ଶ୍ରୀଲିଙ୍ଗରାଜ ମନ୍ଦିର ହୁଣ୍ଡିରୁ ଚୋରି, ଧରାପଡ଼ିଲା ଚୋର

କେଦାରଗୌରୀ ମନ୍ଦିରରୁ ଚୋରି ପାଇଁ ଛକି ବସିଥିଲା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଜଗମୋହନଠାରେ ଥିବା ହୁଣ୍ଡିରୁ ଚୋରି କରିଥିବା ଚୋର ଧରାପଡ଼ିଛି। କେଦାରଗୌରୀ ମନ୍ଦିରର ସେବକମାନେ ତାକୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ସେ ହେଲା ବଲାଙ୍ଗୀର ଟାଉନ୍‌ ଥାନା ଅଧୀନ ମାଲପଡ଼ା ଅଞ୍ଚଳର ବସନ୍ତ ଗୌଡ଼। ତେବେ ସେ ଏଠାରେ ବରମୁଣ୍ଡାରେ ରୁହେ। ଶ୍ରୀଲିଙ୍ଗରାଜ ଥାନା ପୁଲିସ ତାକୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ତେବେ ସେ ହୁଣ୍ଡିରୁ କେତେ ଟଙ୍କା ଚୋରାଇ ନେଇଛି ସେ ସଂପର୍କରେ କିଛି ତଥ୍ୟ ମିଳି ପାରି ନାହିଁ। ଶ୍ରୀଲିଙ୍ଗରାଜ ମନ୍ଦିର ହୁଣ୍ଡିରୁ ଚୋରି କରିବାରେ ସଫଳ ହେବା ପରେ ସେ କେଦାରଗୌରୀ ମନ୍ଦିରରୁ ଚୋରି କରିବାକୁ ସୁଯୋଗ ଅପେକ୍ଷାରେ ଥିଲା। ତେବେ ସେବାୟତମାନେ ତାକୁ ମାଡ଼ି ବସିଥିଲେ। ୧୬ତାରିଖ ପୂର୍ବାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିର ଜଗମୋହନଠାରେ ଥିବା ହୁଣ୍ଡି ଖୋଲା ଯାଇଥିଲା। ସେଥିରୁ ୮ଟି କାଗଜ ଠୋଲା ବାହାରିଥିଲା। ଏହା ଜଣା ପଡ଼ିବା ପରେ ହୁଣ୍ଡି ଉପରେ ନଜର ରଖିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇ ଜଣ କର୍ମଚାରୀଙ୍କୁ ନିର୍ଦେଶ ଦିଆଯିବା ସହ ଥାନାରେ ଏତଲା ଦିଆଯାଇଥିଲା। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଯାଞ୍ଚ କରିଥିଲା।

ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଦୁର୍ବୃତ୍ତ ଜଣକ କେଦାରଗୌରୀ ମନ୍ଦିର ପରିସରରେ ବସିଥିଲା। କେଦାରେଶ୍ବର ଓ ଗୌରୀ ମନ୍ଦିରର ଦାନ ଥାଳିକୁ ବାରମ୍ବାର ନଜର କରୁଥିଲା। ଏହା ଦେଖି ଗୌରୀ ମନ୍ଦିରର ସେବକ ଲୁଲୁ ମହାପାତ୍ରଙ୍କ ସନ୍ଦେହ ହୋଇଥିଲା। ସେ ତୁରନ୍ତ ମନ୍ଦିର ଟ୍ରଷ୍ଟବୋର୍ଡ ସଭ୍ୟ ବିରଞ୍ଚି ପତିଙ୍କୁ ଖବର ଦେଇଥିଲେ। ବିରଞ୍ଚି ମଧ୍ୟ ତା ଉପରେ ସନ୍ଦେହ କରିଥିଲେ। ପରେ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ। ସେ ଚୋରି କରିଥିବା ସ୍ବୀକାର କରିବାପରେ ପୁଲିସ ତାକୁ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟ ମନ୍ଦିର ହୁଣ୍ଡିରୁ ମଧ୍ୟ ସେ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ଲୁଟ୍ ସଂପର୍କରେ ମୁହଁ ଖୋଲି ନାହାନ୍ତି। ଗତ ସଂକ୍ରାନ୍ତି ତିଥିରେ ଦୁର୍ବୃତ୍ତ ଜଣକ ଭିଡ଼ର ସୁଯୋଗ ନେଇ ହୁଣ୍ଡି ପାଖରେ ଠିଆ ହୋଇ ଏପରି ଲୁଟ୍ କରୁଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ତେବେ ମହାଶିବରାତ୍ରି ପୂର୍ବରୁ ସେଥିରେ ଠୋଲା ଲାଗାଯାଇଥିଲା କି ନାହିଁ ସେ ନେଇ ପ୍ରଶାସନ ତଦନ୍ତ କରିନାହିଁ ବୋଲି କିଛି ସେବାୟତ ଅଭିଯୋଗ କରିଛନ୍ତି। ସେହିପରି ଗତବର୍ଷ ମହାଶିବରାତ୍ରି ପରେ ହୁଣ୍ଡିରୁ କେତେ ଟଙ୍କା ବାହାରିଥିଲା ସେ ସଂପର୍କରେ କହିବାକୁ ପ୍ରଶାସନ ନାରାଜ। ଗତବର୍ଷ ଓ ଚଳିତ ବର୍ଷର ହୁଣ୍ଡି ଆୟକୁ ତୁଳନା କଲେ କେତେ ଟଙ୍କା ଚୋରି ହୋଇଛି ତାହା ଅନୁମାନ କରିହେବ। ତେବେ ଏହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବର ପାଇ ଦେବୋତ୍ତର କମମିସନର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସୁରକ୍ଷା ନେଇ ଥାନା ଆଗରେ ବିକ୍ଷୋଭ
ପୁରୁଣା ଭୁବନେଶ୍ବର: ମନ୍ଦିରରେ ସୁରକ୍ଷା ନେଇ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଆଜି ଶ୍ରୀଲିଙ୍ଗରାଜ ଥାନା ଆଗରେ ବିକ୍ଷୋଭ କରାଯିବା ସହ ପୁଲିସ କମିସନରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେବଳ ଶିବରାତ୍ରି ଆସିଲେ ଏଠାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହୁଏ। ମନ୍ଦିରରେ ସିସିଟିଭି ଲାଗିଥିଲେ ମଧ୍ୟ କେହି ତଦାରଖ କରନ୍ତି ନାହିଁ। ସେହିପରି ଦୀର୍ଘ ଦିନ ହେଲା ମେଟାଲ ଡିଟେକ୍ଟ୍‍ର କାମ କରୁ ନଥିବା ବେଳେ ମନ୍ଦିର ଚାରିପଟେ ୱାଚ ଟାୱାର ବ୍ୟବସ୍ଥା ଅଟକି ରହିଛି। ମନ୍ଦିର ଭିତରେ ଥିବା ଫାଣ୍ଡି କାମରେ ଆସୁ ନାହିଁ। ମନ୍ଦିର ଆଗରେ ଗାଡ଼ି ପାର୍କିଂ କରାଯାଉଛି। ମନ୍ଦିରରେ ଭିତରର ଫଟୋ ବାରମ୍ବାର ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ମନ୍ଦିରର ସୁରକ୍ଷା ନେଇ କେହି ଚିନ୍ତିତ ନୁହନ୍ତି। ଏସବୁ ପ୍ରତି ଦୃଷ୍ଟି ଦିଆ ନଗଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ହିମାଂଶୁ ହୋତା, ଗୋପୀନାଥ ପ୍ରଧାନ, ମୃତ୍ୟୁଞ୍ଜୟ ମହାନ୍ତି, ଅମର ପ୍ରସାଦ ଦାସ, ସୁଲତା ସାହାଣୀ, ସ୍ବପ୍ନାରାଣୀ ସାମଲ, ସଞ୍ଜୁଲତା ପଟ୍ଟନାୟକ, ବିଷ୍ଣୁପ୍ରିୟା ଜେନା, ସଂଯୁକ୍ତା ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର