ମେଘ ବରଷିଲା ଟୁପୁରୁ ଟୁପୁରୁ

ଚଳିତ ବର୍ଷ ବର୍ଷା ଜଲ୍‌ଦି ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। କିନ୍ତୁ ରଜ ପୂର୍ବରୁ ଟିକେ ବର୍ଷି ଯାଇ ଦ୍ୱିତୀୟ ଓ ତୃତୀୟ ରଜରେ ଗରମ ଓ ଗୁଳୁଗୁଳି ଲୋକଙ୍କୁ ସନ୍ତୁଳି ପକାଇଲା। ତା’ ପରେ ନିଖୋଜ ହୋଇଗଲା ମୌସୁମୀ। ୫ରୁ ପ୍ରବଳ ବର୍ଷିବ ବୋଲି ସୂଚନା ମିଳିଲା। କିନ୍ତୁ ପୁଣିଥରେ ମୌସୁମୀ ଧୋକା ଦେଲା। କିଛି ଦିନ ହେଲା ସବୁଆଡ଼େ ଥିଲା ଗୋଟିଏ ଆଲୋଚନା; କେବେ ଫେରିବ ମୌସୁମୀ? କେବେ ମିିଳିବ ଗରମରୁ ତ୍ରାହି? ଘରଠାରୁ ଓମ୍‌ଫେଡ୍‌ ଖଟି ପର୍ଯ୍ୟନ୍ତ ସବୁଠି ଏହି ଚର୍ଚ୍ଚା ଥିଲା। ସମସ୍ତେ ଗରମ, ଗୁଳୁଗୁଳିରେ ବ୍ୟସ୍ତ ହେଉଥିଲେ, ଝାଳ ପୋଛୁଥିଲେ ଓ ବର୍ଷା ଟିକେ ଜଲ୍‌ଦି ହେଉ ବୋଲି ଭଗବାନଙ୍କୁ ଡାକୁଥିଲେ। ବେଶ୍‌ କିଛି ଦିନର ଲୁଚକାଳି ଖେଳ ପରେ ମୌସୁମୀ ଫେରିଛି। କିଛି ଦିନ ହେଲା ରାଜଧାନୀ ଭିଜୁଛି। ତୁହାକୁ ତୁହା ବର୍ଷା ସହରରେ ଶୀତଳତା ଭରି ଦେଇଛି। ଉତ୍ସାହ ଓ ଉନ୍ମାଦନାରେ ସହରବାସୀ ବର୍ଷାକୁ ସ୍ୱାଗତ କରିଛନ୍ତି।

ସହରର ପରିବେଶ ଏବେ ବେଶ୍‌ ମନ ମୁଗ୍ଧକର ହୋଇଛି। ସକାଳଠାରୁ ରାତି ପର୍ଯ୍ୟନ୍ତ ଏକ ସୁନ୍ଦର ଅନୁଭୂତି ସାଉଁଟୁଛନ୍ତି ରାଜଧାନୀବାସୀ। ବର୍ଷା ଜଳ ନିଷ୍କାସନ ସମସ୍ୟା ରାଜାଧାନୀକୁ ନାକେଦମ୍‌ କରି ଲୋକଙ୍କୁ ତିକ୍ତ ଅନୁଭୂତି ଦେଉଛି ସତ କିନ୍ତୁ ତାତିରୁ ମୁକ୍ତି ମିଳିଥିବାରୁ ବର୍ଷାର ମଜା ନେଉଛନ୍ତି ସହରବାସୀ। କେଉଁଠି ରେନ୍‌କୋଟ୍‌ ପିନ୍ଧି ବା ଛତା ଧରି ଲୋକମାନେ ରାଜରାସ୍ତାରେ ଚାଲୁଥିବାର ଦେଖାଯାଉଛି ତ’ ଆଉ କେଉଁଠି ଲୋକ ବର୍ଷାରେ ଭିଜି ଭିଜି ମଜା ନେବାର ସୁଯୋଗକୁ ହାତଛଡ଼ା କରୁନାହାନ୍ତି। ପୁଣି କିଛି ଯୁବକ ବର୍ଷା ସମୟରେ ଓଦା ହୋଇ ବାଇକ୍‌ ଚଲାଇ ଧୁମ୍‌ ବୁଲୁଛନ୍ତିି। ବର୍ଷା ସମୟରେ ରାସ୍ତା ପ୍ରାୟ ଫାଙ୍କା ରହୁଥିବାରୁ ବାଇକ୍‌ ଚାଳକମାନଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ ସୃଷ୍ଟି କରୁଛି। ବିଶେଷ କରି ଯୁବପିଢ଼ି ଭିଜିବାର ବେଶି ମଜା ନେଉଛନ୍ତି।

ରାଜଧାନୀବାସୀଙ୍କ ଅବସର ବିନୋଦନର ସବୁଠାରୁ ବଡ଼ ମାଧ୍ୟମ ସାଜିଥିବା ପାର୍କଗୁଡ଼ିକ କିନ୍ତୁ ଫାଙ୍କା ରହୁଛି। ବର୍ଷା ଯୋଗୁଁ ପାର୍କ ପରିସର ଓଦା ରହୁଥିବାରୁ ବସିବା ସମ୍ଭବ ହେଉ ନାହିଁ। ଖୁବ୍‌ କମ୍‌ ଲୋକ ପାର୍କରେ ବସିଥିବା ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ଅଧିକାଂଶ ପ୍ରେମୀଯୁଗଳ। ସଂଧ୍ୟା ହେଲେ ରେସ୍ତୋରାଁ, କଫି ସପ୍‌, ପିଜା ହଟ୍‌ ଓ କେଏଫ୍‌ସିଗୁଡ଼ିକରେ ଭିଡ଼ ଜମୁଛି। ରାସ୍ତାକଡ଼ର ଝାଲ ମୁଢ଼ି, ମଟର, ମକାପୋଡ଼ା, ଚାଟ୍‌, ଫାଷ୍ଟ୍‌ଫୁଡ୍‌, ଗୁପ୍‌ଚୁପ୍‌ ବେପାର ବି ଜମୁଛି। ବର୍ଷା ସମୟରେ କଫି ସପ୍‌ଗୁଡ଼ିକରେ ବି ଯୁବପିଢ଼ିଙ୍କ ଆସର ଜମୁଛି। ତେବେ ବଜାରଗୁଡ଼ିକରେ ଏତେଟା ଗହଳି ଦେଖିବାକୁ ମିଳୁନି।

ଲାଗୁଥିଲା ମୁଁ ଯେମିତି ବର୍ଷା

ମୁଁ ଅନେକ ରୂପରେ ବର୍ଷାକୁ ଦେଖେ। ବର୍ଷାକୁ ନେଇ ମୋର ଏକ ବିଶେଷ ଅନୁଭୂତି ରହିଛି । ମୁଁ ରମାଦେବୀ କଲେଜରେ ପଢୁଥାଏ। ପ୍ରବଳ ବର୍ଷା ହେଉଥାଏ, ସେହି ସମୟରେ ମୁଁ କଲେଜକୁ ଯାଉଥାଏ। ହାତରେ ଛତା ଧରି, ଅଟୋକୁ ଅପେକ୍ଷା କରିବା ପରେ ଚାଲି ଚାଲି ଯାଉଥାଏ। ହେଲେ ବର୍ଷା ଯୋଗୁଁ ଅଟୋ ମିଳୁନଥାଏ। ପ୍ରବଳ ବର୍ଷାକୁ ମୋ ଦୁର୍ବଳ ଛତା ସମ୍ଭାଳି ପାରୁନଥାଏ। ଆଉ ମୁଁ କଲେଜ ପହଞ୍ଚିଲା ବେଳକୁ ଓଦାରେ ସରସର ହୋଇ ଥରୁଥିଲି। ସେହି ସମୟରେ ଲାଗୁଥିଲା, ଯେମିତି ମୁଁ ହେଉଛି ବର୍ଷା। ମୋ’ର ସେହି ଅନୁଭୂତି ହେଉଛି ନିଆରା। ପିଲାଦିନେ ବର୍ଷା ହେଉଥିଲେ ମୁଁ ଶୋଇବାକୁ ଭଲ ପାଏ। ଶୋଇ ଶୋଇ ବର୍ଷାକୁ ମନଭରି ଉପଭୋଗ କରେ।
ପ୍ରତିଭା ଶତପଥୀ, କବୟିତ୍ରୀ

ବର୍ଷା ଗୀତ ବାଜିବାରୁ ମୁଁ ମୟୂର ପରି ନାଚି ଉଠିଲି

ବର୍ଷା ଋତୁରେ ମୋତେ ମୟୂର ପରି ନାଚିବାକୁ ଇଚ୍ଛା ହୁଏ। ବର୍ଷାକୁ ନେଇ ମୁଁ ଅନେକ ନୃତ୍ୟ ପରିବେଷଣ କରିଛି। ଦିନେ ମୁଁ ଓ ମୋ ଛାତ୍ରଛାତ୍ରୀମାନେ କୌଣସି ଏକ କାର୍ଯ୍ୟକ୍ରମକୁ ଯାଇଥାଉ। ଏହା ଖୋଲା ମଞ୍ଚରେ ହେଉଥିଲା। ହଠାତ୍‌ ବର୍ଷା ହେଲା ଓ ସମସ୍ତେ ମଞ୍ଚରୁ ଉଠି ଯିବାକୁ ବାହାରିଥାଆନ୍ତି। ସେହି ସମୟରେ ମୁଁ କହିଲି ଗୋଟିଏ ବର୍ଷା ଗୀତ ଲଗାନ୍ତୁ, ବର୍ଷା ଗୀତ ଲାଗିବା କ୍ଷଣି ମୁଁ ମୟୂର ପରି ନାଚି ଉଠିଲି। ମତେ ଦେଖି ବର୍ଷାରେ ଭିଜିବାକୁ ଭୟ କରୁଥିବା ପିଲାମାନେ ମଧ୍ୟ ମୋ ସହ ତାଳ ଦେଇ ନାଚି ଉଠିଲେ। ସେ ଦିନଟି ଏବେ ବି ମନେପଡ଼େ।
ପଦ୍ମଶ୍ରୀ ଅରୁଣା ମହାନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ

ମେଘ ରାଗରେ ପ୍ରସ୍ତୁତ କରିଥିଲି ମେଘ ଗୀତ

‘ଶେଷ ଶ୍ରାବଣ’ ଚଳଚ୍ଚିତ୍ରର ସଂଗୀତ ପ୍ରସ୍ତୁତିରେ ମୁଁ ଲାଗିଥାଏ। ହଠାତ୍‌ ଚଳଚ୍ଚିତ୍ରର ନିର୍ଦେଶକ ପ୍ରଶାନ୍ତ ମତେ କହିଲା, ଭାଇନା ମାଣିକ ମୁହଁରେ ଗୋଟେ ମେଘ ମହ୍ଲାର ଗୀତଟେ ଦବା। ମୁଁ କହିଲି, ମେଘମହ୍ଲାର ଭଳି ଯେତେ ରାଗ ଅଛି ତାକୁ ନେଇ ଗୋଟେ ଗାଉଁଲି ଝିଅ ମୁହଁରେ ବୋଲାଇଲେ ଠିକ୍‌ ଲାଗିବ ନାହିଁ। କିନ୍ତୁ ପ୍ରଶାନ୍ତର ଜିଦ୍‌ ମେଘ ଉପରେ ଗୀତଟିଏ ରହିବ। ପ୍ରଶାନ୍ତ ସବୁବେଳେ ମୋ ମୁଣ୍ଡରେ ଏମିତି ଅଖାଡ଼ୁଆ ବୋଝ ଆଣି ଲଦିଦିଏ। ତେଣୁ ବହୁ ଚିନ୍ତା କରିବା ପରେ ମୋ’ର ମନେ ପଡ଼ିଗଲା ଗାଉଁଲି ଝିଅମାନେ ‘ମେଘ ବରଷିଲା ଟୁପୁରୁ ଟୁପୁରୁ…’ ଗୀତ ଗାଇ ବର୍ଷାକୁ ଉପଭୋଗ କରନ୍ତି। ଚିନ୍ତା କଲି ମେଘ ମହ୍ଲାର ନ ନେଇ ଖାଲି ମେଘ ରାଗ ନେଲେ ପଲ୍ଲୀ ଦୃଶ୍ୟକୁ ଖାପ ଖାଇବ। ଏୟା ଚିନ୍ତା କରି ଗୀତଟିଏ ସ୍ୱର କରି ଲେଖିଲି। ଏଥିରେ ମେଘ, ଗଉଡ଼ ମହ୍ଲାର ଓ ରାମଦାସୀ ମହ୍ଲାରର ରଙ୍ଗରୂପକୁ ମୁଁ ‘ମେଘ ବରଷିଲା ଟୁପୁରୁ ଟୁପୁରୁ…ଗୀତରେ ଖଞ୍ଜିଥିଲି ବୋଲି ସେ କୁହନ୍ତି। ପୁଣି ‘ନେଇ ଯା’ରେ ମେଘ ମତେ.., ହାଏରେ ହାଏ ଗରଜେ ମେଘ.., ବରଷାରେ ଭିଜିଭିଜି ଖୋଜୁଛି ମୁଁ ତାକୁ ଆଜି…ଭଳି ଅଭୁଲା ହିଟ୍‌ ବର୍ଷା ଗୀତ ଓଡ଼ିଶା ସଂଗୀତ ଜଗତକୁ ଭେଟି ଦେଇଛନ୍ତି ପ୍ରଫୁଲ୍ଲ କର।

‘ବର୍ଷା ପଡ଼ିଲାଣି କେମିତି ଯିବା…..’ଦୁଇଟି ଟେକ୍‌ରେ ସୁଟିଂ ସରିଥିଲା

‘ବର୍ଷା ପଡ଼ିଲାଣି କେମିତି ଯିବା…..’। ୯୦ ଦଶକର ଉତ୍ତମ ମହାନ୍ତିଙ୍କ ଅଭିନୀତ ଏହି ରୋମାଣ୍ଟିକ୍‌ ଗୀତ ଏବେ ବି ପ୍ରେମୀଯୁଗଳଙ୍କ ମନରେ ରୋମାଞ୍ଚ ଭରିଦିଏ। ୧୯୯୧ରେ ସୁଟିଂ ହୋଇଥିବା ଏହି ଗୀତ ବାବଦରେ ଉତ୍ତମ ମହାନ୍ତି କହନ୍ତି, ଏହି ଗୀତର ସୁଟିଂ ୨ଟି ଟେକ୍‌ରେ ହିଁ ସମ୍ପୂର୍ଣ୍ଣ ହୋଇଯାଇଥିଲା। ଦିନ ୧୧ଟାରୁ ୫ଟା ପର୍ଯ୍ୟନ୍ତ ନିରନ୍ତର ସୁଟିଂ ଚାଲିଥିଲା। ଅଦିନରେ ବର୍ଷାର ମଜା ନେବାର ସୁଯୋଗ କେବଳ କଳାକାରଙ୍କୁ ମିଳିଥାଏ। ଟ୍ୟାଙ୍କର୍‌ରେ ପାଣି ଭରି କୃତ୍ରିମ ବର୍ଷା ଓ ଘଡ଼ଘଡ଼ି ବିଜୁଳି ଆଦିର ସାଉଣ୍ଡ ଇଫେକ୍ଟ୍‌ରେ ନାଚିବାର ଅନୁଭୂତି ପ୍ରାକୃତିକ ବର୍ଷାଠାରୁ କିଛି କମ୍‌ ନୁହେଁ। ସେ କହନ୍ତି, ଏହି ବର୍ଷା ଗୀତ ସୁଟିଂ ହେଉଥିବା ବେଳେ ଗୀତ ଅଧାରେ ଟାଙ୍କିରୁ ପାଣି ସରି ଯାଇଥିଲା। ଆମେ ନାଚୁଥିବା ସ୍ଥାନ ଓଦା ହୋଇଥିବା ବେଳେ ବାହାର ସ୍ଥାନ ଶୁଖିଲା ଥିଲା। ଏହା ହିଁ ପ୍ରାକୃତିକ ବର୍ଷା ଓ କୃତ୍ରିମ ବର୍ଷା ମଧ୍ୟରେ ଫରକକୁ ସୂଚାଉଥିଲା। ସେହିଭଳି ଡିସେମ୍ବର ମାସ ପ୍ରବଳ ଶୀତ ଦିନେ ଆଉ ଏକ ଗୀତର ସୁଟିଂ ଚାଲିଥାଏ। ଗାଡ଼ିଆ ପାଣି ଟ୍ୟାଙ୍କରରେ ଭରି କୃତ୍ରିମ ବର୍ଷା କରାଯାଉଥିଲା। ସେ ଗାଡ଼ିଆ ପାଣି ଏତେ ଥଣ୍ଡା ଥିଲା ଯେ, ଶୀତରେ ନର୍କ ଯନ୍ତ୍ରଣା ଦେଇଥିଲା। କିନ୍ତୁ କୃତ୍ରିମ ହେଉ କି ପ୍ରାକୃତିକ, ବର୍ଷାରେ ଭିଜିବାର ମଜା ନିଆରା।

ସମ୍ବନ୍ଧିତ ଖବର