ପାର୍କିଂ ଫି’ରେ ଲଗାମ

ଭୁବନେଶ୍ୱର: ସହରର ବିଭିନ୍ନ ସ୍ଥାନରେ ପାର୍କିଂ କର୍ମଚାରୀଙ୍କ ଦାଦାଗିରି ନେଇ ବାରମ୍ବାର ଅଭିଯୋଗ ଆସିବା ତତ୍ପରତା ପ୍ରକାଶ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ପାର୍କିଂ ଫି’ ଆଦାୟରେ ସ୍ୱଚ୍ଛତା ଆଣିବା ସହ ଚାଳକମାନେ ଯେପରି ଏକାଧିକ ଥର ତଣ୍ଡ ନ ଗଣିବେ ସେଥିପାଇଁ ୭୫ଟି ପାର୍କିଂ ଅଞ୍ଚଳକୁ ୫ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ପାର୍କିଂ ଜୋନ୍‌ରେ ଥରେ ଫି’ ଦେଲେ ଆଉ ଥରେ ସେହି ଅଞ୍ଚଳରେ ପାର୍କିଂ କଲେ ମଧ୍ୟ ଅର୍ଥ ଦେବାକୁ ପଡ଼ିବ ନାହିଁ। ଏଥିସହ ପାର୍କିଂ ସୁପରଭାଇଜର ଓ କର୍ମଚାରୀଙ୍କ ଆଚରଣ ଉଚ୍ଚାରଣରେ ସଂଶୋଧନ ଆଣିବା ଲାଗି ଖୁବ୍‌ଶୀଘ୍ର ତାଲିମ କର୍ମଶାଳା କରାଯିବ ବୋଲି ଆଜି ବସିଥିବା ବିଏମ୍‌ସି ବୈଠକରେ ନିଷ୍ପତ୍ତି ହୋଇଛି। ଉଦାହରଣସ୍ୱରୂପ ଯଦି ଜଣେ ବ୍ୟକ୍ତି ବାଣୀବିହାର ଛକଠାରେ ପାର୍କିଂ ଫି ଦେଇଛନ୍ତି ଏବଂ ପରେ ରୂପାଲି ଛକରେ ଗାଡି ପାର୍କିଂ କରୁଛନ୍ତି ତେବେ ନୂତନ ନିୟମ ଅନୁସାରେ ତାଙ୍କୁ ଆଉଥରେ ପାର୍କିଂ ଫି’ ଦେବାକୁ ପଡ଼ିବ ନାହିଁ। ତେବେ ପୂର୍ବ ନିୟମ ଅନୁସାରେ ପାର୍କିଂର ଦେୟ କିମ୍ବା ଘଣ୍ଟାପ୍ରତି ଦେୟରେ କୌଣସି ପରିବର୍ତନ ବା ସଂଶୋଧନ କରାଯାଇ ନାହିଁ। ଦୁଇ ଚକିଆ ଯାନ ପ୍ରଥମ ୪ ଘଣ୍ଟା ଲାଗି ୫ଟଙ୍କା ଶୁଳ୍କ ଦେବାକୁ ନିୟମ ରହିଥିବା ବେଳେ ୪ଘଣ୍ଟାରୁ ଅଧିକ ସମୟ ପାର୍କିିଂ ପାଇଁ ୧୦ ଟଙ୍କା ଦେବାକୁ ନିୟମ ରହିଛି। ସେହିପରି ଚାରିଚକିଆ ଯାନ ପାଇଁ ପ୍ରଥମ ୨ ଘଣ୍ଟା ପାଇଁ ୨୦ ଟଙ୍କା ଏବଂ ୪ ଘଣ୍ଟା ଲାଗି ୪୦ ଟଙ୍କା ଶୁଳ୍କ ଦେବାର ନିୟମ ରହିଛି। ଚାଳକମାନେ ପାର୍କିଂ ଫି’ ରସିଦି ଫେରସ୍ତ କରିବେ ନାହିଁ। ରସିଦରେ ତାରିଖ ଏବଂ ସମୟ ସଠିକ୍‌ ଭାବେ ଉଲ୍ଲେଖ କରାଯିବ। ଯଦି କୌଣସି ପାର୍କିଂ କର୍ମଚାରୀ ଏହାକୁ ମାନୁ ନ ଥିବା ନେଇ ଅଭିଯୋଗ ଆସିବ ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ବେଆଇନ ପାର୍କିଂ ରୋକିବା ଲାଗି ଏଣିକି କଡ଼ା ଅଭିମୁଖ୍ୟ ଗ୍ରହଣ କରିବ ବିଏମ୍‌ସି। କମିସନରେଟ୍‌ ପୁଲିସ ପକ୍ଷରୁ ଚିହ୍ନଟ ହୋଇଥିବା ନୋ-ପାର୍କିର୍ଂ ଜୋନ୍‌ରେ ବେଆଇନ ପାର୍କିଂ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସିଛି। ୟୁନିଟ୍‌-୧, ୟୁନିଟ୍‌-୨ ମାର୍କେଟ ବିଲଡିଂ, ଶ୍ରୀୟା ଛକ ଆଦି ଅଞ୍ଚଳରେ ନୋ-ପାର୍କିଂ ଜୋନ୍‌ ହୋଇଥିଲେ ମଧ୍ୟ ସେଠରୁ ଫି’ ଆଦାୟ କରାଯାଉଛି। ତାହାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳ ଉପରେ ବିଏମ୍‌ସିର ସ୍ୱତନ୍ତ୍ର ସ୍କ୍ଵ୍‌ାର୍ଡ ଏଣିକି ଜୋରଦାର ଚଢ଼ାଉ କରିବ ବୋଲି ବିଏମ୍‌ସି ବୈଠକରେ ସ୍ଥିର ହୋଇଛି।

ବିଏମ୍‌ସି ବୈଠକରେ ଏନେଇ ବିଧିବଦ୍ଧ ଆଲୋଚନା ହୋଇଥିବା ବେଳେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ୨୦୧୮ ଜାନୁଆରିରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଅତିରିକ୍ତ କମିସନର ଶୁଭମ୍‌ ସକ୍‌ସେନାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

୫ଟି ପାର୍କିଂ ଜୋନ୍‌
ବାଣୀବିହାରରୁ ଶ୍ରୀୟା ଛକ
ଶ୍ରୀୟା ଛକରୁ ଶିଶୁ ଭବନ
ୟୁନିଟ୍‌ ୧ ହାଟରୁ କଳ୍ପନା ପୁଷ୍କକ ହୋଟେଲ୍‌ ଅଞ୍ଚଳ
ସମ୍‌ ହସ୍ପିଟାଲଠାରୁ ଖଣ୍ଡଗିରି ଦେଇ ନୟାପଲ୍ଲୀ ବିଶାଳ ମେଗା ମାର୍ଟ ଅଞ୍ଚଳ
ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ ନିକଟରୁ ଚନ୍ଦ୍ରଶେଖରପୁର ଡିଡି ମୋଟର୍‌ସ୍‌ ଛକ ଅଞ୍ଚଳ

ଭଡ଼ା ଦିଆଯିବ କେଶରୀ ମଲ୍‌

ୟୁନିଟ୍‌-୨ସ୍ଥିତ ବିଏମ୍‌ସି-କେଶରୀ ମଲ୍‌ର ୭୩ଟି ୟୁନିଟ୍‌କୁ ଭଡ଼ାରେ ଦିଆଯିବ। ପ୍ରଥମ ଥର ପାଇଁ କୌଣସି ପିପିପି ପ୍ରକଳ୍ପକୁ ଇ-ଅକ୍ସନ୍‌ ଜରିଆରେ ବିଡ୍‌ ଆହ୍ଵାନ କରିବ ବିଏମ୍‌ସି। ଏହାଦ୍ୱାରା ୪ରୁ ୫ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇପାରିବ ବୋଲି ଆକଳନ କରାଯାଇଛି। ବିଏମ୍‌ସି ଏବଂ କେଶରୀ ଇଷ୍ଟେଟ୍‌ ସଂସ୍ଥାର ମିଳିତ ପ୍ରକଳ୍ପ କେଶରୀ ମଲ୍‌ରେ ୯୨୦୦ ବର୍ଗଫୁଟ ଅଞ୍ଚଳ ରହିଛି ବିଏମ୍‌ସି ଭାଗରେ। ଏହି ସବୁ ସ୍ଥାନ ମଲ୍‌ର ବେସ୍‌ମ୍ୟାଣ୍ଟ, ତଳମହଲା, ପ୍ରଥମ ଏବଂ ୨ୟ ମହଲାରେ ରହିଛି। ମଲ୍‌ର ଅଂଶକୁ ବିକ୍ରି କରିବା ପରିବର୍ତେ ଏହାକୁ ଭଡ଼ା ସୂତ୍ରରେ ଦେବା ଦ୍ୱାରା ଅଧିକ ରାଜସ୍ୱ ଆଦାୟ ହୋଇ ପାରିବ ବୋଲି ବିଏମ୍‌ସି ଆଶାବ୍ୟକ୍ତ କରିଛି। ଭଡ଼ା ବାବଦକୁ ବର୍ଗଫୁଟ ପିଛା ୫୦ରୁ ୬୦ ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ବର୍ଷକୁ ବିଏମ୍‌ସି ପ୍ରାୟ ୬୦ ଲକ୍ଷ ଟଙ୍କା ପାଇବ। ସେହିପରି ୫ବର୍ଷ ପାଇଁ ଭଡ଼ାଟିଆଙ୍କ ଠାରୁ ସୁରକ୍ଷିତ ଜମା ଆାଦାୟ କରିବା ଲାଗି ମଧ୍ୟ ସ୍ଥିର ହୋଇଛି। ଇ-ଅକ୍ସନ ବ୍ୟବସ୍ଥା ଦ୍ୱାରା ଅଧିକ ରାଜସ୍ୱ ଆଦାୟ ହେବା ସହ ଆବଣ୍ଟନରେ ସ୍ୱଚ୍ଛତା ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ବିଏମ୍‌ସିର ଏହି ଘରୋଇ-ସରକାରୀ ଭାଗିଦାରୀ ପ୍ରକଳ୍ପ ୧୯୯୯ରେ ଆରମ୍ଭ ହୋଇଥିଲା। ଏହି ମାର୍କେଟ୍‌ ସଂପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ନିର୍ମିତ ହୋଇଛି। ଦୋକାନ ଗୃହ ଭଡ଼ାସୂତ୍ରରେ ପ୍ରଦାନ କରିବା ପାଇଁ ଆଜି କର୍ପୋରେସନ୍‌ର ଅନୁମତି ମିଳିଥିବା ବେଳେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର