ଶ୍ରୀଲିଙ୍ଗରାଜ ମନ୍ଦିରରେ ଧନୁ ସଂକ୍ରାନ୍ତିରେ ଅବଢ଼ା ମିଳିବା ନେଇ ଅନିଶ୍ଚିତତା

ପୁରୁଣା ଭୁବନେଶ୍ୱର: ଆସନ୍ତା ସୋମବାର ଧନୁ ସଂକ୍ରାନ୍ତି। ଏହି ଦିନରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳୁ ଅବଢ଼ା ମିଳିବା ପାଇଁ ବିଧି ରହିଥିବା ବେଳେ ଏଥିପାଇଁ ମନ୍ଦିର ପ୍ରଶାସନ ମଧ୍ୟ ପ୍ରସ୍ତୁତି ଚଳାଇଛି। ତେବେ ନିଯୋଗ ମୁଖ୍ୟ ଟ୍ରଷ୍ଟବୋର୍ଡର ସଭ୍ୟ ନଥିବାରୁ ବୈଠକରେ ସାମିଲ ହୋଇ ନାହାନ୍ତି। ସେମାନେ ଏଥିପାଇଁ କୌଣସି ଦାୟିତ୍ବ ନେଇ ପାରିବେ ନାହିଁ ବୋଲି କହିଛନ୍ତି। ଯାହା ଫଳରେ ସକାଳୁ ଅବଢ଼ା ମିଳିବା ନେଇ ଅନିଶ୍ଚିତତା ଦେଖା ଦେଇଛି।

ମଳିଥିବା ସୂଚନା ଅନୁଯାୟୀ ଧନୁ ସଂକ୍ରାନ୍ତି ପାଇଁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୫ଟାରୁ ମଙ୍ଗଳ ଆଳତି କରାଯାଇ ହୋମ, ୬ଟା ମହାସ୍ନାନ, ୭ଟା ମଧ୍ୟରେ ସକାଳ ଧୂପ ସମାପନ କରାଯିବ। ସକାଳ ୯ଟାରେ ଭୋଗ ମଣ୍ଡପ ସମାପନ କରାଯାଇ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ସାହାଣମେଲା କରାଯିବ। ସର୍ବସ‌ାଧାରଣଙ୍କ ପାଇଁ ସକାଳ ୯ଟାରୁ ଅବଢ଼ା ବିକ୍ରି କରାଯିବ। ତେବେ ସଅଳ ଧୂପ ପାଇଁ ସବୁ ସେବାୟତଙ୍କ ସହଯୋଗ ଆବଶ୍ୟକ। ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ନିଯୋଗ ପ୍ରମୁଖଙ୍କ ସହ ଆଲୋଚନା କରିବା ପାଇଁ ଚିଠି ପଠାଇଥିଲା। ତେବେ ତିନି ନିଯୋଗର ସମ୍ପାଦକ ଏହି ଚିଠିକୁ ରଖିନଥିଲେ କିମ୍ବା ବୈଠକକୁ ଆସିନଥିଲେ। ବାଧ୍ୟ ହୋଇ ମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଘୋଷଣା କରିଛି। ଏନେଇ ବ୍ରହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି, ଯେହେତୁ ନିଯୋଗ ପ୍ରତିନିଧି ଟ୍ରଷ୍ଟ ବୋର୍ଡରେ ସଦସ୍ୟ ନୁହନ୍ତି ମନ୍ଦିର ପ୍ରଶାସନ ବୈଠକ ଡାକିଲେ ଆମେ କେଉଁ ଅଧିକାରରେ ଯିବୁ। ଆମେ କୌଣସି ଦାୟିତ୍ବ ନେଇ ପାରିବୁ ନାହିଁ କି ନୀତି ବିଶୃଙ୍ଖଳା ହେଲେ ଦାୟୀ ରହିବୁ‌ ନାହିଁ।

ସମ୍ବନ୍ଧିତ ଖବର