ସ୍କୁଲରେ ତାଲା ପକାଇ ବିକ୍ଷୋଭ, ଶିକ୍ଷା ଅଧିକାରୀଙ୍କୁ ଅଟକ ରଖିଲେ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବିଶରପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବିଜ୍ଞାନ ଓ ଗଣିତ ଶିକ୍ଷକ ପତିତତ୍ରାଣ ଦାଶ ମହୁଖଣ୍ଡା ପ୍ରାଥମିକ ସ୍କୁଲକୁ ଡେପୁଟେସନ୍‌ରେ ବଦଳି ହେବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୬୫ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ଏହି ସ୍କୁଲରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଶିକ୍ଷା ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ସ୍କୁଲ ଖୋଲିବା କ୍ଷଣି ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଶ୍ରେଣୀଗୃହକୁ ଯିବାକୁ ଦେଇ ନଥିଲେ। ସ୍କୁଲର ବିଭିନ୍ନ ଶ୍ରେଣୀଗୃହ ଓ ଅଫିସରେ ତାଲା ପକାଇ ଛାତ୍ରଛ‌ାତ୍ରୀଙ୍କ ସହ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ। ଏ ନେଇ ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କ୍ଲଷ୍ଟର ସିଆର୍‌ସିସି ପରୀକ୍ଷିତ ସାହୁ ଓ ଏବିଇଓ ପ୍ରଦୀପ୍ତ ଜେନା ପ୍ରମୁଖ ସ୍କୁଲରେ ପହଞ୍ଚି ଲୋ‌‌କମାନଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋ‌କେ ଉଭୟଙ୍କ ଅଟକ ରଖି ବ୍ଲକ ଓ ଜିଲ୍ଲା ଅଧିକାରୀଦ୍ବୟଙ୍କୁ ଧାରଣାସ୍ଥଳକୁ ଡାକିବା ପାଇଁ କହିଥିଲେ। ତେବେ ବିଇଓ ଏବଂ ଡିଇଓଙ୍କ ସହିତ ଆଲୋଚନା କରି ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନେବେ ବୋଲି ଉଭୟ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ କେବଳ ଅଭିଭାବକମାନେ ସ୍କୁଲ ପରିସରରେ ଧାରଣା ଦେବା ସହ ମଧ୍ୟାହ୍ନ ଭୋଜନ ଫେରାଇ ଦେଇଥିଲେ। କିନ୍ତୁ ଆଜି ସେମାନେ ଛାତ୍ରଛାତ୍ରୀଙ୍କ ସହିତ ମିଶି ଧାରଣା‌‌ରେ ବସିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅଭିଭାବକମହଲ କୁନିକୁନି ପିଲାଙ୍କୁ ଧାରଣାରେ ସାମିଲ କରିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିବାଦର ସମାଧାନ ଦୃଷ୍ଟିରୁ ସ୍କୁଲରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତି ନେଇ ଦାବି ହେଉଛି।

ସମ୍ବନ୍ଧିତ ଖବର