ଡିବିରି ଆଲୁଅ ଭରସା: ବିସିଡିଡି-୨ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଚନ୍ଦ୍ରଶେଖରପୁର: ବିଜୁଳି ପାଇବାରୁ ବଞ୍ଚିତ ଜଗନ୍ନାଥ ପ୍ରସାଦ ଚୂନକୋଳି ଗ୍ରାମବାସୀଙ୍କ ଅସନ୍ତୋଷ ସବୁ ସୀମା ଟପିଛି। ସବୁଆଡ଼ୁ ନିରାଶ ହେବା ପରେ ଆଜି ୨୦୪ ପରିବାରର ୩୦୦ରୁ ଅଧିକ ଲୋକ ନୂଆପଲ୍ଲୀସ୍ଥିତ ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ୍‌(ବିସିଡିଡି-୨) କାର୍ଯ୍ୟାଳୟ ଘେରାଉ କରିଥିଲେ। ନ୍ୟାୟ ପ୍ରଦାନ ସହ ସମସ୍ତ ପରିବାରକୁ ତୁରନ୍ତ ବିଜୁଳି ସଂଯୋଗ କରିବାକୁ ସେମାନେ ଅଡ଼ି ବସିଥିଲେ। ଗ୍ରାମବାସୀମାନେ ପ୍ରାୟ ୩ ଘଣ୍ଟା ଧରି ମୁଖ୍ୟ ଫାଟକ ସମ୍ମୁଖରେ ବସି ରହିବାରୁ ଉତ୍ତେଜନା ଦେଖା‌ଦେଇଥିଲା। ପରିସ୍ଥିତି ଜଟିଳ ହେଉଥିବା ଦେଖି ଡିଭିଜନ୍‌ର ଅଧିକାରୀମାନେ ପହଞ୍ଚି ବିକ୍ଷୋଭକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତୁଶ୍ରୁତି ଅନୁଯାୟୀ, ଶନିବାର ଏକ ପ୍ରତିନିଧି ଦଳ ଉକ୍ତ ଗ୍ରାମ ପରିଦର୍ଶନ କରିବ। କ’ଣ ପାଇଁ ବିଜୁଳି ସଂଯୋଗ ହୋଇପାରିନାହିଁ, କେଉଁଠି ସମସ୍ୟା ରହିଛି, ତାହାର ଅନୁଧ୍ୟାନ କରିବା ପର ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।‌ କେନ୍ଦ୍ର ସରକାରଙ୍କ ‘ସୌଭାଗ୍ୟ’ ଯୋଜନା ପରେ ବି ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଆସୁଥିବା ଶୈଳଶ୍ରୀବିହାର ନିକଟ ଜଗନ୍ନାଥ ପ୍ରସାଦ ଚୂନକୋଳି ଗ୍ରାମବାସୀ ଆଜି ବି ବିଜୁଳି ପାଇବାରୁ ବଞ୍ଚିତ ହେଉଛନ୍ତି। ଏବେ ବି ସେମାନଙ୍କ ପାଇଁ ଡିବିରି ଆଲୁଅ ଭରସା। ଏନେଇ ଗ୍ରାମବାସୀମାନେ ସେକ୍ସନ ଅଧିକାରୀଙ୍କଠାରୁ ଆରମ୍ଭ କରି ବିସିଡିଡି-୨ର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ। ଏନେଇ ମଙ୍ଗଳବାର ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଲୋକଙ୍କ ଅସନ୍ତୋଷ ବଢ଼ିଥିଲା। ସକାଳୁ ଗ୍ରାମବାସୀମାନେ ସବୁ କାର୍ଯ୍ୟ ଛାଡ଼ି ନୟାପଲ୍ଲୀସ୍ଥିତ ବିସିଡିଡି-୨ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ମହିଳାଙ୍କ ସମେତ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ। ପୂର୍ବାହ୍ନରେ ସେମାନେ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ। ‌ଡିଭିଜନ୍‌ର କୌଣସି ଅଧିକାରୀଙ୍କୁ ବାହାରକୁ ଛାଡ଼ି ନଥିଲେ।

ଗ୍ରାମବାସୀମାନେ କହିଥିଲେ ଯେ ‘ସୌଭାଗ୍ୟ’ ଯୋଜନାରେ ପ୍ରକାଶ ପାଇଥିବା ତାଲିକାରେ ଆମ ନାଁ ରହିଛି। ‌ହେଲେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଖାମଖିଆଲି ମନୋଭାବ ପାଇଁ ଖୁଣ୍ଟ ପଡ଼ୁନି କି ତାର ଟଣା ଯାଉନି। ଏକ ନିର୍ଦିଷ୍ଟ କମ୍ପାନି କଥାରେ ବିଦ୍ୟୁତ୍‌ ବିଭାଗ ଅଧିକାରୀମାନେ ଆମକୁ ହଇରାଣ କରୁଛନ୍ତି। ପରିଚୟପତ୍ର ସମେତ ରାସନ୍‌ ଓ ଆଧାରକାର୍ଡ ଆମର ରହିଛି। ତଥାପି ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଛି। ବାରମ୍ବାର ଦାବି କଲେ ମଧ୍ୟ କେହି ଶୁଣୁ ନଥିବା ସେମାନେ ପୁଣିଥରେ ଅଭିଯୋଗ କରିଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ ଯଦି ଦାବି ପୂରଣ ନ ହୁଏ ତେବେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର