ମାସକରେ ୪ଥର ନୀତି ବିଳମ୍ବ, ଦେବୋତ୍ତର ବିଭାଗକୁ ଚିଠି ଲେଖିଲା ମନ୍ଦିର ପ୍ରଶାସନ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଚଳିତ ମାସରେ ୪ଥର ନୀତି ବିଳମ୍ବ ହୋଇଛି। ଏଥିପାଇଁ ଦେବୋତ୍ତର ବିଭାଗକୁ ମନ୍ଦିର ପ୍ରଶାସନ ଚିଠି ଲେଖିଛି। ତେବେ ୪ଥର ନୀତି ବିଳମ୍ବ ହେବା ନେଇ କିଛି ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ୨ଥର ନୀତି ବିଳମ୍ବ ହୋଇଥିଲା। ଗୋଟିଏଥର ମନ୍ଦିର ଭିତର କୋଠ ରୋଷ ଚୁଲି ଭାଙ୍ଗି ଯିବାରୁ ବିଳମ୍ବ ହୋଇଥିଲା। ‌ସେଦିନ ଚୁଲି ତିଆରି ପରେ ରୋଷ କାମ ଆରମ୍ଭ ହୋଇଥିଲା। ଫଳରେ କିଛି ଘଣ୍ଟା ନୀତି ବିଳମ୍ବ ହୋଇଥିଲା। ସେହିପରି ମହାପ୍ରଭୁଙ୍କ ମୂଲ୍ୟବାନ ଜମି ଜବରଦଖଲ ଯୋଗୁଁ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଏହାର ପ୍ରତିବାଦରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ନୀତିରେ ଅସହଯୋଗ କରିଥିଲେ। ଯାହା ଫଳରେ ସେପ୍ଟେମ୍ବର ୩ ତାରିଖ ସକାଳୁ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଥିଲା। ତେବେ ଜବରଦଖଲ ଜମିରେ କାର୍ଯ୍ୟ ବନ୍ଦ ସହ ଏହାକୁ ତଦନ୍ତ କରି ପୁନରୁଦ୍ଧାର କରିବାକୁ ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ପ୍ରତିଶ୍ରୁତି ଦେବା ପରେ ନୀତି ତହିଁ ଆରଦିନ ସ୍ବାଭାବିକ ହୋଇଥିଲା। ଗତ ଗରୁବାର ଗୁଜୁରାଟର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଥିବା ବେଳେ ତାଙ୍କ ପେଟ ଖରାପ ଯୋଗୁଁ ସେ ମନ୍ଦିରରେ ମଳତ୍ୟାଗ କରିଥିଲେ। ଏହା ସେବାୟତ ଜାଣିବା ପରେ ମନ୍ଦିର କାର୍ଯ୍ୟାଳୟକୁ ଜଣାଇଥିଲେ। ପରେ ସଫେଇ ହେବା ସହ ଚୂନ ପାଣି ପକାଯିବା ପରେ ନୀତି ଆରମ୍ଭ ହୋଇଥିଲା ବୋଲି ଜଣେ ବରିଷ୍ଠ ସେବାୟତ କହିଛନ୍ତି। ସେହିପରି ଗତକାଲି ମନ୍ଦିରରେ କୁକୁର ପଶି ଯିବାରୁ ନୀତି ବିଳମ୍ବ ହୋଇଥିଲା। ଏନେଇ ଦେବୋତ୍ତର ବିଭାଗକୁ ମନ୍ଦିର ପ୍ରଶାସନ ଚିଠି ଲେଖିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ କୁହନ୍ତି ବିଭିନ୍ନ ସମୟରେ ନୀତି ବନ୍ଦ ସମ୍ପର୍କରେ ଦେବୋତ୍ତର ବିଭାଗକୁ ଚିଠି ଲେଖା ଯାଇଛି।

ସମ୍ବନ୍ଧିତ ଖବର