ତିନି ଦିନ କହିଥିଲେ : ତିନି ସପ୍ତାହରେ ବି ପଟ୍ଟା ମିଳୁନି

ସରକାରୀ ନିର୍ଦ୍ଦେଶନାମା ରାଜଧାନୀରେ ଫୁ’, ବହୁ ହିତାଧିକାରୀ ନିକଟରେ ବି ଉପକୃତ ହେବେନି

ଭୁବନେଶ୍ବର : ଜମି କିଣିଲେ ପଟ୍ଟା ପାଇବା ପାଇଁ ତହସିଲ୍ ଅଫିସ କି ଆର୍‌ଆଇ ଅଫିସକୁ ଦଉଡ଼ିବାକୁ ପଡ଼ିବନି। କେବଳ ସେଲ୍‌ ଡିଡ୍‌ ନୁହେଁ ଗିଫ୍ଟ ଡିଡ୍‌, ଏକ୍ସଚେଞ୍ଜ୍‌ ଡିଡ୍, ପାର୍ଟିସନ୍‌ ଡିଡ୍‌ ସମୟରେ ବି ସତ୍ତ୍ବାଧିକାର ପରିବର୍ତ୍ତନ ତଥା ନୂଆ ପଟ୍ଟା ପାଇବା ସହଜ ହେବ। ସବ୍‌ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରି କରିବା ପରେ ପଟ୍ଟା ପାଇଁ ଜମି କ୍ରେତା ଆବେଦନ କରିବେ। ଗୋଟିଏ ଖାତାରେ ଜମି କିଣିଥିଲେ ଏବଂ ବିବାଦଶୂନ୍ୟ ହୋଇଥିଲେ ମାତ୍ର ୧୦୦ଟଙ୍କା ଜମା କଲେ ଘରେ ପଟ୍ଟା ପହଞ୍ଚିଯିବ। ଏଥିରୁ ୫୦ଟଙ୍କା ବର୍ତ୍ତମାନର ନିୟମାବଳୀ ଅନୁଯାୟୀ ତହସିଲଦାର୍‌ ଏହାକୁ ଖର୍ଚ୍ଚ କରିବେ। ୩୦ଟଙ୍କା ୟୁଜର୍ସ ଫି’/ ଆବେଦନପତ୍ର ବାବଦକୁ ଯିବ। ଜମି ଚିହ୍ନଟ ପାଇଁ ୨୦ଟଙ୍କା ଜମା କରିବାକୁ ପଡ଼ିବ। ଯଦି ଏକାଧିକ ଖାତା‌େର ଜମି କିଣୁଥିବେ ତେବେ କ୍ରେତାଙ୍କୁ ଖାତା ପିଛା ସେତିକି ୧୦୦ ଟଙ୍କା ଦେବାକୁ ପଡ଼ିବ। ତିନି ଦିନ ମଧ୍ୟରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ।

ଏହିଭଳି ବିଜ୍ଞପ୍ତି ରାଜସ୍ବ ବିଭାଗ ପକ୍ଷରୁ ନଭେମ୍ବର ମାସରେ ପ୍ରକାଶ ପାଇଥିଲା। ନୂଆବର୍ଷରୁ ଏହି ନିୟମ ଲାଗୁ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ତିନି ଦିନ କ’ଣ ତିନି ସପ୍ତାହ ମଧ୍ୟରେ ବି ପଟ୍ଟା ମିଳୁନି। ଖୋଦ୍‌ ଭୁବନେଶ୍ବର ତହସିଲ୍‌ରେ ରାଜସ୍ବ ବିଭାଗ ନିୟମକୁ ପାଳନ କରାଯାଇପାରୁନି। ବରଂ ଭୁବନେଶ୍ବର ତହସିଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ସିନା ନୂଆ ନିୟମ କରିଦେଲେ ହେଲେ ଆମ ବ୍ୟବସ୍ଥା ସେହିପରି ହେଉନି। ତେଣୁ ଆମେ ତିନି ଦିନରେ ପଟ୍ଟା ଦେଇପାରୁନୁ। ଯଥାସମ୍ଭବ ଶୀଘ୍ର ଲୋକଙ୍କୁ ପଟ୍ଟା ଦେବାକୁ ଆମେ ଚେଷ୍ଟା କରୁଛୁ। ବର୍ତ୍ତମାନର ବ୍ୟବସ୍ଥା ଅଛି ସେଥିରେ ସୁଧାର ଆଣିବା ପରେ ହିଁ କ୍ରେତାଙ୍କୁ ତିନି ଦିନରେ ପଟ୍ଟା ଯୋଗାଇ ହେବ। ଏଥିପାଇଁ ଆହୁରି ବର୍ଷେରୁ ଦୁଇ ବର୍ଷ ସମୟ ଲାଗିଯିବ। ରାଜ୍ୟ ସରକାର ବି ଏହାର ସମାଧାନ କରିବାକୁ ଯୋଜନା କରୁଛନ୍ତି। ନୂଆ ନିୟମ ଅନୁଯାୟୀ, ସବ୍‌ରେଜିଷ୍ଟର ଜମି ରେଜିଷ୍ଟ୍ରି କରିବା ପୂର୍ବରୁ ଜମିର ରେକର୍ଡ ଯାଞ୍ଚ କରିବେ। ସମସ୍ତ ତଥ୍ୟ ଠିକ୍‌ ଥିବା ସବ୍‌ରେଜିଷ୍ଟର ହୃଦ୍‌ବୋଧ କଲେ ଜମି ରେଜିଷ୍ଟ୍ରି କରିବେ। ଏହାପରେ ଜମି କ୍ରେତାଙ୍କଠାରୁ ଆବଶ୍ୟକୀୟ ଫି’ ସଂଗ୍ରହ କରି ତିନି ଦିନ ମଧ୍ୟରେ ପଟ୍ଟା ଦିଆଯିବ। କିନ୍ତୁ ଏହାକୁ ବି ଅଧିକାଂଶ ସ୍ଥାନରେ ଠିକ୍‌ ଭାବେ ଲାଗୁ କରାଯାଇପାରୁନି। ଏବେ ରାଜସ୍ବ ପର୍ଷଦ ଅଧୀନରେ ଭୁବନେଶ୍ବର ତହସିଲ୍‌ର ପ୍ରାୟ ୪୫ହଜାରରୁ ଅଧିକ ମାମଲା ଥିବାରୁ ଜମି ମାଲିକାନା ବଦଳି ପାରୁନି। ଫଳରେ ଜମି ବିକିବା ବେଳେ ଯେତିକି ସମସ୍ୟା ହେଉଛି ତାହାଠାରୁ ଅଧିକ ସମସ୍ୟା ପଟ୍ଟା ପ୍ରସ୍ତୁତ କରିବା ସମୟରେ ହେଉଛି। ଜମି କିଣାବିକାରେ ଯେପରି ସମସ୍ୟା ନଉପୁଜିବ ସେଥିପା‌ଇଁ ଜମି ରେଜିଷ୍ଟ୍ରି ସମୟରେ ଏହାକୁ ଗୁରୁତ୍ବ ଦିଆଯାଉନି।

ଅପରପକ୍ଷେ ଜମି ରେଜିଷ୍ଟ୍ରି ପରେ ପଟ୍ଟା ପାଇଁ ହେଉଥିବା କେସ୍‌ଗୁଡ଼ିକର ଆର୍‌ଆଇମାନେ ତୁରନ୍ତ ରିପୋର୍ଟ ପ୍ରଦାନ କରୁ ନଥିବାବେଳେ ଅଧିକାଂଶ ସ୍ଥାନରେ ଅଧପନ୍ତରିଆ ରିପୋର୍ଟ ପ୍ରଦାନ କରୁଛନ୍ତି। ଏପରିକି ଅନଲାଇନ୍‌ରେ ଜମି ରେକର୍ଡ ଠିକ୍‌ ଅଛି ବୋଲି ପଠାଉଥିଲେ ହେଁ ଅଫଲାଇନ୍‌ରେ ଡକୁମେଣ୍ଟ ଜମା କରିବାରେ ବିଳମ୍ବ କରୁଛନ୍ତି। ଏହାକୁ ଯାଞ୍ଚ କରି ପଟ୍ଟା ପ୍ରସ୍ତୁତ କରିବାକୁ ମାସାଧିକ ସମୟ ଲାଗୁଥିବାରୁ କ୍ରମିକ ନମ୍ବର ଗଡ଼ି ଗଡ଼ି ଯାଉଛି। କ୍ରମିକ ନମ୍ବର ଅନୁଯାୟୀ ପଟ୍ଟା ପ୍ରସ୍ତୁତ ହେଉଥିବାରୁ ୨୦୧୭ ଓ ୨୦୧୮ବର୍ଷରେ ବି ଅଧିକାଂଶ ଜମି କ୍ରେତା ଏପର୍ଯ୍ୟନ୍ତ ପଟ୍ଟା ପାଇ ନାହାନ୍ତି। ପୂର୍ବ ବର୍ଷରୁ ଆବେଦନ କରିଥିବା ଲୋକଙ୍କୁ ପଟ୍ଟା ଆଗ ଦେବାବେଳକୁ ବର୍ତ୍ତମାନ ଜମି କିଣୁଥିବା ଲୋକ ପଟ୍ଟା ପାଉନାହାନ୍ତି।

ଭୁବନେଶ୍ବର ତହସିଲ୍‌ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ତିନି ଦିନରେ ପଟ୍ଟା ହୋଇ ନପାରିବାର ପ୍ରମୁଖ କାରଣ ହେଲା ଏବେ ବହୁ ସବ୍‌ ପ୍ଲଟର ମ୍ୟାପ୍ ରାଜସ୍ବ ବିଭାଗ ପାଖରେ ନାହିଁ। ଯାହାକୁ ଦେଖି ସବ୍‌ରେଜିଷ୍ଟର ତୁରନ୍ତ ନିଷ୍ପତ୍ତି ନେଇପାରି‌େବ। ଜମି ବିକ୍ରି ହେବା ପରେ ଏହାକୁ ସବ୍‌ପ୍ଲଟ୍‌ରେ ମ୍ୟାପିଂ କରି ରେକର୍ଡ କରାଯାଇ ନଥିବାରୁ ଏହାକୁ ବିକିବାବେଳେ ସମସ୍ୟା ଉପୁଜୁଛି। ପୂର୍ବରୁ ଲୋକମାନେ ଜମିକୁ ବିନା ମ୍ୟାପ୍‌ ବା ହାତରେ ମ୍ୟାପ୍‌ କରି ଜମି ରେଜିଷ୍ଟ୍ରି କରିଦେଉଥିଲେ। ଏହାଦ୍ବାରା ଜମିକୁ ଠିକ୍ ଭାବେ ମ୍ୟାପିଂ କରାଯାଇପାରୁ ନଥିଲା। କେବଳ ଏତିକି ନୁହେଁ ଜମି ‌କିଣିବା ପରେ କ୍ରେତା ସଙ୍ଗେ ସଙ୍ଗେ ପଟ୍ଟା ପାଉ ନଥିବାରୁ ବିକ୍ରେତା ଏହାକୁ ପୁଣି ବିକ୍ରି କରିଦେଉଥିଲେ। ଫଳରେ ଏକାଧିକଥର ଗୋଟିଏ ଜମିକୁ ବିକ୍ରି କରାଯାଉଥିଲା। ତେଣୁ ସବ୍‌ ପ୍ଲଟ୍‌ଗୁଡ଼ିକର ରେକର୍ଡ ନେଇ ବହୁ ସମସ୍ୟା ରହିଛି।

ସବ୍‌ ପ୍ଲଟ୍‌ଗୁଡ଼ିକର ରେକର୍ଡ ତୁରନ୍ତ ଉପଲବ୍ଧ ହେଉ ନଥିବାରୁ ସବ୍‌ରେଜିଷ୍ଟର ଏହାକୁ ଦେଖି ଜମି ରେଜିଷ୍ଟ୍ରି କରିବା ସମ୍ଭବ ହେଉନି। ତେଣୁ ଯେଉଁ ଜମିର ଆର୍‌ଆଇ ରିପୋର୍ଟ ତୁରନ୍ତ ମିଳୁଛି ତାହାକୁ ପଞ୍ଜୀକରଣ କରିବାରେ କିଛି ଅସୁବିଧା ହେଉନି। ହେଲେ ବିନା ଆର୍‌ଆଇ ରିପୋର୍ଟରେ ବି ବହୁ ଜମି ରେଜିଷ୍ଟ୍ରି ହେଉଥିବାରୁ ପଟ୍ଟା ପ୍ରସ୍ତୁତିରେ ସମସ୍ୟା ଉପୁଜୁଛି। ଜମି କ୍ରେତା ଆର୍‌ଆଇଙ୍କୁ ଦେଖା ନକଲେ କେସ୍‌ ରିପୋର୍ଟ ଅଧାପନ୍ତରା ହୋଇ ଆସୁଥିବାରୁ ପଟ୍ଟା ପ୍ରସ୍ତୁତିରେ ବି ବିଳମ୍ବ ହେଉଛି ବୋଲି କୁହାଯାଉଛି।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ସବ୍‌ରେଜିଷ୍ଟ୍ରି ଅଫିସ୍‌ ସେଲ୍‌ଡିଡ୍‌ ତୁରନ୍ତ ଦେବା ବଦଳରେ ଦୁଇରୁ ତିନି ଦିନ ପରେ ଦେଉଛନ୍ତି। ଯେଉଁଠି ସେଲ୍‌ଡିଡ୍‌ ତିନି ଦିନରେ ମିଳୁଛି ସେଠାରେ ପଟ୍ଟ‌ା କେମିତି ତିନି ଦିନରେ ମିଳିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର