ଓଲିଉଡ୍‌ ଚଳଚ୍ଚିତ୍ରରେ ଲକ୍‌ଡାଉନ୍‌ ଲଭ୍‌ ଷ୍ଟୋରି

ଭୁବନେଶ୍ବର: କରୋନା ମହାମାରୀ ପାଇଁ ସାରା ବିଶ୍ବରେ ହାହାକାର ଖେଳିଗଲା। ବିଦେଶରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ। ସଂକ୍ରମଣ ରୋକିବା ପାଇଁ ଭାରତରେ ଲାଗୁ ହେଲା ଲକ୍‌ଡାଉନ୍‌। ହଠାତ୍ ଜନଜୀବନ ଠପ୍ ହୋଇଗଲା। ବିମାନ୍, ଟ୍ରେନ୍‌, ବସ୍ ଆଦି ଯାନବାହନ ଚଳାଚଳ ବନ୍ଦ, ଦୋକାନ ବଜାର ସବୁ ବନ୍ଦ। ବାହାରକୁ ଗୋଡ଼ କାଢ଼ିଲେ ପୁଲିସ୍ ପିଟିଲା। ଲକ୍‌ଡାଉନ୍‌ ପରେ ସଟ୍‌ ଡାଉନ୍‌ ଓ କେବେ ପୁଣି କର୍ଫ୍ୟୁ ଲାଗୁ ହେଲା। ଏମିତି ପରିସ୍ଥିତିରେ ଘରଠାରୁ ବହୁ ଦୂରରେ ଫସି ରହିଥିବା ଦୁଇ ଅପରିଚିତ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଗଢ଼ି ଉଠିଛି ସମ୍ପର୍କ। ଘାତ ପ୍ରତିଘାତ ଭିତରେ ଲୁଚିଛପି ଘରମୁହାଁ ହେଉଥିବା ବେଳେ ଜଣେ ଜଣଙ୍କୁ ସହଯୋଗ କରୁଛନ୍ତି ଓ ସେଥିରୁ ଗଢ଼ି ଉଠିଛି ପ୍ରେମ ସମ୍ପର୍କ। ଏପରି ଏକ ପ୍ରେମ କାହାଣୀ ଉପରେ ଆଧାରିତ ବ୍ୟାବସାୟିକ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଯାଉଛନ୍ତି ଓଲିଉଡ୍‌ର ଯୁବ ପ୍ରଯୋଜକ ରମେଶ ବାରିକ।

ଆର୍.ଆର୍.ଇଭେଣ୍ଟସ୍ ଫିଲ୍ମସ୍ ପ୍ରଯୋଜିତ ଏହି ଚଳଚ୍ଚିତ୍ର ହେବ ରମେଶଙ୍କ ପ୍ରଯୋଜନାର ସପ୍ତମ ଅବଦାନ। ଏହା ଏକ ହାଇବଜେଟ୍ ଚଳଚ୍ଚିତ୍ର ବୋଲି କୁହାଯାଇଛି। ଏଥିରେ ନାୟକ ଭୂମିକାରେ ଓଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତା ଅଭିନୟ କରିବା ପାଇଁ ଚୁକ୍ତି କରିଛନ୍ତି। ନାୟିକା ‌ଚରିତ୍ର ପାଇଁ ପ୍ରଯୋଜନା ସଂସ୍ଥା ନି‌ଷ୍ପତ୍ତି କରିନାହିଁ ବୋଲି ପ୍ରକାଶ କରିଛି। ଏଥିରେ ପ୍ରେମ, ହାସ୍ୟ ରସ ଭରି ରହିଥିବା ବେଳେ ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକର ଜୀବନ ଯନ୍ତ୍ରଣା ସ୍ଥା‌ନ ପାଇବ। ପ୍ରଯୋଜକ ରମେଶ ବାରିକ ବର୍ତ୍ତମାନ ଗୀତ ସିକୁଏନସ୍ ଉପରେ କାମ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର