ଶୋଭାଯାତ୍ରା ପାଇଁ ଲାଇସେନ୍ସ ବାଧ୍ୟତାମୂଳକ

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଶେଷ କରିବା ପାଇଁ ଆଜି ବିଭିନ୍ନ ରାଜେନୈତିକ ଦଳ ସହ କମିସନରେଟ୍‌ ପୁଲିସର ଆଲୋଚନା ହୋଇଛି। ଡିସିପି ଅନୁପ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେକୌଣସି ରାଜନୈତିକ ଶୋଭାଯାତ୍ରାରେ ଲାଇସେନ୍ସ ସଂଗ୍ରହ କରିବା ବାଧ୍ୟତାମୂଳକ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଡିଆଇବିରୁ ଏହି ଲାଇସେନ୍ସ ମିଳୁଥିବା ବେଳେ ଏବେ ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ଥିବା ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଆବେଦନ କରିବାକୁ ପଡ଼ିବ ବୋଲି ଡିସିପି କହିଛନ୍ତି।

ଶୋଭାଯାତ୍ରା, ସଭା ଓ ପଥପ୍ରାନ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ହୋଇଛି। ଘରୋଇ ଜାଗାରେ ହେଲେ ସମ୍ପୃକ୍ତ ମାଲିକଙ୍କଠାରୁ ସ୍ବୀକୃତି ନେବାକୁ ହେବ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଧିକ ସଭା ପାଇଁ ଆବେଦନ ହେଲେ ପ୍ରଥମେ ଆସିଥିବା ଆବେଦନକୁ ପ୍ରାଥମିକତା ଦିଆଯିବ। ଶୋଭାଯାତ୍ରା ସମୟରେ ଯେଭଳି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ନ ହେବ, ସେଥିପାଇଁ ଯତ୍ନବାନ ହେବେ। କୌଣସି ଲୋକଙ୍କ ଘର ସାମ୍ନାରେ ପ୍ରତିବାଦ କରାଯାଇପାରିବ ନାହିଁ। ଅନ୍ୟ ଦଳର ସଭାରେ ବ୍ୟାଘାତ ସୃଷ୍ଟି କରିବା ଓ ସେହି ଜାଗାରେ ଶୋଭାଯାତ୍ରା କରିବା ଅପରାଧ ବୋଲି ଧରାଯିବ। ଅସ୍ତ୍ର ଧରି ଶୋଭାଯାତ୍ରା କରାଯାଇ ପାରିବ ନାହିଁ କିମ୍ବା ବାଣ ବ୍ୟବହାର ହେବ ନାହିଁ। ବଜାର, ହସ୍‌ପିଟାଲ, ଟ୍ରମାକେୟାର ପ୍ରଭୃତି ଅଞ୍ଚଳରେ ଶୋଭାଯାତ୍ରା ହେବ ନାହିଁ। ଶୋଭାଯାତ୍ରା ଓ ସଭାରେ କେତେଜଣ ଲୋକ, କେତେ ଗାଡ଼ି ବ୍ୟବହାର ହେବ ସେ ନେଇ ଦଳ ବା ସଂଗଠନ ଆଗୁଆ ସୂଚନା ଦେବେ। ଶିଶୁ ଓ ପ୍ରାଣୀଧନ କିମ୍ବା ବନ୍ୟପ୍ରାଣୀ ଶୋଭାଯାତ୍ରାରେ ବ୍ୟବହାର ହୋଇ ପାରିବେ ନାହିଁ। ୬ ଫୁଟ ଲମ୍ବା ୪ ଫୁଟ ଓସାରର ବ୍ୟାନର୍‌ଠାରୁ ଅଧିକ ଲମ୍ବାର ବ୍ୟାନର୍‌ ବ୍ୟବହାର ହୋଇ ପାରିବ ନାହିଁ। ରୋଡ୍‌ ସୋ’ରେ ଗୋଟିଏ ଫୁଟ୍‌ ଲମ୍ବାର ପତାକା ରିଟର୍ଣ୍ଣିଂ ଅଫିସର୍‌ଙ୍କ ସ୍ବୀକୃତିରେ ବ୍ୟବହାର କରାଯିବ। ପ୍ରଚାର ଗାଡ଼ିରେ ସ୍ପଟ୍‌ ଲାଇଟ୍‌ ସର୍ଚ୍ଚ ଲାଇଟ୍‌, ଫ୍ଲାସ ଲାଇଟ୍‌ ପ୍ରଭୃତି ବ୍ୟବହାର କରାଯାଇ ପାରିବ ନାହିଁ। ଏଭଳି ବ୍ୟବହାର ହେଲେ ଏହାକୁ ଅପରାଧ ମଣି କମିସନରେଟ୍‌ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର