ଜାଗର ଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ ସୌନ୍ଦର୍ଯ୍ୟମୟ : ସରିଲା ଫାଇବର ସେଡ୍‌ କାମ, ରଖାଗଲା ୩ ହଜାର ଫୁଲ କୁଣ୍ଡ

ପୁରୁଣା ଭୁବନେଶ୍ବର : ଜାଗର ଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମନ୍ଦିର ସିଂହଦ୍ବାର ଯେପରି ଅଧିକ ଆକର୍ଷଣୀୟ ହେବ ଏନେଇ ସାଜସଜା କରାଯାଉଛି। ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଲାଗି ଫାଇବର ସେଡ୍‌ କାମ ଶେଷ ହୋଇଥିବା ବେଳେ ମନ୍ଦିର ସମ୍ମୁଖ ଦୁଇ ପାର୍ଶ୍ବରେ ଚେୟାର ପକାଯାଇଛି। ୩ହଜାର ଫୁଲ କୁଣ୍ଡ ଓ ଛୋଟ ଗଛ ରଖାଯାଇଛି।

ଶ୍ରୀଲିଙ୍ଗରାଜ ମନ୍ଦିର ମେଘନାଦ ପାଚେରି, ମନ୍ଦିର ନିକଟ ଛୋଟ ଛୋଟ ମନ୍ଦିର, ଗଛ ଓ ଦେବୀପାଦହରା ପୁଷ୍କରିଣୀ ଚାରିପଟକୁ ଆଲୋକମାଳାରେ ସଜା ଚାଲିଛି। ଏଥିସହ ଗଛରେ ରଙ୍ଗ ମଧ୍ୟ କରାଯାଉଛି। ପୁଲିସ କଣ୍ଟେନର ଓ ସୂଚନା କେନ୍ଦ୍ର କଣ୍ଟେନରକୁ ମଧ୍ୟ ବିଭିନ୍ନ ଚିତ୍ରରେ ଚିତ୍ରିତ କରାଯାଉଛି। ମନ୍ଦିର ପରିସରରେ ନୂତନ ଚାନ୍ଦୁଆ ଲଗା କାମ ଆରମ୍ଭ ହୋଇଛି।

 

ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସମସ୍ୟା : ଭାସୁଛି ଡ୍ରେନ୍‌ ପାଣି, ରାସ୍ତାରେ ଷଣ୍ଢ ମାଳମାଳ
ପୁରୁଣା ଭୁବନେଶ୍ୱର : ଦିନକ ପରେ ମହାଶିବରାତ୍ରି। ମହାପ୍ରଭୁଙ୍କ ଜାଗରଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତେବେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯିବାକୁ ଦୁଇଟି ମୁଖ୍ୟ ରାସ୍ତାକୁ ବାଦ୍‌ ଦେଲେ ଅନ୍ୟ ସବୁ ରାସ୍ତାରେ ରହିଛି ବିଭିନ୍ନ ସମସ୍ୟା। ଲିଙ୍ଗରାଜ ମନ୍ଦିରରୁ ନବୀନ ନିବାସ ଆଡ଼କୁ ଯାଇଥିବା ରାସ୍ତାରେ ସ୍ବେରେଜ୍‌ ପାଣି ଭାସିବା ସହ ରାସ୍ତାର ଆନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟରେ ଲାଇଟ୍‌ ନାହିଁ। ସେହି ରାସ୍ତା ଖାଲ ଖମା ହୋଇ ପଡ଼ି ରହିଛି। ସେହିପରି ଲିଙ୍ଗରାଜ ହାଟ ମଧ୍ୟ ଦେଇ ଲିଙ୍ଗରାଜ ଥାନା କଡ଼ରେ ମହତାବ ରୋଡ୍‌କୁ ଯିବାକୁ ରାସ୍ତା ଖାଲ ଖମା ସହ ବନ୍ଦ ରହିଛି। ସ୍ବେରେଜ୍‌ ବିଭାଗ ପକ୍ଷରୁ ସ୍ବେରେଜ୍‌ କାମ ଚାଲୁଥିବାରୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେହିପରି ସମାନ ଅବସ୍ଥା ରହିଛି କୋଟି ତୀର୍ଥେଶ୍ବର ପ୍ରଭୁ ଗଳିରେ। ବିନ୍ଦୁସାଗରରୁ ତୀର୍ଥେଶ୍ବର ମଧ୍ୟଦେଇ ଏହି ରାସ୍ତାରେ ସହଜରେ ଲୁଇସ୍‌ ରୋଡ୍‌କୁ ଯିବା ସୁବିଧା ଥିବା ବେଳେ ରାସ୍ତା ଖାଲ ଖମା ହେବା ସହ ବନ୍ଦ ରହିଛି। ସ୍ବେରେଜ୍‌ ବିଭାଗ ପକ୍ଷରୁ କାମ ଚାଲୁଥିବାରୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି। ମନ୍ଦିର ନିକଟରୁ ସବୁ ଷଣ୍ଢଙ୍କୁ ଧରି ଅନ୍ୟତ୍ର ନେବା ପାଇଁ ଘୋଷଣା କରାଯାଇଥିବା ବେଳେ ଷଣ୍ଢଙ୍କ ଉତ୍ପାତ ଲାଗି ରହିଛି।

ସମ୍ବନ୍ଧିତ ଖବର