୨୦ରେ ବିଧାନସଭା ଘେରିବେ କୁଷ୍ଠ ରୋଗୀ

ଭୁବନେଶ୍ୱର : ରାଜ୍ୟରେ ଥିବା କୁଷ୍ଠ ରୋଗୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରା ନ ଗଲେ ଆସନ୍ତା ୨୦ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବାକୁ ଚେତାବନୀ ଦେଇଛି କୁଷ୍ଠରୋଗୀ ସଂଗଠନ ସମୂହ ମିଳିତ କ୍ରିୟାନୁଷ୍ଠାନ କମିଟି।

କମିଟି କହିଛି ଯେ, କୁଷ୍ଠ ବିଭାଗରେ ଦାୟିତ୍ୱରେ ଥିବା ଅଧିକାରୀମାନେ ମିଥ୍ୟା ବିବରଣୀ ଓ ନିଷ୍ପତ୍ତି ନେବା ଯୋଗୁଁ କୁଷ୍ଠରୋଗୀମାନେ ରାଜ୍ୟରେ ଅବହେଳିତ ହୋଇ ପଡ଼ିଛନ୍ତି। ୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବିଭିନ୍ନ କୁଷ୍ଠ ରୋଗୀ ସଂଗଠନ ଲିଖିତ ଭାବେ ସମସ୍ୟା ସଂପର୍କରେ ଜଣାଇଥିଲେ ହେଁ କୌଣସି ସମାଧାନ କରାଯାଇ ନାହିଁ। କୁଷ୍ଠ ରୋଗୀଙ୍କୁ ମାସିକ ୧ହଜାର ଟଙ୍କା ଭତ୍ତା, କୁଷ୍ଠ କଲୋନିବାସୀଙ୍କୁ ମାଗଣା ଘରବାରୀ ପଟ୍ଟା, ବିଜୁ ପକ୍କାଘର, ପିଲାଙ୍କୁ ମାଗଣା ପାଠପଢ଼ା ଓ ନିଯୁକ୍ତି, ୧୪ଟି କୁଷ୍ଠ ଚିକିତ୍ସାଳୟ ଓ ୩ଟି କୁଷ୍ଠାଶ୍ରମର ଡାକ୍ତର, ଷ୍ଟାଫନର୍ସ, ଡ୍ରେସର, ଆଟେଣ୍ଡାଣ୍ଟଙ୍କ ପଦବି ପୂରଣ କରାଯାଉ। ଆସନ୍ତା ୧୦ଦିନ ମଧ୍ୟରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କଲେ ଶହ ଶହ କୁଷ୍ଠରୋଗୀ ବିଧାନସଭା ଘେରାଉ କରିବେ ବୋଲି କମିଟି ଚେତାବନୀ ଦେଇଛି। ଏପରିକି ଆବଶ୍ୟକ ପଡ଼ିଲେ ଆସନ୍ତା ସାଧାରଣ ନିର୍ବାଚନରେ ୧୦ଲକ୍ଷ କୁଷ୍ଠ ପରିବାର ଭୋଟ ବର୍ଜନ କରିବାକୁ ପଛାଇବେ ନାହିଁ ବୋଲି କମିଟି ସୂଚନା ଦେଇଛି।

ସମ୍ବନ୍ଧିତ ଖବର