ନନ୍ଦନକାନନରେ ସିଂହ ପିଚ୍ଛାନ୍‌ ଅସୁସ୍ଥ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ପିଚ୍ଛାନ୍‌(୨୧) ଅସୁସ୍ଥ ହୋଇ ପଡ଼ିଛି। ତାକୁ ସିଂହ ସଫାରିର ଖାଦ୍ୟ ଗ୍ରହଣ କକ୍ଷରେ ରଖି ଚିକିତ୍ସା କରାଯାଉଛି। ସେ ଚାଲିବୁଲି ପାରୁନି। ତାର ଅଧିକାଂଶ ଦାନ୍ତ ଝଡ଼ି ପଡ଼ିଛି। ଫଳରେ ସେ ଠିକ୍‌ରେ ଖାଦ୍ୟ ଓ ପାନୀୟ ଗ୍ରହଣ କରିପାରୁ ନାହିଁ। ଜନ୍ତୁରକ୍ଷକମାନେ ତାକୁ ହାତରେ ଛୋଟ ଛୋଟ ଚିକେନ ଖଣ୍ଡ ଖୁଆଇ ଦେଉଛନ୍ତି। ହଜମ ଶକ୍ତି ହରାଇ ବସିଥିବାରୁ ତାର ତରଳ ଝାଡ଼ା ମଧ୍ୟ ହେଉଛି। ଫଳରେ ପିଚ୍ଛାନ୍‌ ଦିନକୁ ଦିନ ଅଧିକ ଦୁର୍ବଳ ହୋଇ ପଡ଼ୁଛି। ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ତାକୁ ପାଣିରେ ଆଣ୍ଟ ଷ୍ଟ୍ରେସ୍‌ ଓ ଖାଦ୍ୟରେ ଏନଜାଇମ୍, ଭିଟାମିନ୍ ମିଶ୍ରିତ ଔଷଧ ଦେଇ ଚିକିତ୍ସା କରୁଛନ୍ତି। ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବାରୁ ସେ ଏପରି ଅସୁସ୍ଥ ହୋଇ ପଡ଼ିଥିବା ନନ୍ଦନକାନନ କର୍ତୃପକ୍ଷ କହିଛନ୍ତି। ପିଚ୍ଛାନ୍‌ ୧୯୯୮ ମସିହା ଏପ୍ରିଲ ମାସ ୨୪ ତାରିଖରେ ଜନ୍ମ ଲାଭ କରିଥିଲା। ତାକୁ ଗୁଜୁରାଟର ଜୁନାଗଡ଼ରୁ ନନ୍ଦନକାନନକୁ ଅଣାଯାଇଥିଲା। ସିଂହମାନେ ସାଧାରଣତଃ ଜଙ୍ଗଲ ମଧ୍ୟରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିବା ନେଇ ବନ୍ୟ ପ୍ରାଣୀ ବିଶେଷଜ୍ଞଙ୍କର ମତ ରହିଛି। ନନ୍ଦନକାନନରେ ବର୍ତ୍ତମନ ୫ ସିଂହ ଓ ୭ଟି ସିଂହୀ ଅଛନ୍ତି।

ସମ୍ବନ୍ଧିତ ଖବର