ଦୀର୍ଘ ୧୬ ଦିନ ଧରି ଦୁଲୁକୁଥିବା ପ୍ରଦର୍ଶନୀ ପଡ଼ିଆ ଶାନ୍ତ ପଡ଼ିଛି। ଉଦ୍ଯାପିତ ହୋଇଛି ଡଟ୍ ଫେଷ୍ଟ। ଫୁଡ୍ ଫେଷ୍ଟରେ ମଧ୍ୟ ଯବନିକା ପଡ଼ିଛି। ଉଦ୍ଯାପନୀ ଉତ୍ସବରେ ଧୁମ୍ ମଚାଇଛନ୍ତି ଶଙ୍କର ମହାଦେବନ୍, ଏହସାନ୍ ଓ ଲଏ। ଶ୍ରୀଗଣେଶ ବନ୍ଦନା ‘ଏକ ଦନ୍ତାୟ ବକ୍ର ତୁଣ୍ଡାୟ…’ରୁ ଆରମ୍ଭ ହୋଇଥିବା ସଂଗୀତର ଯାତ୍ରା। ଦିଲ୍ ଚାହାତା ହୈ ଫିଲ୍ମର ଟାଇଟଲ ଓ କୋଇ କହେ କେହେତା ରହେ…, ମୈନେ ଜିସେ ଅଭି ଅଭି ଦେଖା ହୈ…, ସଜଦା ତେରା ସଜଦା…, ଇଟ୍ସ ଟାଇମ୍ ଟୁ ଡିସ୍କୋ…, ଲୋଚା-ଏ-ଉଲ୍ଫତ ହୋଗୟା…, ଯୋଗୀ ନଚଲେ ଭଳି ଡ୍ୟାନ୍ସ ବିଟ୍ର ଲୋକପ୍ରିୟ ଗୀତ ଦର୍ଶକଙ୍କୁ ଝୁମାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ଶୁଣିଲେନି
ଶେଷ ଦିନରେ ଦର୍ଶକ ବେଶ୍ ମସ୍ତି କରିଛନ୍ତି। ଦୀର୍ଘ ୧୬ ଦିନ ଧରି କଟକଣା ଭିତରେ ରହିଥିବା ଦର୍ଶକ ଆଜି କିଛି ଶୁଣି ନାହାନ୍ତି। ଷ୍ଟେଜ୍ ସାମ୍ନାରେ ନାଚିବା ପାଇଁ ବାରଣ ଥିବା ବେଳେ ଶଙ୍କର ‘ପ୍ରେଟି ଓମେନ୍…’ ଗୀତରେ ସମସ୍ତ ମହିଳାଙ୍କୁ ନାଚିବା ପାଇଁ ଡାକିବାରୁ ସେମାନଙ୍କର ମଧ୍ୟରେ ପ୍ରତିଯୋଗିତା ହୋଇ ଯାଇଥିଲା। ଶହେରୁ ଊର୍ଦ୍ଧ୍ବ ମହିଳାଙ୍କ ସହ ଯୁବତୀ ନାଚ ଆରମ୍ଭ କରି ଦେଇଥିଲେ। ଫଳରେ ସୁରକ୍ଷା କର୍ମୀ ଓ ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇଥିଲେ।
ନେତାଙ୍କୁ ଚେୟାର ନାହିଁ
ଶଙ୍କର ସୋ’ରେ ପ୍ରବଳ ଭିଡ଼ ହୋଇଥିଲା। ସବୁ ଚେୟାର୍ ଫୁଲ ଥିବା ବେଳେ କେତେକ ଛିଡ଼ା ହୋଇ ମଜା ନେଉଥିଲେ। ରାତି ପ୍ରାୟ ୯ଟା ବେଳେ ବିଜେଡିର ଜଣେ ନେତା ୪ ନମ୍ବର ଗେଟ୍ରେ ପ୍ରବେଶ କରିଥିଲେ। ସିଧା ପ୍ରିମିୟମ୍ ଟିକେଟ୍ ପାଇଁ ସଂରକ୍ଷିତ ଜାଗାକୁ ଯାଇଥଇଲେ। ହେଲେ ସେଠାରେ ଚଉକି ନଥିଲା କିମ୍ବା ତାଙ୍କୁ କେହି ବସିବା ପାଇଁ କହି ନଥିଲେ। ଶେଷରେ ନେତାଙ୍କୁ ସମ୍ପୃକ୍ତ ସ୍ଥାନ ଛାଡ଼ି ଚାଲି ଯିବାକୁ ପଡ଼ିଥିଲା।
ଭୁବନେଶ୍ବର ବ୍ୟାଣ୍ଡ ଉଇଥ୍ କମ୍ପିଟିସନ୍
ଶଙ୍କରଙ୍କ ସୋ’ରେ ଅନ୍ୟତମ ଆକର୍ଷଣ ଥିଲା ଭୁବନେଶ୍ବର ବ୍ୟାଣ୍ଡ ଉଇଥ୍ କମ୍ପିଟିସନ। ବିଡିଏ ପକ୍ଷରୁ ହୋଇଥିବା ଏହି ବ୍ୟାଣ୍ଡ ପ୍ରତିଯୋଗିତାରେ ଗ୍ରୁପ୍ ଏରୁ ଡିପିଏସ୍ କଳିଙ୍ଗ ସ୍କୁଲକୁ ୧ ଲକ୍ଷ ଟଙ୍କା ସହ ଟ୍ରଫି ଓ ଗ୍ରୁପ୍ ବିକୁ ଦେଢ଼ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି। ପ୍ରଥମ ରନର୍ସ ଅପ୍ ‘ଗ୍ରୁପ୍ ଏ’ରେ ସାଇ ଇଣ୍ଟରନ୍ୟାସନାଲ, ‘ଗ୍ରୁପ୍ ବି’ରେ ଚିମେରା ବ୍ୟାଣ୍ଡ ପୁରସ୍କୃତ ହୋଇଥିଲା। ସେହିଭଳି ଦ୍ବିତୀୟ ରନର୍ସ ଅପ୍ ଡିଏଭି ପୋଖରୀପୁଟ୍ ଓ ଆଉଟଡୋର ବ୍ୟାଣ୍ଡ ପୁରସ୍କୃତ ହୋଇଛନ୍ତି।