ଲୋକସେବା ଭବନର ସୁରକ୍ଷା ସମୀକ୍ଷା ଆଜି

ଭୁବନେଶ୍ୱର : ଆସନ୍ତାକାଲି ଲୋକସେବା ଭବନର ସୁରକ୍ଷା ସମୀକ୍ଷା ହେବାକୁ ଯାଉଛି। ଓଡ଼ିଶା ପୁଲିସର ସ୍ପେସାଲ ବ୍ରାଞ୍ଚ ସିକ୍ୟୁରିଟି ଉଇଙ୍ଗ୍‌ ଏହି ସମୀକ୍ଷା କରିବ। ଏକ ସ୍ବତନ୍ତ୍ର ଦଳ ଲୋକସେବା ଭବନକୁ ଯାଇ ସୁରକ୍ଷା ବ୍ୟବସ୍ଥାକୁ ଆମୂଳଚୁଳ ଯାଞ୍ଚ କରିବ। ବ୍ୟବସ୍ଥା କିଭଳି ରହିଛି? ବ୍ୟବସ୍ଥା କେଉଁଠି ଢିଲା ରହିଛି କି? ଏହାକୁ କିଭଳି ସୁରକ୍ଷିତ କରାଯାଇ ପାରିବ? ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଆଉ କଣ ଆବଶ୍ୟକତା ରହିଛି? ଏ ସବୁର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯିବ। କେଉଁଠି କୋହଳ ଥିଲେ ତାହାର ତୁରନ୍ତ ସମାଧାନ କରାଯିବ ବୋଲି ଜଣାପଡ଼ିଛି। ଶେଷ ଥର ୨୦୧୪ ମସିହାରେ ଏଭଳି ସୁରକ୍ଷା ସମୀକ୍ଷା ହୋଇଥିଲା। ୫ ବର୍ଷ ପରେ ଆସନ୍ତାକାଲି ପୁଣି ଥରେ ସ୍ପେସାଲ ବ୍ରାଞ୍ଚ ସିକ୍ୟୁରିଟି ଉଇଙ୍ଗ୍‌ ପକ୍ଷରୁ ଏଭଳି ଯାଞ୍ଚ ହେବାକୁ ଯାଉଛି।

ଉଲ୍ଲେଖନୀୟ, ବାଂଲାଦେଶର ଜମ୍ମାତ୍‌-ଉଲ୍‌-ମୁଜାହିଦ୍ଦିନ୍‌(ଜେଏମ୍‌ବି) ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଦେଶରେ ବଢ଼ୁଛି। ତା ସହିତ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ବାଂଲାଦେଶୀ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଛି ବୋଲି ଏନ୍‌ଆଇଏ ଡିଜି ନିକଟ ଅତୀତରେ ସୂଚନା ଦେବା ପରେ ତନାଘନା ହୋଇଛି। ରାଜ୍ୟରେ ବିଭିନ୍ନ ସମ୍ବେଦନଶୀଳ ଜାଗାରେ ସୁରକ୍ଷା କଡ଼ାକଡ଼ି କରାଯାଉଛି। ନିକଟ ଅତୀତରେ ରେଳବାଇ ଅଧୀନରେ ଥିବା ୬ଟି ସମ୍ବେଦନଶୀଳ ଜାଗାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆତଙ୍କୀ କାର୍ଯ୍ୟକଳାପ ପାଇଁ ଓଡ଼ିଶା ପୁଲିସ ପ୍ରସ୍ତୁତ ଥିବା ପୁଲିସ ଡିଜି ବିଜୟ ଶର୍ମା ପୂର୍ବରୁ ସୂଚନା ଦେଇ ସାରିଛନ୍ତି।

ଏପରିପ୍ରେକ୍ଷୀରେ ଆସନ୍ତାକାଲି ଲୋକସେବା ଭବନ ସୁରକ୍ଷା ସମୀକ୍ଷା କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହା ପରେ ଅନ୍ୟ କେତେକ ସମ୍ବେଦନଶୀଳ ସ୍ଥାନରେ ଏଭଳି ଯାଞ୍ଚ କରାଯିବାକୁ ଯୋଜନା ହୋଇଥିବା ମଧ୍ୟ ଜଣାପଡ଼ିଛି।

୨୦୧୪ ମସିହାରେ ଏଭଳି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରା ଯାଇଥିଲା। ଇତିମଧ୍ୟରେ ୫ ବର୍ଷ ବିତିଯାଇଛି। ଏହି ସମୟ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କୋହଳ ହୋଇ ନ ଥିଲେ ମଧ୍ୟ ବିଜ୍ଞାନର ଅଗ୍ରଗତି ସାଙ୍ଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାରର ଆବଶ୍ୟକତା ରହିଛି। ଆସନ୍ତାକାଲିର ଏହି ସମୀକ୍ଷା ପରେ ନୂତନ ଜ୍ଞାନ କୌଶଳ ସହ ସୁରକ୍ଷା ବ୍ୟବସ୍ଥା ବଢ଼ା ଯିବ। ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଓଡ଼ିଶା ପୁଲିସର ସ୍ପେଶାଲ ବ୍ରାଞ୍ଚ ସିକ୍ୟୁରିଟି ଉଇଙ୍ଗ୍‌କୁ ସହଯୋଗ କରିବା ପାଇଁ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର