ସ୍ତ୍ରୀ ଯୌତୁକ ଆଣିଲାନି ବୋଲି… ଝିଅକୁ ବିକ୍ରି ଉଦ୍ୟମ

ସ୍ଥାନୀୟ ଲୋକଙ୍କ ଦ୍ୱାରା ଶିଶୁ କନ୍ୟା ଉଦ୍ଧାର

ଭୁବନେଶ୍ୱର: ବାପଘରୁ ଅଧିକ ଯୌତୁକ ଆଣିବାକୁ ମନା କରିବାରୁ ସ୍ତ୍ରୀକୁ ପ୍ରାଣାନ୍ତକ ଆକ୍ରମଣ ଓ ନିଜର ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ବିକିବାକୁ ଉଦ୍ୟମ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଥିବା ୟୁନିଟ୍‌-୬ ଆଖଣ୍ଡଳମଣି ବସ୍ତିରେ। ନିର୍ଯାତନାର ଶିକାର ମହିଳାଜଣଙ୍କ ହେଲେ, ମାମା ବାରିକ। ଏ ସଂପର୍କରେ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ମାମାଙ୍କ ଅଭିଯୋଗ ହେଲା, ସ୍ୱାମୀ ସରୋଜ ବାରିକ (୩୫) ଓ ଅଢ଼େଇ ବର୍ଷର ଶିଶୁକନ୍ୟା ସହ ସେ ଆଖଣ୍ଡଳମଣି ବସ୍ତିରେ ରହନ୍ତି। ଗତକାଲି ସକାଳ ପ୍ରାୟ ୬ଟାରେ ସରୋଜ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ତାଙ୍କୁ ଗାଳିଗୁଲଜ କରିବା ସହ ବାପଘରୁ ଦଶହଜାର ଟଙ୍କା ଆଣିବାକୁ କହିଥିଲା। କିନ୍ତୁ ଏହାକୁ ମାମା ବିରୋଧ କରିବାରୁ ସରୋଜ ଉତ୍ତ୍ୟକ୍ତ ହୋଇ ନିକଟରେ ପଡ଼ିଥିବା ଏକ କାଠ ଫାଳିଆରେ ତାଙ୍କୁ ଆକ୍ରମଣ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମାମା ତଳେ ପଡ଼ି ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ସରୋଜ ତାଙ୍କ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ବିକ୍ରି ଉଦ୍ଦେଶ୍ୟରେ ଘରୁ ଧରି ଚାଲି ଯାଇଥିଲା। ସରୋଜର ମନ୍ଦ ଉଦ୍ଦେଶ୍ୟ ସଂପର୍କରେ ଜାଣି ପାରି ମାମା ତା’ର ପିଛା କରିଥିଲେ। ଶିରିପୁର ଛକରେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ସରୋଜକୁ ଅଟକାଇବା ସହ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ।

ଏନେଇ ମାମା ଆଜି କ୍ୟାପିଟାଲ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ଦୀର୍ଘ ୩ ଘଣ୍ଟା କାଳ ଥାନା ବାରଣ୍ଡାରେ ବସି ରହିବା ପରେ ମଧ୍ୟ ପୁଲିସ କୌଣସି ସହାୟତା କରିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସରୋଜ ବିବାହ ପରଠାରୁ ଯୌତୁକ ପାଇଁ ମାମାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲା। ଏପରିକି ଟଙ୍କା ପାଇଁ ସେ ଅନେକଥର ମାଡ଼ ମାରି ମାମାଙ୍କୁ ଘରୁ ବାହାର ବି କରିଦେଇଛି। ସେପଟେ ମାମା ଥାନାରେ ଅଭିଯୋଗ କଲେ ସରୋଜ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛି ବୋଲି ମାମା କହିଛନ୍ତି।

ସମ୍ବନ୍ଧିତ ଖବର