ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଖୋଲିବ ଇ-ଆକାଉଣ୍ଟ୍‌

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଖୋଲିବ ୱେବ୍‌ ସାଇଟ୍ ଓ ଇ-ଆକାଉଣ୍ଟ୍‌। ଟ୍ରଷ୍ଟବୋର୍ଡ ବୈଠକର ନିଷ୍ପତ୍ତି ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆହ୍ଲାବାଦ୍‌ ବ୍ୟାଙ୍କ ପକ୍ଷରୁ ଇ-ଆକାଉଣ୍ଟ୍ ଖୋଲାଯିବ। ଆସନ୍ତା ସପ୍ତାହକ ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ଏହାର ଲିଙ୍କ୍ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଭକ୍ତ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ଠାକୁରଙ୍କ ନାମରେ ଟଙ୍କା ପଠାଇ ପାରିବ। ଟ୍ରଷ୍ଟ ବୋର୍ଡର ଜଣେ ସଭ୍ୟଙ୍କ ସୂଚନା ଅନୁଯାୟୀ ଇ-ଆକାଉଣ୍ଟ୍ ଖୋଲିବା ପାଇଁ ୩୬ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଜଣେ ଭକ୍ତ ଏହାକୁ ଦାନ ସୂତ୍ରରେ ପ୍ରଦାନ କରିବେ। ଆହ୍ଲାବାଦ୍‌ ବ୍ୟାଙ୍କ୍‌ର ସର୍ବଭାରତୀୟ ମୁଖ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସିଥିବା ବେଳେ ଏପରି ପ୍ରସ୍ତାବ ଦେଇଥିଲେ। ସେହିପରି ମନ୍ଦିରର ସ୍ବତନ୍ତ୍ର ୱେବ୍‌ ସାଇଟ୍ ଖୋଲିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନେସ୍‌ନାଲ୍‌ ଇନ୍‌ଫର୍ମ ସେଣ୍ଟର୍‌ ପକ୍ଷରୁ ୱେବ୍‌ ସାଇଟ୍ ପ୍ରସ୍ତୁତ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ୱେବ୍‌ ସାଇଟ୍ ଦ୍ବାରା ଶ୍ରୀଲିଙ୍ଗରାଜ ମନ୍ଦିର ବିଶ୍ବ ପର୍ଯ୍ୟଟନରେ ସ୍ଥାନିତ ହେବା ସହ ବିଶ୍ବର ଯେକୌଣସି ସ୍ଥାନରୁ ମନ୍ଦିର ସଂପର୍କରେ ଜାଣିହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରର ଆପ୍ସ ଖୋଲାଯିବ ବୋଲି ଜଣା ପଡ଼ିଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ପୁତ୍ର ସିଦ୍ଧାର୍ଥ ଦାସ ଏହି କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବେ।

ସମ୍ବନ୍ଧିତ ଖବର