ନାଳ ଭିତରେ ସଂସାର

ଭୁବନେଶ୍ବର: ସେ କିଏ, ନିଜେ ଜାଣନ୍ତିନି। ଘର କୋଉଠି, ତାହା ବି ତାଙ୍କୁ ଜଣା ନାହିଁ। ତାଙ୍କ କଥା ହୁଏତ କାହାକୁ ପାଗଳର ପ୍ରଳାପ ଭଳି ଲାଗୁଥାଇ ପାରେ। ମାତ୍ର ବଞ୍ଚିବା ପାଇଁ ତାଙ୍କର ସଂଘର୍ଷର ଚିତ୍ର ଆପଣଙ୍କୁ ଚକିତ କରିଦେବ। ଆଶ୍ଚର୍ଯ୍ୟ ‌ଏହା ଯେ, ମୁଣ୍ଡ ଗୁଞ୍ଜିବା ପାଇଁ ଏକ ନାଳକୁ ଆପଣାଇ ନେଇଛନ୍ତି ‘ଋଷି’। ଖରା, ବର୍ଷା, ଶୀତ କାକରରେ ଏହି ନାଳ ତଳେ ହିଁ ଜୀବନ ଜିଉଁଛନ୍ତି। ସେଇଠି ରୋଷେଇ କରି ଖାଉଛନ୍ତି, ଏବଂ ରାତି ହେଲେ ଶୋଇ ଯାଉଛନ୍ତି। ଉପକଣ୍ଠ ନୁହେଁ ଖୋଦ ରାଜଧାନୀର କେନ୍ଦ୍ର ସ୍ଥଳରେ। ବିଧାନସଭା ଓ ସଚିବାଳୟରୁ ୨ଶହ ମିଟର ଦୂରରେ ଏଜି କାର୍ଯ୍ୟାଳୟ କାନ୍ଥ ନିକଟରେ ଯାଇଥିବା ନାଳ ଭିତରେ ‌ହିଁ ନିଜର ଘର ବସେଇଛନ୍ତି ଋଷି।
ମୁଣ୍ଡରେ ବିଣ୍ଡି ମାରିଯାଇଥିବା ଜଟା ଏବଂ ଦେହରେ ଖଣ୍ଡେ କୌପୀନକୁ ଛାଡ଼ିଦେଲେ ଏହି ନାଳ ଘର ‌ହିଁ ତାଙ୍କର ସମୁଦାୟ ସମ୍ବଳ। ମୌଳିକ ଅଧିକାର ଯେମିତି ତାଙ୍କ ପାଇଁ ଗୋଟେ ଫାର୍ସ। ପାଗଳ ମାନସିକତା ଯୋଗୁ କିଛି କହିପାରୁନାହାନ୍ତି ବୋଲି ସବୁ ସୁବିଧାଠାରୁ ସେ ଏବେ ବି ବହୁ ଦୂରରେ। ଯେବେ ତାଙ୍କ ପାଖକୁ ଯାଇ ତାଙ୍କ ନାଁ ପଚାରିଲୁ, ତାଙ୍କ ପାଟିରୁ ହଠାତ୍ ବାହାରି ଆସିଥିଲା ‘ଋଷି’। ଆଜି କି କାଲି ନୁହେଁ, ଦୀର୍ଘଦିନ ଧରି ସେ ଏଇ ନାଳରେ ମଞ୍ଚା ବାନ୍ଧି ରହୁଥିବା ମୁଣ୍ଡ ଟୁଙ୍ଗାରି ସ୍ବୀକାର କରିଥିଲେ।
ନାଳ ଭିତରେ ସିନା ସେ ନିଜ ସଂସାର ବସେଇଛନ୍ତି। କିନ୍ତୁ ଏହା ଭିତରେ ନା ଛିଡ଼ା ହୋଇପାରୁଛନ୍ତି ନା ଚଳପ୍ରଚଳ ହୋଇପାରୁଛନ୍ତି। ବରଂ ଅଣ୍ଟା ନଇଁନଇଁ ଭିତରେ ଯା’ଆସ କରୁଛନ୍ତି। ନାଳ ଉପରେ ପଡ଼ିଥିବା ସ୍ଲାବ୍‌ ଯେମିତି ତାଙ୍କ ପାଇଁ ଛାତ ପାଲଟିଛି। ତାଙ୍କ କଥାବାର୍ତାରେ ସିନା ତାଳମେଳ ରହୁନି, କିନ୍ତୁ ନାଳ ଭିତରେ ବଞ୍ଚିବାର ଶୈଳୀ ଦେଖିଲେ କେହି କହିବେନି ସେ ଜଣେ ମାନସିକ ବିକାରଗ୍ରସ୍ତ। ବର୍ଷାଦିନେ ନା‌ଳରେ ପାଣି ଚାଲୁଥିବାରୁ ସେଥିପାଇଁ ସେ ନାଳ ଉପରେ ଏକ ନିର୍ଦିଷ୍ଟ ଉଚ୍ଚର ମଞ୍ଚାଟିଏ ବାନ୍ଧିଛନ୍ତି। ନିଜେ କାଠ ସଂଗ୍ରହ କରି ଚୁଲିରେ ଭାତ, ‌ରୁଟି ରୋଷେଇ କରି ଖାଉଛନ୍ତି। ଏହି ରାସ୍ତା ଦେଇ ଅନେକ ବଡ଼ବାବୁଙ୍କ ଗାଡ଼ି ବିଧାନସଭା ଓ ସଚିବାଳୟକୁ ଆସେ। ଏହି ରାସ୍ତା ଦେଇ ଯା’ଆସ ବେଳେ ଏଜି ଛକର ଟ୍ରାଫିକ୍‌ ସିଗ୍ନାଲ୍‌ ଦେଖି ଶହଶହ ଗାଡ଼ି ଅଟକେ। ମାତ୍ର କୌଣସି ବ୍ୟକ୍ତି କିମ୍ବା ବାସହୀନ ଆଶ୍ରୟସ୍ଥଳୀର ସ୍ବେଚ୍ଛାସେବୀ ତାଙ୍କୁ ଏଠାରୁ ଉଦ୍ଧାର କରି ସମାଜର ମୁଖ୍ୟସ୍ରୋତ ସହ ସାମିଲ୍‌ କରିବାକୁ ଚେଷ୍ଟା କରିନାହାନ୍ତି। ଏନେଇ ସମାଜସେବୀ ଅନୁରାଧା ମହାନ୍ତିଙ୍କ କହିବା ମୁତାବକ, ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ରଖିବା ପାଇଁ ‘ମିସନ୍‌ ଆଶ୍ରା’ ରହିଛି କିନ୍ତୁ ମାନସିକ ବିକାରଗ୍ରସ୍ତ ପୁରୁଷଙ୍କ ପାଇଁ ଥଇଥାନର କୌଣସି ବ୍ୟବସ୍ଥା ନାହିଁ। ତେଣୁ ଉଦ୍ଧାର କଲେ ବି ରଖାଯିବ କେଉଁଠି? ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ଯେଉଁ ଅନୁପାତରେ ବଢ଼ୁଛି, ସେମାନଙ୍କ ପାଇଁ ସ୍ବତନ୍ତ୍ର ଗୃହ ସହ ସେମାନଙ୍କୁ କାଉନ୍‌ସେଲିଂ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
କଥାବାର୍ତା ସମୟରେ ଏଣୁତେଣୁ ଗପିବା ବେଳେ ଋଷି କହିଥିଲେ, ମୁଁ ୧୫ଟି ଦେଶକୁ ନ୍ୟାୟ ଦେବାକୁ ଆସିଛି। ତାଙ୍କ ତୁଣ୍ଡରୁ ଏଭଳି କଥା ଶୁଣି ସେ ଯେ ମାନସିକ ବିକାରଗ୍ରସ୍ତ ତାହା ବୁଝା ପଡ଼ୁଥିଲା। ମାତ୍ର ପାଗଳପଣରେ ୧୫ଟି ଦେଶକୁ ନ୍ୟାୟ ଦେବାକୁ ଚାହୁଁଥି‌ବା ଋଷି ଯେ ନିଜେ ନ୍ୟାୟରୁ ବଞ୍ଚିତ ସେ କଥା ତାଙ୍କୁ କିଏ ବୁଝେଇବ?

ସମ୍ବନ୍ଧିତ ଖବର