ଲକ୍‌ଡାଉନ୍‌ ବଦଳାଇଲା ବେପାରଶୈଳୀ, ଏବେ ଶୁଖିଲା ଗୁପ୍‌ଚୁପ୍‌

ଭୁବନେଶ୍ବର: ଲକ୍‌ଡାଉନ୍‌ରେ ଗୁପ୍‌ଚୁପ୍‌ ଖାଇବାକୁ ଇଚ୍ଛା ହେଉଛି। ବାହାରେ ମିଳୁନି, ଆଉ ଘରେ ତିଆରି କଲେ ହେଉନି। ଗୁପ୍‌ଚୁପ୍‌ର ତିଆରି କରୁ କରୁ ତାହା ପୁରୀ ଭଳି ହୋଇଯାଉଛି। ତେଣୁ ପ୍ରାୟ ୨ ମାସ ହେଲା ଗୁପ୍‌ଚୁପ୍‌ ଖାଇବା ସ୍ବପ୍ନ ପାଲଟିଗଲାଣି। କିନ୍ତୁ ଏବେ ଆଉ ଚିନ୍ତା କରିବାର ନାହିଁ। ବଜାରରେ ପ୍ରାୟ ରାସନ୍‌ ଦୋକାନରେ ଗୁପ୍‌ଚୁପ୍‌ ମିଳିଲାଣି। ତେବ‌େ ତାହା ରେଡିମେଡ୍‌ ନୁହେଁ। ଘରେ ଆପଣଙ୍କୁ କେବଳ ଆଳୁ ଚଟଣୀ ଓ ଖଟା ପାଣି ପ୍ରସ୍ତୁତ କରିବାକୁ ପଡ଼ିବ। ଗୁପ୍‌ଚୁପ୍‌ବାଲା ନିଜେ ପ୍ରସ୍ତୁତ କରି ମାର୍କେଟ୍‌କୁ ଏବେ ଗୁପଚୁପ୍‌ ଠୋଲା ଛାଡ଼ୁଛନ୍ତି। ସେଗୁଡ଼ିକର ସ୍ବାଦ ରାସ୍ତାକଡ଼ରେ ମିଳୁଥିବା ସୁଆଦିଆ ଓ କୁଡ୍‌ମୁଡ୍‌ ଗୁପ୍‌ଚୁପ୍‌ ଭଳି।

ଷ୍ଟ୍ରିଟ୍‌ ଫୁଡ୍‌ ମଧ୍ୟରେ ଗୁପ୍‌ଚୁପ୍‌ ପ୍ରାୟ ସମସ୍ତଙ୍କ ପ୍ରିୟ। କିନ୍ତୁ ୩ଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିଯାଇଥିଲେ ବି ଗୁପ୍‌ଚୁପ୍‌ ଦୋକାନ ଖୋଲିଲା ନାହିଁ। ଆଗକୁ ମଧ୍ୟ କେବେ ଖୋଲିବ, ସେନେଇ କିଛି ସ୍ପଷ୍ଟ କହି ହେବ ନାହିଁ। ଏଭଳି ପରିସ୍ଥିତିରେ ଗ୍ର‌ାହକଙ୍କ ଚାହିଦାକୁ ନଜରରେ ରଖି ଗୁପ୍‌ଚୁପ୍‌ ବ୍ୟବସାୟୀମାନେ ଏହି ଅଭିନବ ଉପାୟ ଆରମ୍ଭ କରିଛନ୍ତି। କିଛି ବ୍ୟବସାୟୀ ଘରେ ଗୁପ୍‌ଗୁପ୍‌ ଛାଣି ରାସନ୍‌ ଦୋକାନୀଙ୍କୁ ବିକ୍ରି ପାଇଁ ଦେଉଥିବା ବେଳେ ଆଉ କିଛି ନିଜେ ରାସ୍ତାକଡ଼ରେ ବିକ୍ରି କରୁଛନ୍ତି। ବଡ଼ଗଡ଼ ବ୍ରିଟ୍‌ କଲୋନିଠାରେ ଏଭଳି ଭାବେ ଶୁଖିଲା ଗୁପ୍‌ଚୁପ୍‌ ଠୋଲା ବିକ୍ରି କରୁଥିବା ପ୍ରଦୀପ କୁମାର ବେହେରା କହିଛନ୍ତି, ଦେଢ଼ ମାସ ବିନା ରୋଜଗାରରେ ଘରେ ବସିଲି। ପରିବାର ଓ ଦୁଇ ଝିଅଙ୍କୁ ଚଳାଇବା କଷ୍ଟ ହୋଇଗଲା। ଗରିବ ଲୋକ, ଆଉ କେତେ ଦିନ ହାତ ବାନ୍ଧି ବସିଥା’ନ୍ତି ଯେ। ତେଣୁ ମନେ ମନେ ଉପାୟ ଭାବିଲି। କେବଳ ଗୁପ୍‌ଚୁପ୍‌ ‌ଠୋଲା ଛାଣି ବିକିବାକୁ ଆସିଲି। ଗୋଟିଏ ପ୍ୟାକେଟ୍‌ରେ ୨୫ଟି ଠୋଲା ରହିଥିବା ବେଳେ ଏହାର ଦାମ୍‌ ୨୦ ଟଙ୍କା ରହିଛି। ଆଗରୁ ଆଳୁ ଚଟଣୀ ଓ ଖଟାପାଣି ସହ ଗୁପ୍‌ଚୁପ୍‌ ବିକିଲେ ଦିନକୁ ୧୦୦୦ରୁ ୧୨୦୦ଟଙ୍କା ପର୍ଯ୍ୟନ୍ତ ବେପାର ହେଉଥିଲା। କିନ୍ତୁ ଏବେ କେବଳ ଠୋଲା ହିଁ ବିକୁଛି। ଦିନକୁ ଏବେ କେଉଁ ‌ଦିନ ୫୦୦ ଟଙ୍କା ତ’ ଆଉ କେଉଁ ଦିନ ୩୦୦ ଟଙ୍କାର ବେପାର ହେଉଛି। ସେ ଯାହା ହେଉ ବସିବା ଅପେକ୍ଷା କିଛି ଟଙ୍କା ଏବେ ହାତକୁ ଆସୁଛି। ପରିବାର ଚଳାଇବାକୁ ତ’ କିଛି ନା କିଛି କରିବାକୁ ପଡ଼ିବ। ସକାଳ ୮ଟାରୁ ୧୧ଟା ଓ ଅପରାହ୍‌ଣ ସାଢ଼େ ୪ଟାରୁ ୭ଟା ପର୍ଯ୍ୟନ୍ତ ଠେଲା ପକାଉଛି। ଲକ୍‌ଡାଉନ୍‌ରେ ଲୋକମାନେ ବି ଗୁପ୍‌ଚୁପ୍‌ ବହୁତ ଖୋଜୁଛନ୍ତି। ଶୁଖିଲା ଗୁପ୍‌ଚୁପ୍‌ ନେବା ସହ ଆଳୁ ଚଟଣୀ ଓ ଖଟାପାଣି ବି ମତେ ମାଗୁଛନ୍ତି। କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ନଥିବାରୁ ମୁଁ ତାହା କରୁନାହିଁ। କେବଳ ଶୁଖିଲା ଗୁପ୍‌ଚୁପ୍‌ ପ୍ୟାକେଟ୍‌ କରି ବିକୁଛି। ମାକ୍ସ ପିନ୍ଧି ହାତ ଭଲ ଭାବେ ସଫା କରି ବେପାର କରୁଛି ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର