ସାର୍‌ଙ୍କଠୁ ମାଡ଼ ଖାଇ ଆଖିକୁ ଦିଶୁନି ବୋଲି ବାହାନା କରିଥିଲି : ରାଇମୋହନ ପରିଡ଼ା

ଅଭୁଲା ଚଗଲା ଦିନ

ଓଡ଼ିଆ ଚଳଚ୍ଚିତ୍ରର ଚର୍ଚିତ ଖଳନାୟକ ରାଇମୋହନ ପିଲା ବେଳେ ଏତେ ଦୁଷ୍ଟ ଥିଲେ ଯେ, ତାଙ୍କ ବାପାଙ୍କୁ ନାକେଦମ ହେବାକୁ ପଡ଼ୁଥିଲା। ତେଣୁ ରାଇମୋହନ ସ୍କୁଲ୍‌ରେ ପଢ଼ିବା ବେଳେ ଗଣିତ ଶିକ୍ଷକ ପ୍ରଫୁଲ୍ଲ ସାର୍‌ ବି ରାଇମୋହନଙ୍କୁ ନିର୍ଧୁମ ପିଟୁଥିଲେ। ଅବଶ୍ୟ ରାଇଙ୍କ ବାପା କହିଥିଲେ ପାଠ ନଆସିଲେ ମୋ ପୁଅର ଆଖି ଦୁଇଟାକୁ ଛାଡ଼ି ବାଡ଼େଇବ। ଦିନକର କଥା ମନେ ପକାଇ ରାଇ କହିଛନ୍ତି, ଦିନେ ସାର୍‌ ବାଡ଼େଇବା ବେଳେ ମୋ ଆଖିରେ ଜୋର୍‌ରେ ବାଜିଗଲା। ଆଖି ଲାଲ୍‌ ପଡ଼ି ଫୁଲିଗଲା। ମୁଁ ସ୍କୁଲ ଛାଡ଼ି ସିଧା ଘରକୁ ଚାଲି ଆସିଲି। ବାପା ଅଫିସ୍‌ରୁ ଆସି ଦେଖିଲେ ମୋ ଆଖି ଫୁଲିକି କଳା ପଡ଼ିଯାଇଛି। ବେଶି କିଛି ହେଇଛି କି ନା ପରୀକ୍ଷା କରିବାକୁ ବାପା ଆଖି ଆଗରେ ଆଙ୍ଗୁଠି ଦେଖେଇ ମୋତେ କେତେଟା ବୋଲି ପଚାରୁଥିଲେ। ମତେ ସବୁ କିଛି ସ୍ପଷ୍ଟ ଦେଖାଯାଉଥିଲେ ବି ମୁଁ ଜାଣିଶୁଣି କହିଲି, ମତେ କିଛି ଦିଶୁନି। ତେଣୁ ବାପା ସାର୍‌ଙ୍କ ଉପରେ ରାଗିକି କେସ୍‌ କରିବି ବୋଲି କହିଲେ। ସାର୍‌ ବି ଏକଥା ଶୁଣି ଡରି ଯାଇଥିଲେ। ପରେ ଡାକ୍ତରଙ୍କ ପାଖରେ ବି ସେଇ ସମାନ ଡ୍ରାମା କଲି। ଡାକ୍ତର ମତେ ଡରାଇ ପଚାରିଲେ, ତୁ କ’ଣ ମତେ ବୋକା ଭାବିଛୁ। ମିଛ କାହିଁ କହୁଛୁ? ତାପରେ ମୁଁ ସତ ମାନିଗଲି। ସାର୍‌ ମତେ ସବୁବେଳେ ବାଡ଼ଉଥିବାରୁ ମିଛ କହିଲି ବୋଲି କହିଦେଲି। ଠିକ୍‌ ସେଇଦିନ ଗଣେଶ ପୂଜା ଥିଲା। ସେଦିନ ସ୍କୁଲ୍‌ରେ ଯାଇ ପହଞ୍ଚିବାରୁ ପ୍ରଫୁଲ୍ଲ ସାର୍‌ ମତେ ଖୁସି କରିବା ପାଇଁ ସମସ୍ତଙ୍କଠୁ ଅଧିକ ବୁନ୍ଦିଆ ଦେଇ ବୁଝେଇଥିଲେ। ସେଦିନର ସେଇ ଦୁଷ୍ଟାମୀ ପାଇଁ ଆଜି ନିଜକୁ ସାର୍‌ଙ୍କ ନିକଟରେ ଦୋଷୀ ଭଳି ଲାଗେ।

ସମ୍ବନ୍ଧିତ ଖବର