ଋଣ ଦେବାକୁ କହି କୋଟିଏ ଠକେଇ

ଭୁବନେଶ୍ୱର : ଋଣ ଦେବାକୁ କହି ପାଖାପାଖି କୋଟିଏ ଟଙ୍କା ଠକି ନେଇଛି ଲୁଇସ୍‌ ରୋଡ୍‌ରେ ଅଫିସ କରିଥିବା ଏକ ସଂସ୍ଥା। ଲୋନ ଦେବାକୁ ତାରିଖ ପରେ ତାରିଖ ଗଡ଼ାଇବାରୁ ଆଜି କେତେକ ଜମାକାରୀ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ଏହା ପୂର୍ବରୁ ଖବରପାଇ ସଂସ୍ଥା ଅଫିସ ବନ୍ଦ କରି ଫେରାର ହୋଇଯାଇଛି। ଏନେଇ ଜମାକାରୀ ବଡ଼ଗଡ଼ ଥାନା‌ରେ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ହୋଇ ନଥିବାରୁ ତଦନ୍ତ ଆଗେଇ ପାରିନାହିଁ। ରାଜଧାନୀରେ ଏଭଳି ଶତାଧିକ ସଂସ୍ଥା ରହିଛି। କେତେକଙ୍କର ବ୍ୟାଙ୍କ୍‌ ସହ ଯୋଗାଯୋଗ ରହିଥିବା ବେଳେ କେତେକ ସିଧା ସଳଖ ଲୋକଙ୍କୁ ଏଭଳି ଠକି ଫେରାର ହୋଇଯାଉଛନ୍ତି। ବିଭିନ୍ନ ଥାନାରେ ଏପରି ୨୫ରୁ ଊର୍ଦ୍ଧ୍ବ ଅଭିଯୋଗ ପଡ଼ି ରହିଛି।

ସୂଚନା ମୁତାବକ, ଲୁଇସ୍‌ ରୋଡ୍‌ରେ ଶୁଭମ୍‌ କର୍ପୋରେସନ ନାମରେ ଏକ ସଂସ୍ଥା ରହିଛି। ପାଖାପାଖି ବର୍ଷେ ହେବ ଏହି ସଂସ୍ଥା ଖୋଲିଥିଲା। ଲୋକଙ୍କୁ ବିଭିନ୍ନ ବ୍ୟାଙ୍କ୍‌ରୁ ସହଜରେ ଋଣ ଯୋଗାଇ ଦେବାପାଇଁ ଏହି ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା‌। ଫଳରେ ଗୃହ, ବ୍ୟକ୍ତିଗତ, କୃଷି ଓ ଅନ୍ୟାନ୍ୟ ଋଣ କରିବା ପାଇଁ ଲୋକ ଏହି କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ଇଏମ୍‌ଆଇ ଓ ପ୍ରୋସେସିଂ ଫି ବାବଦକୁ ଋଣ ପରିମାଣ ଅନୁସାରେ ସଂସ୍ଥା ଅର୍ଥ ସଂଗ୍ରହ କରିଥିଲା। ଅଳ୍ପ ଦିନରେ ଏହି ସଂସ୍ଥା ଦେଢ଼ଶହ ଜମାକାରୀଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ବ ଜମା ‌ନେଇଥିଲା। ଆକାଉଣ୍ଟକୁ ଋଣ ଟଙ୍କା ପଠାଇବା ପାଇଁ ବିଭିନ୍ନ ଜମାକାରୀଙ୍କୁ ଭିନ୍ନ ଭିନ୍ନ ତାରିଖ ଦିଆଯାଇଥିଲା। ହେଲେ ଆକାଉଣ୍ଟକୁ ଟଙ୍କା ଆସୁ ନଥିଲା। କାହାକୁ କାହାକୁ ଋଣ ଦିଆଯାଇଛି ତାହାର ତାଲିକା ଜଣେ ଜମାକ‌ାରୀ ମାଗିବାରୁ ସଂସ୍ଥାର କାରନାମା ପଦାକୁ ଆସିଥିଲା। ସଂସ୍ଥାର ମୁଖ୍ୟ ରାଜସ୍ଥାନର ବୋଲି ପୁଲିସ କହିଛି। ସେ ଫେରାର ହୋଇଯାଇଥିବା ବେଳେ ଏଠାରେ କାମ କରୁଥିବା କେତେକ ସ୍ଥାନୀୟ ଲୋକଙ୍କୁ ଜମାକାରୀ ଘେରିଥିଲେ।

ସମ୍ବନ୍ଧିତ ଖବର