ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ : ସାଢ଼େ ୫ଟାରୁ ଦିନ ଚାପ

୧୨ଟାରୁ ସାହାଣମେଲା ଦର୍ଶନ ବନ୍ଦ 

ପୁରୁଣା ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା। ଏଥିପାଇଁ ମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ପ୍ରଶାସନ ପକ୍ଷରୁ ଆଜି ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ୨୨ଦିନ ଧରି ହେବାକୁ ଥିବା ଚାପ ଅପରାହ୍ଣ ସାଢ଼େ ୫ଟାରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୨ଦିନ ଯାକ ମଧ୍ୟାହ୍ନ ୧୨ଟାରୁ ମନ୍ଦିରରେ ସାହାଣମେଲା ଦର୍ଶନ ବନ୍ଦ ରହିବ। ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ପାଲିଙ୍କି ଓ ବିମାନ ପ୍ରସ୍ତୁି କରାଯିବ। ସାଢ଼େ ୫ଟା ସୁଦ୍ଧା ଦିପ୍ରହର ଧୂପ ଶେଷ କରାଯିବ। ଏହାପରେ ଦେବଦେବୀ ବିନ୍ଦୁସାଗର କୂଳକୁ ଯିବେ। ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି।

ତେବେ ବିନ୍ଦୁସାଗରରେ ଦଳ ଭର୍ତ୍ତିକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଚନ୍ଦନ ଯାତ୍ରା ପୂର୍ବରୁ ଦଳ ସଫେଇ ପାଇଁ ଓ ଜଗତିରେ ଲାଇଟ୍‌ ନଥିବାରୁ ଏହାକୁ ମରାମତି କରିବାକୁ ବିଏମ୍‌ସିକୁ ଚିଠି ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ପ୍ରତିବର୍ଷ ପରି ୨୨ଦିନ ଧରି ଠାକୁରଙ୍କ ଯିବା ଆସିବା ସ୍ଥାନରେ ଆମିଷ ବିକ୍ରି ବାରଣ କରାଯାଇଛି। ଯାତ୍ରା ବେଳେ ଦମକଳ ବାହିନୀ ବିନ୍ଦୁସାଗର କୂଳରେ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ହୋଇଛି। ଆସନ୍ତା ୧୬ତାରିଖ ପୂର୍ବରୁ ଚାପ ଡଙ୍ଗା ପ୍ରସ୍ତୁତି କରିବାକୁ ମହାରଣା ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪ ପ୍ରମୁଖ ନିଯୋଗର ପ୍ରତିନିଧିଙ୍କ ସମେତ ଆପଟିଆ, ମହାରଣା ଓ ନାଉରିଆ ସେବାୟତମାନେ ଯୋଗ ଦେଇଥିଲେ।

ପୁଣି ହୋଇପାରେ ପରମ୍ପରା ଭଙ୍ଗ: ଚନ୍ଦନ ଯାତ୍ରାରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀଙ୍କ ସହ କପିଳନାଥ ଯାତ୍ରା ବିଧି ରହିଛି। ଏହାକୁ ଦୃଷ୍ଟିରେ ରଖି ଚନ୍ଦନଯାତ୍ରା ପ୍ରସ୍ତୁତି ବୈଠକରେ କପିଳେଶ୍ୱର ମନ୍ଦିର ପରିଚଳନା କମିଟିକୁ ଡକାଯାଇଥିଲା। ମାତ୍ର ମନ୍ଦିର କମିଟିର କୌଣସି ପ୍ରତିନିଧି ଏଥିରେ ଯୋଗ ଦେଇ ନଥିଲେ। ତେଣୁ ପୁଣି ଚନ୍ଦନ ଯାତ୍ରା ପରମ୍ପରା ଭଙ୍ଗ ହୋଇପାରେ ବୋଲି ସେବାୟତମାନେ ଆଶଙ୍କା କରିଛନ୍ତି।

ଚାଲିଛି ଦଳ ସଫା, ଜଗତି ରଙ୍ଗ: ଚନ୍ଦନ ଯାତ୍ରା ଉପଲକ୍ଷେ ବିଏମ୍‌ସି ପକ୍ଷରୁ ଦଳ ସଫେଇ ଆରମ୍ଭ କରାଯାଇଛି। ୧୦ଜଣ କର୍ମଚାରୀ ଡଙ୍ଗା ସହାୟତାରେ ଦଳଗୁଡ଼ିକ ସଫା କରୁଛନ୍ତି। ସେହିପରି ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଜଗତି ରଙ୍ଗ କରାଯାଉଛି। ଆସନ୍ତା ୧୬ ତାରିଖ ସୁଦ୍ଧା ରଙ୍ଗ କାମ ସରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର