ଲକ୍‌ଡାଉନ ପ୍ରଭାବ : ରାସ୍ତାରେ ବୁଲିଲେଣି ଜୀବଜନ୍ତୁ, ମଲେଣି ବୁଲା କୁକୁର!

ବାଲିଅନ୍ତା : ସଂପ୍ରତି ଦେଶରେ ଲକ୍‌ଡାଉନ ପ୍ରଭାବ କେବଳ ଜନସମାଜକୁ ପ୍ରଭାବିତ କରିଛି ତା’ ନୁହେଁ। ଗୃହପାଳିତ ପଶୁଙ୍କ ଠାରୁ ଆରମ୍ଭ କରି ଜଙ୍ଗଲି ଜୀବଜନ୍ତୁମାନେ ମଧ୍ୟ ବିଶେଷ ପ୍ରଭାବିତ ହୋଇଛନ୍ତି। ଘରେ ପୋଷା ବିଲେଇ କୁକୁର ଠାରୁ ଆରମ୍ଭ କରି ଗାଈ ଓ ମଇଁଷି ଆଦି ପ୍ରାଣୀ ଖାଦ୍ୟ ଅଭ‌ାବ ଯୋଗୁଁ ପଦାରେ ବୁଲିଲେଣି। ମୁଖ୍ୟ ଛକ ବଜାର ରାସ୍ତା ଓ ଗ୍ରାମର ପ୍ରମୁଖ ରାସ୍ତା ଶୂନଶାନ ହୋଇଯିବା ପରେ ଅନ୍ୟାନ୍ୟ ଜଙ୍ଗଲୀ ଜୀବଜନ୍ତୁ ମାନେ ରାସ୍ତାରେ ବୁଲିଲେଣି। ଦିନ ଦ୍ବିପ୍ରହରରେ ଗ୍ରାମ୍ୟ ରାସ୍ତାରେ ଶାଳିଆପତନି, ବିଲୁଆ, କଟାସ, ଓଧ, ବଣଭୂଆ ଆଦି ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ବିଚରଣ କରୁଥିବା ଦେଖିବାକୁ ମିଳୁଛି।

ବିଶୁନିଆପଡ଼ା ଗ୍ରାମର ନରେଶ ଦାସ ଓ ବାଲିଆମାଳ ଗ୍ରାମର ଜୁବୁଲା ଜେନାଙ୍କ ସୂଚନାନୁଯାୟୀ ଆଜି ମଧ୍ୟାହ୍ନରେ ଦୁହେଁ ବାଳକାଟିରୁ ଚାଲି ଚାଲି ଘରକୁ ଯାଉଥିଲେ। ବିଶୁନିଆପଡ଼ା ଗ୍ରାମ ଉନ୍ନୟନ ନିର୍ଜନ ପିଚୁ ରାସ୍ତାରେ ୩ଟି ଶାଳିଆପତନି ନିର୍ଭୟରେ ଯାଉଥିବା ଦେଖିଥିଲେ। ସେହିପରି ରଣପୁର ଗ୍ରାମ ରାସ୍ତାରେ ଦିନବେଳା ଏକାଧିକ ବିଲୁଆ ବିଚରଣ କରୁଥିବା ଦେଖାଯାଇଛି। ଖାଲି ସେତିକି ନୁହେଁ ଲୋକମାନେ ଘରେ ପୋଷିଥିବା ପକ୍ଷୀମାନଙ୍କୁ ଖାଇବାକୁ ନଦେଇ ଛାଡ଼ିଦେବା ପରେ ବାହାରେ ଗଛଲତାରେ ବସୁଥିବା ଦେଖିବାକୁ ମିଳିଛି। ମାଙ୍କଡ଼ ବି ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି। ନିଛାଟିଆ ପରିବେଶ ଯୋଗୁଁ ବେଧଡ଼କ ଭାବେ ରାସ୍ତାରେ ବୁଲୁଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ତାପ ଜାରି ରହିଥିବାରୁ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଖାଦ୍ୟାଭାବ ହେତୁ କେତେକ ଜୀବଜନ୍ତୁଙ୍କ ପ୍ରାଣହାନୀ ଘଟିବା ସ୍ଥତି ଉପୁଜିଲାଣି।

ମଲେଣି ବୁଲା କୁକୁର!

ଭୁବନେଶ୍ବର : ଲକ୍‌ଡାଉନ୍ ପ୍ରଭାବ ଲୋକଙ୍କୁ ଯେତିକି ବାଧୁନି ତା’ଠାରୁ ଅଧିକ ବାଧୁଛି ବୁଲା ଗାଈ ଗୋରୁ, କୁକୁର, ବିଲେଇଙ୍କୁ। ବହୁ ପଶୁପକ୍ଷୀ ଏବେ ଖାଦ୍ୟ ଅଭାବ ସମସ୍ୟାରେ ପଡ଼ିଲେଣି। ଦୋକାନ ବଜାର, ହୋଟେଲ ‌ ଆଦି ବନ୍ଦ ରହିଥିବାରୁ ଲୋକମାନେ ଯେତିକି ହଇରାଣ ହେଉଛନ୍ତି ତା’ଠାରୁ ଅଧିକ ହଇରାଣ ହେଉଛନ୍ତି ବୁଲା କୁକୁର, ଗାଈ, ଷଣ୍ଢ। ଏମାନେ ଖାଦ୍ୟ ଅଭାବରୁ ହିଂସ୍ର ହୋଇଯିବାର ଆଶଙ୍କା ପ୍ରକାଶ ପାଇଲ‌‌ାଣି। କେତେକ ସ୍ଥାନରେ କୁକୁର ଖାଇବାକୁ ନପାଇ ମରି ଯାଇଥିବା କୁହାଯାଉଛି। ଆଜି ସକାଳୁ ଇନ୍ଦ୍ରଧନୁ ମାର୍କେଟ୍ ଅଞ୍ଚଳରେ ୪ଟି କୁକୁର ମରି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ଆଉ ୪/୫ଟି କୁକୁର ଖାଇବାକୁ ନପାଇ ଦୁର୍ବଳ ହୋଇ ତଳେ ପଡ଼ିଥିଲେ ।

କେବଳ କୁକୁର ନୁହେଁ ବହୁ ବୁଲା ଗୋରୁ ଓ ଷଣ୍ଢ ବି ଯେଉଁଠି ବସୁଛନ୍ତି ସେଇଠି ହିଁ ଶୋଇ ରହୁଥିବା ଦେଖିବାକୁ ମିଳିଛି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ଯେ, ମଙ୍ଗଳବାର ଠାରୁ ବୁଲା କୁକୁର ଓ ଗୋରୁଙ୍କୁ ଖାଦ୍ୟ ଦିଆଯିବ।

ସମ୍ବନ୍ଧିତ ଖବର