ଡାକ୍ତରୀ ମାଇନା ରିପୋର୍ଟ ଉପରେ ନଜର

ରହସ୍ୟ ଘେରରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ୍‌ କଲେଜର ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ସେହି କଲେଜର ଜଣେ ଆଟେଣ୍ଡାଣ୍ଟ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଛି। ତେବେ ସଂପୂର୍ଣ୍ଣ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଅଭିଯୋଗ କେତେ ଦୂର ସତ ତାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି। ଅଭିଯୋଗର ମାତ୍ର ୨ ଘଣ୍ଟା ମଧ୍ୟରେ କଲେଜ କର୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ଚାପରେ ପୁଲିସ ଅଭିଯୁକ୍ତ ଆଟେଣ୍ଡାଣ୍ଟ ମନୋଜ ଖଟୁଆକୁ ଘରୁ ଥାନାକୁ ଉଠାଇ ଆଣିବା ଏବଂ ତା’ ଉପରେ ଚାପ ପକାଇ ସେ ଦୁଷ୍କର୍ମ କରିଥିବା ନେଇ ସ୍ୱୀକାରୋକ୍ତି ଆଦାୟ କରିବା ଘଟଣାକୁ ଅନେକ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ତେବେ ଅଭିଯୁକ୍ତ ମନୋଜ ଗଣମାଧ୍ୟମ ଆଗରେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ମଧ୍ୟ ଦୁଷ୍କର୍ମ ହୋଇଥିବା ନେଇ ପୁଲିସ ଆବଶ୍ୟକ ପ୍ରମାଣ ପାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏସବୁ ଭିତରେ ଏବେ ଡାକ୍ତରୀ ଛାତ୍ରୀ ଓ ଅଭିଯୁକ୍ତ ମନୋଜଙ୍କ ଡାକ୍ତରୀମାଇନା ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। କାରଣ ଏହି ରିପୋର୍ଟ ହିଁ ସ୍ପଷ୍ଟ କରିବ ପ୍ରକୃତରେ ଦୁଷ୍କର୍ମ ହୋଇଛି ନା ନାହିଁ ଏବଂ ମନୋଜ ଦୁଷ୍କର୍ମ କରିଛି ନା ନାହିଁ। ପୁଲିସ ହେପାଜତରେ ଥିବାବେଳେ ଅଭିଯୁକ୍ତ ମନୋଜ ଯେଉଁ ବୟାନ ଦେଇଛି ତାହା ଘଟଣା ପଛର ଭିନ୍ନ ଏକ ଦିଗକୁ ଅଙ୍ଗୁୁଳି ନିର୍ଦେଶ କରୁଛି। ମନୋଜ କହିବା ଅନୁଯାୟୀ ଡାକ୍ତରୀ ଛାତ୍ରୀ ଜଣକ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ଅସଂଜତ ଅବସ୍ଥାରେ ଥିଲେ। ଏ ନେଇ କଲେଜ ଅଧ୍ୟକ୍ଷଙ୍କୁ ଜଣାଇ ଦେବାକୁ କହିବାରୁ ବଦନାମ୍‌ ହେବା ଭୟରେ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ, ଅନ୍ୟ କେତେକ ଛାତ୍ର ଯୋଜନାବଦ୍ଧ ଭାବେ ତାଙ୍କ ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି। ତେଣୁ ଏଭଳି ପରିସ୍ଥିତିରେ କିଏ ସତ କହୁଛି ତାକୁ ନେଇ ପ୍ରଶ୍ନ ଉଠିଛି।

ଅଭିଯୋଗର ସତ୍ୟତା ଓ ତଦନ୍ତକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ କେତେକ ପ୍ରଶ୍ନ ଉଙ୍କି ମାରୁଛି। ପ୍ରଥମତଃ ଛାତ୍ରୀଙ୍କ କହିବା ଅନୁଯାୟୀ ଆଟେଣ୍ଡାଣ୍ଟ ମନୋଜ ତାଙ୍କୁ ବଳପୂର୍ବକ ଅନ୍ୟ ଏକ ରାସ୍ତାରେ ତା ରୁମ୍‌କୁ ନେଇ ଯାଇଥିଲା। ଏହି ସମୟରେ ଛାତ୍ରୀ ଜଣକ ତା’ ସହ ଯିାବକୁ ରାଜି ହୋଇଗଲେ କାହିଁକି? ମନୋଜ ତା ରୁମ୍‌ରେ ଛାତ୍ରୀଙ୍କୁ ଭର୍ତି କଲାବେଳେ ସେ ପ୍ରତିବାଦ କଲେ ନାହିଁ କାହିଁକି? ସ୍ମାର୍ଟ ଛାତ୍ରୀ ଜଣକ କଲେଜର ର‍୍ୟାମ୍ପ ସୋ’ରେ ଭାଗ ନେଇଥାନ୍ତେ, କିନ୍ତୁ ତାଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ ହେବାର ଆଭାସ ପାଇ ପାରି ନ ଥିଲେ କେମିତି? ଦୁଷ୍କର୍ମବେଳେ ଚିତ୍କାର କରି ପ୍ରତିବରୋଧ କରିଥିଲେ ନା ନାହିଁ? ଅନ୍ୟପକ୍ଷରେ କଲେଜର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମନୋଜ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ବଳ ପୂର୍ବକ ଘୋଷାଡ଼ି ନେଇ ଦୁଷ୍କର୍ମ କରିବା ପରେ ପୁଲିସ ତା’କୁ କଲେଜ ପରିସରରେ ଥିବା ନିଜ ରୁମ୍‌ରୁ ଗିରଫ କରିଥିଲା। ପ୍ରଶ୍ନ ଉଠୁଛି ଏଭଳି ଏକ ନାରକୀୟ କାଣ୍ଡ ଘଟାଇବା ପରେ ମଧ୍ୟ ସେ କ୍ୟାମ୍ପସ ଛାଡ଼ି ଚାଲି ଯାଇ ନ ଥିଲା ଏବଂ ନିଜ ରୁମ୍‌ରେ ନିଶ୍ଚିନ୍ତରେ ଶୋଇ ରହିଥିଲା କେମିତି? ଯଦି ମନୋଜ ଦୁଷ୍କର୍ମ କରିଥିଲା, ଜଣେ ଅପରାଧୀ ହିସାବରେ ସେହି ରାତିରେ ଚାହିଁଥିଲେ ଖସି ପଳାଇ ପାରିଥାନ୍ତା ବୋଲି ହାଇଟେକ୍‌ର କିଛି ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଜ ନାମ ଗୋପନ ରଖି ମତ ଦେଇଛନ୍ତି।

ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲାଗିଛି। ନିୟମ ଅନୁଯାୟୀ ଯେଉଁଠି ଦୁଷ୍କର୍ମ ଘଟଣା ଘଟିଥାଏ ସେଠାକୁ ସାଇଣ୍ଟିଫିକ୍‌ ଟିମ୍‌ ଯାଇଥାଏ ପ୍ରମାଣ ସଂଗ୍ରହ କରିବାକୁ। କିନ୍ତୁ ଏହି ମାମଲାରେ ହାଇଟେକ୍‌ ହସ୍ପିଟାଲକୁ ସାଇଣ୍ଟିଫିକ୍‌ ଟିମ୍‌ ପ୍ରମାଣ ସଂଗ୍ରହ ପାଇଁ ଗଲା ନାହିଁ କାହିଁକି? ତେଣୁ ପୁଲିସ ସେହି ଘରୁ କ’ଣ ପ୍ରମାଣ ପାଇଥିଲା ଯେ ମନୋଜ ଦୁଷ୍କର୍ମ କରିଛି ବୋଲି ନିଶ୍ଚିତ ହୋଇଗଲା? ହାଇଟେକ୍‌ର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ ମେଡିକାଲ କଲେଜର ହଷ୍ଟେଲଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲାଗିଛି। ଅଭିଯୁକ୍ତ ମନୋଜ ଛାତ୍ରୀଙ୍କୁ ତାଙ୍କ ରୁମ୍‌କୁ ଡାକି ନେବାବେଳେ ଏହାର ଦୃଶ୍ୟ ସିସି କ୍ୟାମେରାରେ ରେକର୍ଡ ହେବା କଥା। ଯଦି ହୋଇଛି ପୁଲିସ ସିସିଟିଭି ଫୁଟେଜ ଜବତ କରିଛି କି? ପୁଲିସ ଚାପର ବଶବର୍ତୀ ହୋଇ ଜଣେ ନିର୍ଦୋଷଙ୍କୁ ଗିରଫ କରି ନାହିଁ ତ? କାରଣ ଛାତ୍ରୀଙ୍କ ଅଭିଯୋଗ ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ଛାତ୍ର କ୍ୟାମ୍ପସରେ ହୋ-ହଲ୍ଲା କରିଥିଲେ। ଖବର ପାଇ ବିଳମ୍ବିତ ରାତିରେ କଲେଜ କର୍ତୃପକ୍ଷ ଓ ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କୃଷ୍ଣ ପ୍ରସାଦ ମିଶ୍ର ନିଜ ଘରୁ କଲେଜକୁ ଆସିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଲିସ ଓ କଲେଜ କର୍ତୃପକ୍ଷଙ୍କ ମଧ୍ୟରେ ବୈଠକ ବସିଥିଲା। ବୈଠକ ପରେ ପୁଲିସ ହଠାତ ମନୋଜ ରୁମ୍‌ରେ ଚଢ଼ଉ କରି କ୍ୟାମ୍ପସର ଅନ୍ୟ ଏକ ଫାଟକ ବାଟେ ତାକୁ ଥାନାକୁ ନେଇ ଆସିଥିଲା। ତେଣୁ ଏ ପ୍ରଶ୍ନ ମଧ୍ୟ ଉଠିଛି ଯେ କଲେଜ ବଦନାମ ହେବା ଭୟରେ କର୍ତୃପକ୍ଷ ପୁଲିସକୁ ଭୁଆଁ ବୁଲାଇ ଚତୁର୍ଥ ଶ୍ରେଣୀ କର୍ମଚାରୀ ମନୋଜକୁ ବଳି ପକାଇ ଦେଇ ନାହାନ୍ତି ତ? ଏଭଳି ପରିସ୍ଥିତିରେ କେବଳ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟକୁ ହିଁ ଅପେକ୍ଷା କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ନା ନାହିଁ ଏବଂ ମନୋଜ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇ ଯିବ।

ଅନ୍ୟପକ୍ଷରେ ଏ ନେଇ ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କୃଷ୍ଣପ୍ରସାଦ ମିଶ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ଛାତ୍ରୀ ଜଣକ ଦୁଷ୍କର୍ମ ଅଭିଯୋଗ କରିବା ପରେ ଆମେ ଆଟେଣ୍ଡାଣ୍ଟ ମନୋଜକୁ ଗିରଫ କରିଛୁ। ମନୋଜ ମଧ୍ୟ ପୁଲିସ ଆଗରେ ଦୁଷ୍କର୍ମ କରିଥିବା ସ୍ୱୀକାର କରିଛି। କିନ୍ତୁ ଛାତ୍ରୀ ଓ ମନୋଜଙ୍କ ଡାକ୍ତରୀ ମାଇନା ରିପୋର୍ଟ ଆସିନାହିଁ। ଏହି ରିପୋର୍ଟ ଆସିବା ପରେ ସେହି ଅନୁଯାୟୀ ତଦନ୍ତ ରିପୋର୍ଟ ଦିଆଯିବ।

ସମ୍ବନ୍ଧିତ ଖବର