ଶେଷ ସଂଧ୍ୟାରେ ପରିବେଷିତ ହେଲା ହିନ୍ଦୀ ନାଟକ ‘ସର୍ଜନା’

ଭୁବନେଶ୍ୱର: ‘ବିଦ୍ୟାକନକ’ ସୃଜନାନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ନାଟ୍ୟ ମହୋତ୍ସବ -୨୦୧୮ ଉଦ୍‌ଯାପିତ ହୋଇଯାଇଛି। ଆଜି ଶେଷ ସନ୍ଧ୍ୟାରେ ପୁରୀର ନାଟ୍ୟ ଅନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ପରିବେଷିତ ହୋଇଥିଲା ହିନ୍ଦୀ ନାଟକ ‘ସର୍ଜନା’। ବିଶ୍ୱର ସୃଷ୍ଟି ଏକ ପ୍ରହେଳିକା। ଆଜି ପର୍ଯ୍ୟନ୍ତ ଏହି ସୃଷ୍ଟିକୁ କେହି ବୁଝି ପାରିନାହାନ୍ତି। ସୃଷ୍ଟି ଓ ସ୍ରଷ୍ଟା କାହାକୁ କହନ୍ତି? ଏଥିରେ ରହିଛି ଅନେକ ପୌରାଣିକ କଥା ଓ ବୈଜ୍ଞାନିକ ରହସ୍ୟ। ଏମିତି ଏକ ରହସ୍ୟପୂର୍ଣ୍ଣ ବିଷୟବସ୍ତୁକୁ ନେଇ ନାଟକଟି ପ୍ରସ୍ତୁତ ହୋଇଥିଲା। ଭଗବାନ ବିଷ୍ଣୁ ସୃଷ୍ଟିର ରଚନା କରିବା ସମୟରେ ବ୍ରହ୍ମା ଓ ମହେଶ୍ୱରଙ୍କୁ ଏହି ମହାନ୍‌ କାର୍ଯ୍ୟରେ ଭାଗୀଦାରି କରାଇଥିଲେ। ପ୍ରଥମରୁ ଜଳ, ସ୍ଥଳ, ଆକାଶ, ଅଗ୍ନି ଓ ପବନର ସୃଷ୍ଟି କରାଯାଇଥିବା ବେଳେ ପରେ ଜୀବଜନ୍ତୁ, ଉଦ୍ଭିଦ ଓ ମାନବ ସଭ୍ୟତାର ସୃଷ୍ଟି ହେଲା। ଏହା ଥିଲା ଚମତ୍କାରିତା, କିନ୍ତୁ ସୃଷ୍ଟି ସଂରଚନାକୁ ନେଇ ବିଜ୍ଞାନ କିଛି ଅଲଗା କଥା କହେ । ବିଜ୍ଞାନ ଅନୁସାରେ ଯୁଗ, ଯୁଗାନ୍ତର ବିବର୍ତ୍ତନ ଧାରାକୁ ନେଇ ସୃଷ୍ଟି ହୋଇଛି ଏଇ ପୃଥିବୀ, ଜୀବଜନ୍ତୁ ଓ ଉଦ୍ଭିଦ। ବିଜ୍ଞାନ ଓ ଭଗବାନଙ୍କ ପ୍ରତି ମଣିଷର ଥିବା ବିଚାରଧାରାକୁ ନେଇ ଲୋକଙ୍କ ନିକଟରେ ଆଦୃତ ହୋଇଥିଲା ନାଟକ ‘ସର୍ଜନା’। ଗଣେଶ୍ୱର ମହାପାତ୍ରଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ବିକ୍ରମ କୁମାର ସାହୁ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିନୟ ଦାସ। ମହେନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ଦାଶ, ରମେଶ ଚନ୍ଦ୍ର ଦାସ ଓ କୃଷ୍ଣପ୍ରସାଦ ମିଶ୍ର ପ୍ରମୁଖ କଳାକାର ନାଟକରେ ଅଭିନୟ କରିଥିଲେ। କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଏସ.କେ ଟାମେଟିଆ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି କମଳାକାନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ସୁଧାକର ପତ୍ରି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶୁଭକାନ୍ତ ପାଢୀ।

ସମ୍ବନ୍ଧିତ ଖବର