ସାଥୀ ଖୋଜୁଛନ୍ତି ମଦ୍ୟପ : ଚିହ୍ନା ନାହିଁ ଜଣା ନାହିଁ, ଦୋକାନ ଆଗରେ ଭାଇଭାଇ

‌ଦୋକାନ ଆଗରେ ତିଆରି ହେଉଛି ତାଲିକା, ଗୋଟିଏ ନୁହେଁ, ପେଟିଏ କିଣୁଛନ୍ତି

ଭୁବନେଶ୍ୱର : ଅନ୍‌ଲାଇନ୍‌ ମଦ ବେପାରକୁ ନେଇ ଚର୍ଚ୍ଚା ଥମୁନି। ଅନ୍‌ଲାଇନ୍‌ ବେପାର ନାଁରେ ଦୋକାନ ଦୁଆର ମୁହଁରେ ମଦ ଡେଲିଭରି ହେଉଛି। ହେଲେ ଦୋକାନୀ ଡେଲିଭରି ଚାର୍ଜ ନେଇ ସରକାରଙ୍କ ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ କରୁଛି। ଫସିଛି ମଦୁଆ। ଘୋଡ଼ା ଛ’ କୁ ଦାନା ନ’ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଡେଲିଭରି ଚାର୍ଜରୁ କିଛି ପରିମାଣ ମୁକ୍ତି ପାଇବା ପାଇଁ ଗୋଟିଏ ମଦ ନ କିଣି ମଦୁଆ ପେଟିଏ କିଣିବାକୁ ବସୁଛି। ଏଥିପାଇଁ ମଦୁଆ ସାଥୀ ଖୋଜୁଛି। ଦୋକାନ ଦୁଆର ମୁହଁରେ ସାଥୀ ଯୋଗାଡ଼ ହେଉଛନ୍ତି। ଏକାଠି ୧୦ ଜଣ ହେଲେ ପଇସା ଆଦାୟ ହୋଇ ପେଟି କିଣା ହେଉଛି। ବିଭିନ୍ନ ମଦ ଦୋକାନରେ ପୁଲିସ ଉପସ୍ଥିତିରେ ଆଜି ଏଭଳି ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଛି। ଅନ୍‌ଲାଇନ୍‌ରେ ମଦ ଯୋଗାଇବା ପାଇଁ ସରକାର ଡେଲିଭରି ଚାର୍ଜ ଧାର୍ଯ୍ୟ କରିଛନ୍ତି। ସର୍ବନିମ୍ନ ଶହେ ଟଙ୍କା ଧାର୍ଯ୍ୟ ହୋଇଛି। ଘର ପର୍ଯ୍ୟନ୍ତ ନେଇ ମଦ ପହଞ୍ଚାଇବା ପାଇଁ ଏହି ଚାର୍ଜ ରଖାଯାଇଛି। କିନ୍ତୁ ଘର ପର୍ଯ୍ୟନ୍ତ ମଦ ନିଆଯାଉ ନାହିଁ ବା ଡେଲିଭରି ପାଇଁ ଦୋକାନୀ ଟଙ୍କାଟିଏ ଖର୍ଚ୍ଚ କରୁନାହିଁ। ହେଲେ‌ ଦୋକାନୀ ଲୋକଙ୍କଠାରୁ ଡେଲିଭରି ଚାର୍ଜ ଛାଡ଼ୁନି। ଜଣେ ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଗୋଟିଏ ବିୟର ୧୨୦ ଟଙ୍କା ପଡ଼ୁଥିଲା। ତାହା ଏବେ କୋଭିଡ୍‌ କର ୫୦ ପ୍ରତିଶତ ଓ ଡେଲିଭରି ଚାର୍ଜ ସର୍ବନିମ୍ନ ୧୦୦ ମିଶିବା ପରେ ୨୮୦ ଟଙ୍କା। ଏହି ଦର ଚୋରାରେ ବିକ୍ରି ହେଉଥିବା ମଦଠାରୁ ମଧ୍ୟ ଅଧିକା ହେଉଥିବାରୁ ବାଧୁଛି। ଏକାଠି ପେଟିଏ ନେଲେ ଡେଲିଭରି ଚାର୍ଜ ମୁଣ୍ଡ ପିଛା କମି ଯାଉଛି। ଦୋକାନ ପାଖକୁ ଆସିଲେ ସାଥୀ ମିଳିବା ସମ୍ଭାବନା ଅଛି। ସାଥୀ ମିଳିଗଲେ ଏକାଠି ହୋଇ ହ୍ବାଟ୍‌ସ୍‌ ଆପ୍‌ରେ ବୁକ୍‌ କରାଯାଉଛି।

ଷ୍ଟକ୍‌ ଯାଞ୍ଚ ହେଲାନି, କୋଭିଡ୍‌ ଚାର୍ଜ ବାଣ୍ଟିନେଲେ
ମଦ ଦୋକାନରେ ଯେତିକି ଷ୍ଟକ୍‌ ରହିଛି, ତାହା ଦୋକାନ ଖୋଲିବା ପୂର୍ବରୁ ଯାଞ୍ଚ ହେବ। ଅବକାରୀ ବିଭାଗ ଅଧିକାରୀମାନେ ଏହାକୁ ଯାଞ୍ଚ କରି ସରକାରଙ୍କୁ ତଥ୍ୟ ଦେ‌ବେ। ହେଲେ ଏହା କେବଳ ଚିଠିରେ ରହିଗଲା। କେତେକ ଦୋକାନରେ ଲୋକ ଦେଖାଣିଆ ଯାଞ୍ଚ ହେଲା। ଆଉ କିଛି ଦୋକାନରେ ଦୋକାନୀ ଯାହା ହିସାବ ଦେଲା ତାହାକୁ ବିଭାଗ ଗ୍ରହଣ କରାଗଲା। ଦୋକାନ ଖୋଲି ବେପାର ଆରମ୍ଭ ହେଲା। ଯେତିକି ମଦ ଥିଲା ତାହାର ଏମ୍‌ଆରପି ସହ ୫୦ ପ୍ରତିଶତ କୋଭିଡ୍‌ କର ମିଶି ବିକ୍ରି ହେଲା। ଯେଉଁ ଷ୍ଟକ୍‌ଗୁଡ଼ିକୁ ସରକାରଙ୍କୁ ଲୁଚା ଯାଇଥିଲା ସେଥିରୁ ୫୦ପ୍ରତିଶତ କୋଭିଡ୍‌ କର ଆଦାୟ ହେଲା କିନ୍ତୁ ସରକାରଙ୍କୁ ଦିଆଗଲା ନାହିଁ। ସେଗୁଡ଼ିକ ଭାଗ ବଣ୍ଟା ହେଲା। ସମସ୍ତ ଦୋକାନର ଷ୍ଟକ୍‌ ଯାଞ୍ଚ କରିବା ପାଇଁ ସମୟ ଓ କର୍ମଚାରୀଙ୍କର ମଧ୍ୟ ଅଭାବ ଥିଲା। ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସମସ୍ତ ଦୋକାନର ଷ୍ଟକ୍‌ ଯାଞ୍ଚ ହୋଇଛି।

ବେପାର ହଉନି, ବଢ଼ୁଛି ଏମ୍‌ଜିକ୍ୟୁ ଚିନ୍ତା
ଅନ୍‌ଲାଇନ୍‌ରେ ମଦ ମିଳିବାର ପ୍ରଥମ ଦିନ କୋଟିଏ ଟଙ୍କାର ବେପାର ହୋଇଥିଲେ ହେଁ ପୂର୍ବ ତୁଳନାରେ ଏହା କିଛି ନୁହେଁ ବୋଲି ବେପାରୀ କହିଛନ୍ତି। ଦର ଓ ଅନ୍ୟାନ୍ୟ କଟକଣା ପାଇଁ ପୂର୍ବାପେକ୍ଷା ୭୦ ପ୍ରତିଶତ ବେପାର କମିଛି ବୋଲି ପ୍ରାୟ ବ୍ୟବସ‌ାୟୀ କହିଛନ୍ତି। ଏଣୁ ସରକାର ଧାର୍ଯ୍ୟ କରିଥିବା ମାସିକିଆ କୋଟା (ଏମ୍‌ଜିକ୍ୟୁ) କିଭଳି ପୂରଣ ହେବ, ସେ ନେଇ ଚିନ୍ତା ବଢ଼ିଛି। କାରଣ ମାସିକିଆ କୋଟା ପୂରଣ ନ ହେଲେ, ଦୋକାନୀଙ୍କୁ ମୋଟା ଅଙ୍କର ଟିକସ ଭରିବାକୁ ପଡ଼ିବ। ଅନ୍ୟପଟେ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଣୁ ମଦ ବିକ୍ରି କମିଲା।

ସମ୍ବନ୍ଧିତ ଖବର