୮ମାସ ଶିଶୁକନ୍ୟାର ଶ୍ବାସ ନଳୀରୁ ବାହାରିଲା ଏଲ୍‌ଇଡି ବଲ୍‌ବ

ଆପୋଲୋ ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବ: ୮ମାସର ଏକ ଶିଶୁକନ୍ୟାର ଶ୍ବାସନଳୀରୁ ଏଲ୍‌ଇଡି ବଲ୍‌ବ ବାହାର କରିବାରେ ସକ୍ଷମ ହୋଇଛନ୍ତି ଆପୋଲୋ ହସ୍ପିଟାଲର ଡାକ୍ତର। ଏହା ଏକ ଜଟିଳ ଅସ୍ତ୍ରୋପଚାର ହୋଇଥିଲେ ହେଁ ଶିଶୁକନ୍ୟା ଦେହରୁ ଏହାକୁ ସଫଳ ଭାବେ ବାହାର କରାଯାଇଛି। ଶିଶୁକନ୍ୟାଟି ଏବେ ସୁସ୍ଥ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବ୍ରଜରାଜନଗରର ୮ମାସ ଏହି ଶିଶୁ କନ୍ୟାର କାଶ ହେବା ସହିତ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହୋଇଥିଲା। ପିତାମାତା ତାକୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଏକ୍ସ-ରେ ଶିଶୁକନ୍ୟାର ଶ୍ବାସନଳୀରେ କିଛି ଅଟକି ରହିଥିବା ଜଣାପଡ଼ିଥିଲା। ତେବେ ସେଠାରେ ଅସ୍ତ୍ରୋପଚାର ସମ୍ଭବ ନ ଥିବାରୁ ଶିଶୁକନ୍ୟାକୁ ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ବହୁ ପରୀକ୍ଷା ପରେ ଏଲ୍ଇଡି ବଲ୍‌ବ ଶ୍ବାସନଳୀ ଅଟକି ରହିଥିବା ଜଣପାଡ଼ିଥିଲା। ସଙ୍ଗେ ସଙ୍ଗେ ତାକୁ ଶିଶୁ ୱାର୍ଡର ଆଇସିୟୁରେ ଭର୍ତି କରାଯାଇଥିଲା। ଡା. ଏସ୍.ଗୁପ୍ତା, ଡା. ଏସ୍.କେ ପ୍ରଧାନ ଓ ଡା. କେ.କେ ଜେନା ଓ ନିଶ୍ଚେତକ ବିଶେଷଜ୍ଞ ଡା. ଜିତନ୍ଦେୁ ମହାନ୍ତିଙ୍କୁ ଗଠିତ ଡାକ୍ତରୀଦଳ ଏଲ୍‌ଇଡି ବଲ୍‌ବ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଶିଶୁକନ୍ୟାର ଶ୍ବାସନଳୀ ବହୁତ ଛୋଟ ହୋଇଥିବାରୁ ତହିଁରୁ ବାହ୍ୟ ଜିନିଷ ବାହାର କରିବାରେ ସମସ୍ୟା ଉପୁଜିଥିଲା। ତେବେ ଅପଟିକାଲ ଫୋରସେପ୍ ବ୍ୟବହାର କରି ଏଲ୍‌ଇଡି ବଲ୍‌ବକୁ ବାହାର କରାଯାଇଥିଲା। ପରେ ଶିଶୁକନ୍ୟାକୁ ‘ପିକୁ’କୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁକନ୍ୟାର ଅବସ୍ଥା ସ୍ଥିର ଥିବା ବେଳେ ଏବେ ଡିସଚାର୍ଜ କରି ଦିଆଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର