ଦେବୋତ୍ତର ଜମିରେ ଲିଙ୍ଗରାଜ ମାର୍କେଟ, ବିଏମ୍‌ସିକୁ ହେବ ନୋଟିସ

ମନ୍ଦିର ପ୍ରଶାସନର ପଦକ୍ଷେପ ନେଇ ତର୍ଜମା, ବ୍ୟବସାୟୀଙ୍କୁ ଥଇଥାନ ଦାବି

ପୁରୁଣା ଭୁବନେଶ୍ୱର: ଦେବୋତ୍ତର ବିଭାଗ ଜମିରେ ନୂଆ ଲିଙ୍ଗରାଜ ମାର୍କେଟ ଗୃହକୁ ନେଇ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ଆଜି ଦେବୋତ୍ତର ବିଭାଗ ସେହି ଜମିର କାଗଜ ପତ୍ର ଯାଞ୍ଚ କରିଛି। ଏଥିସହ ମନ୍ଦିର ପ୍ରଶାସନ ପଦକ୍ଷେପ ନେଇ ଅନୁଧ୍ୟାନ ଆରମ୍ଭ କରିଛି। ଏନେଇ ବିଏମ୍‌ସିକୁ ଧାରା ୭ ଅନୁଯାୟୀ ନୋଟିସ କରାଯିବ ବୋଲି ଦେବୋତ୍ତର ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଠାକୁରଙ୍କ ସମ୍ପତ୍ତି ଉପରେ ହୋଇଥିବା ଦୋକାନ ଘରେ ସେବାୟତମାନେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଲିଙ୍ଗରାଜ ମନ୍ଦିର ଉତ୍ତର-ପୂର୍ବ କୋଣରେ ନୂଆ ଲିଙ୍ଗରାଜ ମାର୍କେଟ ନିର୍ମାଣ ହୋଇଥିବା ବେଳେ ଏହାର ମୂଳ ମାଲିକ ହେଉଛି ଲିଙ୍ଗରାଜ ମନ୍ଦିର ଅର୍ଥାତ ଦେବୋତ୍ତର ବିଭାଗ। ତେବେ ଏହି ମାର୍କେଟ ପାଇଁ ଦେବୋତ୍ତର ବିଭାଗଠାରୁ ଅନୁମତି ନିଆଯାଇ ନାହିଁ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ରାଜ୍ୟ ସରକାର ଓ ଆଇନ ବିଭାଗକୁ ଚିଠି ଲେଖା ଯାଇଛି। ତେବେ ଆଜି ଏହି ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଦେବୋତ୍ତର ବିଭାଗ ତତ୍ପର ହୋଇ ଉଠିଛି। ମନ୍ଦିର ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ କ’ଣ ପଦକ୍ଷେପ ନେଇଛନ୍ତି ଏନେଇ ତର୍ଜମା ଆରମ୍ଭ କରିବା ସହ ସମ୍ପୃକ୍ତ ଜମିର କାଗଜପତ୍ର ଯାଞ୍ଚ କରାଯାଇଛି। ଦେବୋତ୍ତର ବିଭାଗ ସହାୟକ କମିଶନର ଏହି ଯାଞ୍ଚ କରିଛନ୍ତି। ଟ୍ରଷ୍ଟ ବୋର୍ଡରେ ଏନେଇ କି ପଦକ୍ଷେପ ନିଆଯାଇଛି ତାହା ଜଣାଇବାକୁ ମନ୍ଦିର ପ୍ରଶାସନକୁ କୁହାଯାଇଛି। ଅନ୍ୟପଟେ କିଛି ସେବାୟତ ଦେବୋତ୍ତର କମିଶନରଙ୍କୁ ଭେଟି ଏଥିପ୍ରତି ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଠାକୁରଙ୍କ ଜମି ଉପରେ ଏହା ନିର୍ମାଣ ହୋଇଥିବାରୁ ମନ୍ଦିର ପରିଚାଳନା ପା‌ଇଁ ଏହାର ଲାଭାଂଶ ନମିଳିଲେ ମାର୍କେଟ ଗେଟ୍‌ରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଏହି ମାର୍କେଟ ଜମିର ମୂଳ ମାଲିକ ଲିଙ୍ଗରାଜ ମହାପ୍ରଭୁ ହୋଇଥିବାରୁ ମନ୍ଦିର ପରିଚାଳନା ପାଇଁ ଭାଗ ଦେବା ସହ ପୁରୁଣା ବ୍ୟବସାୟୀଙ୍କୁ ଥଇଥାନ ପାଇଁ ଦାବି କରିଛି ଏକାମ୍ର ଜନ ଜାଗରଣ ମଞ୍ଚ। ବ୍ୟବସାୟୀଙ୍କୁ ତୁରନ୍ତ ଥଇଥାନ କରାନଗଲେ ଆନ୍ଦୋଳନ କରିବାକୁ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଚେତାବନୀ ଦେଇଛନ୍ତି।

ପ୍ରକାଶ ଯେ, ୩ଏକର ୮ଶହ ଡେସିମିଲ ଜମିରେ ମେଗା ସର୍କିଟ୍ ଟୁରିଜିମ ପ୍ରୋଜେକ୍ଟ ମାଧ୍ୟମରେ ୫୮ଟି ଦୋକାନ ଗୃହ, ଏକକାଳୀନ ୮ଶହ ପର୍ଯ୍ୟଟକ ରହିବା ଭଳି ଯାତ୍ରୀ ଆଶ୍ରୟସ୍ଥଳ ନର୍ମାଣ ହୋଇଛି। ବିଏମ୍‌ସିର ପୁରୁଣା ଲିଙ୍ଗରାଜ ମାର୍କେଟ ଭଙ୍ଗା ଯିବାକୁ ଥିବାରୁ ଉକ୍ତ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ବିଏମ୍‌ସିକୁ ୫୦ଟି ଦୋକାନ ଆବଣ୍ଟନ ପାଇଁ ଦିଆଯାଇଛି। ସେହିପରି ଅତିଥି ଭବନକୁ ଭାଗିଦାରୀ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ଯୋଜନା ରହିଛି। ରାସ୍ତା ଚଉଡ଼ା ପାଇଁ କ୍ଷତିଗ୍ରସ୍ତ କିଛି ଲୋକଙ୍କୁ ୮ଟି ଦୋକାନ ପ୍ରଦାନ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, ଜମିର କାଗଜପତ୍ର ଦେବୋତ୍ତର ବିଭାଗକୁ ଦିଆଯିବା ସହ ମନ୍ଦିର ପ୍ରଶାସନ କି ପଦକ୍ଷେପ ନେଇଛି ତାହା ସେ ସମ୍ପର୍କରେ ପୂର୍ବରୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର