ଚନ୍ଦ୍ରଶେଖରପୁରରେ ଘନଘନ ବିଦ୍ୟୁତ କାଟ୍‌

ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ

ଚନ୍ଦ୍ରଶେଖରପୁର: ରାଜଧାନୀରେ ବିଦ୍ୟୁତ କାଟ୍‌ ହେବ ନାହିଁ ବୋଲି ମନ୍ତ୍ରୀ ଓ ବିଭାଗୀୟ ସଚିବ ସାଧାରଣରେ ଘୋଷଣା କରିଥିଲେ ମଧ୍ୟ ଚନ୍ଦ୍ରଶେଖରପୁର ଅଞ୍ଚଳ ସତେ ଯେମିତି ଏହି ନିୟମରୁ ବଞ୍ଚିତ ହୋଇଛି। ପ୍ରବଳ ଗରମରେ ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ ବିଦ୍ୟୁତ କାଟ ଏହି କଷ୍ଟକୁ ବଢ଼ାଇ ଦେଇଛି। ହାଉସିଂବୋର୍ଡ, ପ୍ରଗତି ଏନ୍‌କ୍ଲେଭ୍‌, ଶ୍ରୀବିହାର, ବିଡିଏ, ଡିଷ୍ଟ୍ରିକ୍ଟ୍‌ ସେଣ୍ଟର, ପ୍ରାଚୀ ଏନ୍‌କ୍ଲେଭ୍‌, କେୟାର୍‌ ହସ୍ପିଟାଲ୍‌ ଅଞ୍ଚଳ, ଡମଣା ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ସେସୁ ଚନ୍ଦ୍ରଶେଖରପୁର-୧ ବିଦ୍ୟୁତ ଷ୍ଟେସନ୍‌ର କେତେକ ନିର୍ଦିଷ୍ଟ କର୍ମଚାରୀଙ୍କ ମନମାନି ଯୋଗୁଁ ଏବେ ଉପଭୋକ୍ତା ଦୁର୍ଦଶା ଭୋଗୁଛନ୍ତି।
ସୂଚନା ଅନୁଯାୟୀ, ଏହି ସେକ୍‌ସନ୍‌ ଅଞ୍ଚଳରେ ପ୍ରାୟ ୧୧ ହଜାରରୁ ଊର୍ଧ୍ୱ ଉପଭୋକ୍ତା ରହିଛନ୍ତି। ମାତ୍ର ବାରମ୍ବାର ବିଦ୍ୟୁତ କାଟରେ ଲୋକ ଏବେ ଅସ୍ତବ୍ୟସ୍ତ ହୋଇଗଲେଣି। ଖରା ଦିନରେ ମଧ୍ୟ ତୁହାକୁ ତୁହା ବିଜୁଳି କାଟ ଏହି ଅଞ୍ଚଳରେ ନିତିଦିନିଆ ଘଟଣା ହୋଇଗଲାଣି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି, ଓଲଟା ଖରାପ ବ୍ୟବହାର କରୁଛନ୍ତି। ଲୋକଙ୍କ ଅଭିଯୋଗ ସଂପର୍କରେ ସେକ୍ସନର ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇନଥିଲେ। ସେସୁ ଚନ୍ଦ୍ରଶେଖରପୁର-୧ ବିଦ୍ୟୁତ ଅଫିସ୍‌ର କିଛି କର୍ମଚାରୀଙ୍କ ଜୁଲମ୍‌ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହେଉଛି। ଖରା ଦିନେ ମଧ୍ୟ ବାରମ୍ବାର ବିଜୁଳି ଯାଉଛି। ଦିନ ଅପେକ୍ଷା ରାତିରେ ବେଶି ସମୟ ବିଜୁଳି ଯାଉଛି। ଅଭିଯୋଗ କଲେ କିଛି ଲାଭ ହେଉନି।

ଅନିରୁଦ୍ଧ ଲେଙ୍କା, ଯୁବ ବ୍ୟବସାୟୀ
ବିଜୁଳି କାଟ ଅସହ୍ୟ ହେଲାଣି। ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି। ନୂତନ ସଂଯୋଗ କଥା କହିଲେ ନିୟମ ବାହାରେ ଗୋଟେ ବଡ଼ ଚିଠା ଧରାଯାଉଛି। ବିଭାଗୀୟ ମୁଖ୍ୟ ନିରବଦ୍ରଷ୍ଟା ସାଜିଛନ୍ତି।

ନୀଳକଣ୍ଠ ମହାନ୍ତି, ହାଉସିଂବୋର୍ଡ ବାସିନ୍ଦା
ପ୍ରଚଣ୍ଡ ଗ୍ରୀଷ୍ମରେ ଏପରି ବିଜୁଳି କାଟ କାରଣରୁ ପିଲାଙ୍କ ପାଠପଢ଼ାରେ ସମସ୍ୟା ହେଉଛି। ଯାହାକୁ କହିଲେ ବି ଫଳ ଶୂନ।
ସୁରେଶ ସାମଲ, ଶ୍ରୀବିହାର

ସମ୍ବନ୍ଧିତ ଖବର