ସୋମବାର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ବଡ଼ ଉଚ୍ଛେଦ : ଜବରଦଖଲରେ ଥିବା ୨୨୫ ଦୋକାନ ଭଙ୍ଗା ହେବ, ମନ୍ଦିର ନିକଟରୁ ସବୁ ଜବରଦଖଲ ହଟିବ

ରାସ୍ତାରେ ନିଆଁ ଜାଳି ଉଠା ଦୋକାନୀଙ୍କ ପ୍ରତିବାଦ

ଭୁବନେଶ୍ବର/ପୁରୁଣା ଭୁବନେଶ୍ବର : ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଶୁକ୍ରବାର ରାସ୍ତା ଓସାର ପାଇଁ ଅନନ୍ତ ବାସୁଦେବ ମନ୍ଦିରର ଅର୍ଦ୍ଧନିର୍ମିତ ରୋଷଘର ଭଙ୍ଗା ଯାଇଛି। ହେଲେ ବଡ଼ ଧରଣର ଉଚ୍ଛେଦ ସୋମବାର ହେବାକୁ ଯାଉଛି। ଏ ନେଇ ପ୍ରଶାସନ ପକ୍ଷରୁ ଏକ ପ୍ରଚାର ଗାଡ଼ି ବୁଲି ପ୍ରଚାର କରିଛି। ଏଥିରେ ଯଦିଓ ରାସ୍ତା କଡ଼ ଜବରଦଖଲ କରିଥିବା ଦୋକାନୀଙ୍କୁ ଉଠିଯିବାକୁ କୁହାଯାଇଛି କିନ୍ତୁ ବିଏମ୍‌ସି, ବିଡିଏ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନର ଅମିନଙ୍କ ଦ୍ବାରା ମାପଚୁପ ହୋଇ ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକୁ ବୁଲଡୋଜର୍‌ ଲଗାଇ ଭାଙ୍ଗିବାକୁ ପ୍ରଶାସନ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ କମିସନରେଟ୍ ପୁଲିସ୍‌କୁ ଆବଶ୍ୟକ ଫୋର୍ସ ଯୋଗାଇ ଦେବାକୁ କୁହାଯାଇଛି।

ସୋମବାର ବଡ଼ ଧରଣର ଉଚ୍ଛେଦ ହେବାକୁ ପ୍ରଚାର ହେବା ପରେ ଆଜି ବ୍ୟବସାୟୀ ସଂଘ, ସ୍ଥାନୀୟ ଲୋକ ଏବଂ ୧୨ସାହିର ମୁରବି ମେଳି ବାନ୍ଧିଛନ୍ତି। ଯେପରି ପ୍ରଶାସନ ତାଙ୍କ ଦୋକାନ ଓ ଘର ଉପ‌ରେ ହାତ ନ ମାରିବ, ସେନେଇ ସଜବାଜ ହୋଇଛନ୍ତି। ଏପରିକି ଉଠା ଦୋକାନୀମାନେ ରାସ୍ତାରେ ଟାୟାର ଜାଳି ଉଚ୍ଛେଦକୁ ପ୍ରତିବାଦ କରିଥିଲେ। ପୁଲିସ ଆସି ବୁଝାସୁଝା କରିବା ପରେ ସେମାନେ ବିକ୍ଷୋଭରୁ ହଟିଥିଲେ। ଜଟଣୀ ବିଧାୟକ ସୁର ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କୁ ବୁଝାସୁଝା କରିବା ସହ ପ୍ରଶାସନକୁ ପୁରୀ ଭଳି କଠୋର ପଦକ୍ଷେପ ନ ନେବାକୁ ଚେତାବନୀ ଦେଇଥିଲେ।

ଶନିବାର ଓ ରବିବାର ଏହି ଉଚ୍ଛେଦ କରିବାକୁ ଯୋଜନା ହୋଇଥିଲେ ହେଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ଯୋଗୁଁ ଏହି ଉଚ୍ଛେଦ ସୋମବାରକୁ ଘୁଞ୍ଚାଇ ଦିଆଯାଇଛି।

 

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ମାସକ ତଳେ ବିଏମ୍‌ସି, ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବିନ୍ଦୁସାଗର ଏବଂ ଏହା ନିକଟରେ ଥିବା କିଛି ମନ୍ଦିରକୁ ଲାଗି ରହିଥିବା ରାସ୍ତା କଡ଼ର ସର୍ଭେ ହୋଇଥିଲା। ଏଥିରେ ଜଣାପଡ଼ିଥିଲା ଯେ ୨୨୫ଜଣ ବ୍ୟବସାୟୀ ଜବରଦଖଲ‌ରେ ଅଛନ୍ତି। ଯେତିକି ସ୍ଥିତିବାନ ଜମି ଅଛି, ତା’ଠାରୁ ଢେର୍ ଅଧିକ ରାସ୍ତାକୁ ମାଡ଼ି ଦୋକାନ କରିଛନ୍ତି। ଏହି ବ୍ୟବସାୟୀମାନଙ୍କୁ ଜବରଦଖଲ ଉଚ୍ଛେଦ କରିବାକୁ ବିଡିଏ ପକ୍ଷରୁ ନୋଟିସ୍‌ ହୋଇଛି। ଏପରିକି ଅମିନମାନେ ମାପଚୁପ କରି ଚିହ୍ନ ଦେଇଦେଇଛନ୍ତି। ସୋମବାରଠାରୁ ଏହି ଚିହ୍ନ ଅନୁଯାୟୀ ଜବରଦଖଲଗୁଡ଼ିକୁ ଉଚ୍ଛେଦ କରାଯିବ।

ଅପରପକ୍ଷେ ଆଜି ମଧ୍ୟାହ୍ନରେ ଉଠାଦୋକାନୀଙ୍କୁ ଉଚ୍ଛେଦ ନେଇ ପ୍ରଚାର ଗାଡ଼ି ବୁଲିବା ପରେ ଉଠା ଦୋକାନୀମାନେ ଏହାର ପ୍ରତିବାଦ କରି ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାସ୍ତାରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେତେକ ଯୁବକ ପ୍ରଚାର ଗାଡ଼ିରେ ଆସିଥିବା ବିଡିଏ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ। ସେପଟେ ସ୍ଥାୟୀ ଦୋକାନୀମାନେ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଅପେକ୍ଷା କରି ନିରାଶ ହୋଇ ଫେରିଥିଲେ। ଅଯଥାରେ ଦୋକାନ ଭାଙ୍ଗିବା ବନ୍ଦ କରିବା ଓ ଉଠାଦୋକାନୀଙ୍କୁ ଥଇଥାନର ପ୍ରତିଶ୍ରୁତି ନଦେଲେ ଉନ୍ନତିମୂଳକ କାର୍ଯ୍ୟ କରାଇଦେବୁ ନାହିଁ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଦୋକାନ ଭଙ୍ଗା ହେବା ଖବର ପ୍ରଚାର ପରେ ସମସ୍ତ ଉଠା ଦୋକାନୀ ଓ ସ୍ଥାୟୀ ଦୋକନୀ ମନ୍ଦିର କାର୍ଯ୍ୟାଳୟକୁ ଆସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିବାକୁ ଖୋଜିଥିଲେ। ବ୍ୟବସାୟୀମାନେ ଜାଣିବାକୁ ଚାହିଥିଲେ ଯେ ପ୍ରକୃତରେ କେଉଁ ସ୍ଥାନରୁ ଉଚ୍ଛେଦ ହେବ। କିନ୍ତୁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ଶେ‌ଷରେ ନିରାଶ ହୋଇ ଫେରିଥିଲେ।

‌ଲୋକଙ୍କ ଜୀବନ, ଜୀବିକାକୁ ଗୁରୁତ୍ବ ଦିଆଯିବ: ଅଶୋକ ପଣ୍ଡା

ଶ୍ରୀଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପ୍ରସଙ୍ଗ ଚର୍ଚ୍ଚାରେ ଥିଲା ବେଳେ ଏ ନେଇ ମତ ରଖିଛନ୍ତି ସ୍ଥାନୀୟ ବିଧାୟକ ତଥା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ସେ କହିଛନ୍ତି, ଏକାମ୍ର କ୍ଷେତ୍ରକୁ ବିଶ୍ବ ସ୍ତରରେ ପରିଚିତ କରିବା ଲାଗି ଏହାର ପାରିପାର୍ଶ୍ବିକ ବିକାଶର ଆବଶ୍ୟକତା ରହିଛି। ମନ୍ଦିରର ପାରିପାର୍ଶ୍ବିକ ‌େସୗନ୍ଦର୍ଯ୍ୟକରଣ କରିବାକୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ଏହି ଯୋଜନାରେ ସଂସ୍କୃତି, ଐତିହ୍ୟ ସୁରକ୍ଷା‌ ସହିତ ଲୋକଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯିବ। ଲୋକଙ୍କ ଜୀବନ, ଜୀବିକାକୁ ଗୁରୁତ୍ବ ଦିଆଯିବ। ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ସରକାର ଖୁବ୍ ଶୀଘ୍ର ସ୍ବତନ୍ତ୍ର ଆଇନ ପ୍ରଣୟନ କର‌ିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହାର କମିଟି ଗଠନ ପ୍ରକ୍ରିୟା‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କମିଟି ଗଠନ ପରେ ସ୍ବତନ୍ତ୍ର ଆଇନ୍‌ର ରୂପରେଖ କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର