ସ୍ୱଚ୍ଛତାର ସାଥୀ ଗୋପୀନାଥ

ସ୍ୱଚ୍ଛ ଓ ସୁନ୍ଦର ପରିବେଶ ସୁସ୍ଥ ଜୀବନର କାରକ। ଏଥିପାଇଁ ତ’ ଏବେ ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଜୋର୍‌ସୋର୍‌ରେ ଚାଲିଛି। ସ୍ୱଚ୍ଛତା ନେଇ ଜନସାଧାରଣଙ୍କ ସଚେତନ କରିବା ପାଇଁ ବିଭିନ୍ନ ବିଜ୍ଞାପନ ଓ ସ୍ଳୋଗାନ ଘନଘନ ପ୍ରଚାର ହେଉଛି। କିନ୍ତୁ କୌଣସି ସ୍ଳୋଗାନ୍‌ କିମ୍ବା ଲୋକ ଦେଖାଣିଆ ୨ ଘଣ୍ଟିଆ ସଫେଇ କରି ନୁହେଁ ନିଜ ଦେଶକୁ ନିଜ ଘର ଭାବି ନିଇତି ରାତିରେ ନିଜ ଅଞ୍ଚଳ ତଥା ପାଖାପାଖି ଅଞ୍ଚଳକୁ ସଫା କରିବାରେ ଲାଗିଛନ୍ତି ୬୫ ବର୍ଷୀୟ ଗୋପୀନାଥ ରାଉତ। ପରିବେଶକୁ ସଫାସୁତୁରା ରଖିବା ତାଙ୍କ ନିଶା ହୋଇଥିବା ବେଳେ ସ୍ୱଚ୍ଛତା ତାଙ୍କ ପରିଚୟ ପାଲଟିଛି। ଇଚ୍ଛା ଆଗରେ ବୟସ ବି ହାର୍‌ ମାନିଛି। ସ୍ୱଚ୍ଛ ଭାରତ ଅଭିଯାନରେ ଅନୁପ୍ରାଣିତ ହୋଇ ପରିବେଶକୁ ସଫାସୁତରା କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ସେ। ଏଥିପାଇଁ ଦିନରାତିକୁ ଏକ କରି ଦେଇଛନ୍ତି। ତାଙ୍କର ପେସା ହେଉଛି ପରିବେଶକୁ ସଫା କରିବା। ପ୍ରତିଦିନ ରାତି ହେଲେ ପଳାସୁଣି ଛକ, ଗାଁ, କଲୋନି ଅଞ୍ଚଳକୁ ସଫା କରିବାରେ ଲାଗିପଡ଼ନ୍ତି। ପରିବାର ବୋଲି କେହି ନାହିଁ କି ତାଙ୍କର ରହିବାକୁ ସ୍ଥାନ ନାହିଁ। ତଥାପି ତାଙ୍କ କାମରୁ ସେ ଓହରନ୍ତି ନାହିଁ।

ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ସ୍ଥିତ ଉନ୍ମେଇ ପିଏସ୍‌ଏମ୍‌ଇ ସ୍କୁଲରେ ଶିକ୍ଷକତା ଚାକିରି କରିଥିଲେ। କିଛି କାରଣରୁ ସେ ଚାକିରି ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ। ଏଠି ଆସି ସ୍ୱଚ୍ଛତାର ବାତା ବାଣ୍ଟିବାରେ ଲାଗିପଡ଼ିଲେ। ଲୋକମାନେ ଖାଇବାକୁ ଯାହା ଦିଅନ୍ତି ତାହା ଖାଇ ରାସ୍ତାର ଯେଉଁଠି ପାଏ ସେଠାରେ ଶୋଇପଡ଼ନ୍ତି। ଲୋକମାନେ ଯାହା ପଇସା ବଢ଼ାଇ ଦିଅନ୍ତି ସେଥିରେ ସେ କେବଳ ଝାଡ଼ୁ ଓ ଖବରକାଗଜ କିଣନ୍ତି। ଏମିତିକି ସେ ଦିନକୁ ୭ରୁ ୮ଟି ପେପର କିଣି ପଢ଼ନ୍ତି। ସ୍ୱଚ୍ଛତା ନେଇ କୁହନ୍ତି, ପରିବେଶ ନିହାତି ସୁନ୍ଦର ହେବା ଦରକାର। ଯେବେଠାରୁ ପରିବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବିଲି ସେବେଠାରୁ ଏହି କାମ କରିବା ଆରମ୍ଭ କରିଦେଲି। ୩୦ ବର୍ଷ ହେଲାଣି ଏଇ କାମ କରୁଛି। ଏହି କାମ କରିବାରେ କେବେ ବିରକ୍ତ ଲାଗେ ନାହିଁ। କିନ୍ତୁ ଲୋକମାନଙ୍କୁ ଯଦି ନିଜକୁ ସଚେତନ କରିପାରିବେ ତେବେ ପରିବେଶ ଆପେ ଆପେ ସୁନ୍ଦର ହେବାରେ ଲାଗିବ। ଯେ ପର୍ଯ୍ୟନ୍ତ ବଳ ଅଛି ସେ ପର୍ଯ୍ୟନ୍ତ ପରିବେଶକୁ ସଫା କରୁଥିବି। ଚାକିରି ଛାଡ଼ିବାର ଓ ଅବିବାହିତ ରହିବା କାରଣ ପଚାରିବାରୁ ସେ କିଛି କହି ନ ଥିଲେ। କିନ୍ତୁ କାମ ପ୍ରତି ମନରେ ଅନେକ ଆଗ୍ରହ ହାତରେ ବଳ ଓ ଏକ ପରିଚୟ ଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର