଥିର କରିବେ। ଏହି ଇ-ନିଲାମିରେ ଯେପରି ଅନ୍ତର୍ଜାତୀୟ ସ୍ତରର ଉଦ୍ୟୋଗୀମାନେ ଭାଗ ନେବେ ସେଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଜ୍ଞାପନ ଦିଆଯିବା ସହ ବିଭିନ୍ନ ଉଦ୍ୟୋଗୀଙ୍କୁ ଡାକି ଆଲୋଚନା କରାଯିବ। ମେକ୍‌ ଇନ୍‌ ଓଡ଼ିଶା ଯୋଜନାରେ ଏହି ସମସ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବ। ଏହି ଯୋଜନା ପାଇଁ ଏସ୍‌ପିଭି ଗଠନ କରାଯିବ। ଯାହା ଏହି ପ୍ରକଳ୍ପକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ଯୋଜନା ପ୍ରସ୍ତୁତ କରିବେ। ଏହି ପ୍ରକଳ୍ପ ୩ବର୍ଷ ମଧ୍ୟରେ ଶେଷ ହେବ। ୧୦ଟି ସ୍ଥାନରେ ହୋଟେଲ ନିର୍ମାଣ ପାଇଁ ସାଧାରଣ ପ୍ରଶାସନ ବିଭାଗ ବମିଖାଲ, ଭୀମପୁର, ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ଗୋପବନ୍ଧୁ ନଗର, ଭରତପୁର ଓ ଘାଟିକିଆରେ ଜମି ଯୋଗାଇବ। ସେହିପରି ଇଡ୍‌କୋ ଚନ୍ଦକା ଶିଳ୍ପାଞ୍ଚଳ, ଇନଫୋଭ୍ୟାଲି -୧ ଓ ଇନଫୋଭ୍ୟାଲି-୨ରେ ଜମି ଯୋଗାଇବ।

କେଉଁଠି କେତେ ଜମି ଜବରଦଖଲ ମୁକ୍ତ ହୋଇଛି

ବିିଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ପ୍ରାୟ ୧୬୭ଏକର ଜମି ଜବରଦଖଲ ମୁକ୍ତ ହୋଇଥିବାବେଳେ ଏଥିରୁ ୧୩୩.୭୮୫ଏକର ଜମିରେ ପାଚେରି ବୁଲାଯାଇଛି। ଏଥିରେ ବିଜେବି ନଗରରେ ୩.୫୪୩ଏକର, ଚନ୍ଦ୍ରଶେଖରପୁରରେ ୩୮.୩୮୬ଏକର, ଜାଗମରାରେ ୩.୭୫୦, ପାଣ୍ଡରାରେ ୫ଏକର, ଲକ୍ଷ୍ମୀସାଗରରେ ୩.୩୧୦ଏକର , ଭଗବାନପୁରରେ ୫ଏକର, ମଧୁସୂଦନନଗରରେ ୩ଏକର, ପୋଖରୀପୁଟରେ ୬.୨୦୦ଏକର , ଗାଡ଼କଣରେ ୧୦ଏକର, ସିଜୁଆ (ଏମ୍‌ସ) ନକିଟରେ ୨ଏକର, ସହିଦନଗରରେ ୧ଏକର, ଖାରବେଳନଗରରେ ୨.୫ଏକର, ମଞ୍ଚେଶ୍ୱରରେ ୦.୯୨୦ଏକର, କପିଳପ୍ରସାଦରେ ୨.୫୨୦ଏକର, ବରମୁଣ୍ଡାରେ ୧.୧୦୦ଏକର, ଜୟଦେବବିହାରରେ ୩.୪୨୮ଏକର, ଘାଟିକିଆରେ ୧.୫୦୦ଏକର, ଗୌତମ ନଗରରେ ୦.୩୫୩ଏକର, କେଶରୀ ନଗରରେ ୫ଏକର, କଳାରାହାଙ୍ଗରେ ୧.୫୦୦ଏକର, ପଟିଆରେ ୧ଏକର, ରଘୁନାଥପୁରରେ ୧.୬୦୦ଏକର, ନୂଆପଲ୍ଲୀରେ ୩.୧୭୭ଏକର, ଖଣ୍ଡଗିରିରେ ୨.୧୨୦ଏକର, ଗଙ୍ଗନଗରରେ ୧.୧୪୨ଏକର, ଜୋହଳରେ ୦.୫୨୪ଏକର, ଭୀମପୁରରେ ୦.୬୩୧ ଏକର, ଶ୍ୟାମପୁରରେ ୪ଏକର, ଆଇଗିଣିଆରେ ୨.୩୭୬ଏକର, କଳିଙ୍ଗ ନଗରରେ ୧୨.୧୮୧ଏକର, ବମିଖାଲରେ ୦.୦୪୫ଏକର, ଯଦୁପୁରରେ ୩.୦୬୭ଏକର, ଝାରପଡ଼ାରେ ୦.୩୯୩ଏକର, ଗଣ୍ଡମୁଣ୍ଡାରେ ୦.୧୮୯ଏକର, ସୁନ୍ଦରପଦାରେ ୧.୩୩୦ଏକର ଜମି ଏବେ ଜବରଦଖଲ ମୁକ୍ତ ହୋଇ ପାଚେରି ବୁଲାଯାଇଛି।

ସମ୍ବନ୍ଧିତ ଖବର