ଓଡ଼ିଆ ଭାଷା ପ୍ରତିଷ୍ଠାନର ‘ଭାଷା ଦିବସ’: ଓଡ଼ିଶାର ଦେଢ଼ କୋଟି ଲୋକ ମାନକ ଓଡ଼ିଆ ଭାଷା କହନ୍ତି ନାହିଁ

ଭୁବନେଶ୍ବର: ମୋଗଲ ସମ୍ରାଟ ଆକବର ଜୀବନ କାଳ ମଧ୍ୟରେ ପାଠ ପଢ଼ିବାକୁ ଯାଇନଥିଲେ। ମାତ୍ର ତାଙ୍କ ସମୟକୁ ମୋଗଲ ଶାସନର ସୁବର୍ଣ୍ଣ ଯୁଗ କୁହାଗଲା। ଆବ୍ରାହମ ଲିଙ୍କନ ମାତ୍ର ୧୮ମାସ ପାଠ ପଢ଼ିଥିଲେ, କିନ୍ତୁ ସେ ଆମେରିକାର ଶ୍ରେଷ୍ଠ ରାଜନୀତିଜ୍ଞ ଓ ଅର୍ଥନୀତିଜ୍ଞ ହେଲେ। ଥୋମାସ ଏଡିସନ ମାତ୍ର ୩ ମାସ ସ୍କୁଲ୍‌ ମାଟି ମାଡ଼ିଥିଲେ, କିନ୍ତୁ ସେ ବିଦ୍ୟୁତ ବଲ୍‌ବର ସୃଷ୍ଟିକର୍ତ୍ତା ଥିଲେ। ଗଙ୍ଗାଧର ମେହେର ୫ମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ, ମାତ୍ର ତାଙ୍କ ରଚିତ କାବ୍ୟ ଏମ୍‌ଏରେ ପଢ଼ାଯାଉଛି। ଏସବୁ କେବଳ ମାତୃଭାଷା ପାଇଁ ସମ୍ଭବ ହୋଇପାରିଥିଲା। କାରଣ ମାତୃଭାଷା, ମା’ ଭଳି ସହନଶୀଳ ଓ ଆକାଶ ଭଳି ବ୍ୟାପକ। ଏହା କହିଛନ୍ତି ପ୍ରଫେସର ବାଉରୀବନ୍ଧୁ ସାହୁ। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ବିଶ୍ବ ମାତୃଭାଷା ଦିବସରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ଅନ୍ୟତମ ବକ୍ତା ଭାବେ ପ୍ରଫେସର ରାଜକିଶୋର ମିଶ୍ର କହିଲେ, ଏବେ ବି ଓଡ଼ିଶାର ଦେଢ଼ କୋଟି ଲୋକ ମାନକ ଓଡ଼ିଆ ଭାଷା କହନ୍ତି ନାହିଁ। ଗୋପୀନାଥ ମହାନ୍ତି ନିଜ ଉପନ୍ୟାସରେ ଲେଖିଥିବା ସହସ୍ରାଧିକ ଗାଁ ଗହଳିର ଭାଷା ବିଲୁପ୍ତପ୍ରାୟ। ମାତ୍ର ଆମେ ଜାଣି ରଖିବା ଉଚିତ ଯେ ଆମ ଓଡ଼ିଆ ଭାଷା ପ୍ରାଗ୍‌ ବୈଦିକ ଭାଷା। ଅର୍ଥାତ ଏହା ବେଦ ପୂର୍ବରୁ ସୃଷ୍ଟି। ତେଣୁ ଓଡ଼ିଶାରେ ଯେତେ ଆଞ୍ଚଳିକ ଭାଷା ଅଛି ଯଦି ସେ ସବୁକୁ ମିଶାଇ ଏକ ଅଭିଧାନ କରାଯିବ ତାହା ବିଶ୍ବର ସବୁଠୁ ବୃହତ୍‌ ଅଭିଧାନ ପାଲଟିବ। ଏହି ଅବସରରେ ସେ ସବୁ ସ୍କୁଲ୍‌ରେ ଭାଷା ଶିକ୍ଷକ ନିଯୁକ୍ତି ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହି‌ଲେ, ଭାଷାରୁ ଜାତୀୟତାବାଦର ସୃଷ୍ଟି। ତେଣୁ ମା’ଟିଏ ତା’ ସନ୍ତାନକୁ ଭଲ ପାଇବା ଭଳି ଜଣେ ବ୍ୟକ୍ତି ନିଜ ମାତୃଭାଷାକୁ ସେହିପରି ଭଲ ପାଇବାର ଆବଶ୍ୟକତା ରହିଛି। ସଂସ୍କୃତି ବିଭାଗରେ ୯୦ ପ୍ରତିଶତ ନଥିପତ୍ର କାମ ଓଡ଼ିଆରେ ହେଉଥିବା ବେଳେ ଅନ୍ୟ ସରକାରୀ ବିଭାଗ ମଧ୍ୟ ନଥିପତ୍ର ଓଡ଼ିଆରେ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଓଡ଼ିଆ ଭ‌ାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ସମସ୍ତ ବ୍ୟକ୍ତି ନିଜ ଘରର ଫଳକ, ବ୍ୟକ୍ତିଗତ ପରିଚୟପତ୍ର, ବାହାଘର, ବ୍ରତଘର ଓ ଅନ୍ୟ ନିମନ୍ତ୍ରଣ ପତ୍ରକୁ ଓଡ଼ିଆରେ ଲେଖିବା ପାଇଁ ନିବେଦନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ଭାଷା ଚିନ୍ତା ଓ ଚେତନାର ବାହକ। ମାତ୍ର ଭାଷାଭିତ୍ତିକ ରାଜ୍ୟ ହେବା ପରଠୁ ଆମ ଭାଷା ପାଇଁ ଯାହା କରାଯିବା କଥା ତାହା ଏ ପର୍ଯ୍ୟନ୍ତ କରାଯାଇପାରିନାହିଁ।

ଏହି ଅବସରରେ ‘ଯୋଗାଯୋଗର ଭାଷା ଓଡ଼ିଆ’ ଏବଂ ‘ଓଡ଼ିଶାର ଜନଜାତି: ଏକ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ଡ. ତମସାରାଣୀ ଦାସମହାପାତ୍ର ପ୍ରାରମ୍ଭିକ ଅଭିଭାଷଣ ଦେଇଥିବା ବେଳେ ପ୍ରତିଷ୍ଠାନର କାର୍ଯ୍ୟାଳୟ ତତ୍ତ୍ବାବଧାରକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଭାଷାବିତ୍‌ ଡ. ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର