ବଢ଼ୁଛି ଲୁଟେରାଙ୍କ ଉତ୍ପାତ

ଚନ୍ଦ୍ରଶେଖରପୁର : ଶୈଳଶ୍ରୀବିହାରଠାରୁ ଆରମ୍ଭ କରି କାନନ ବିହାର ପର୍ଯ୍ୟନ୍ତ, ସବୁଠି ଲୁଟେରାଙ୍କ ଆତଙ୍କ। ଦିନ ଦ୍ବିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟିବାକୁ ପଛାଉ ନାହାନ୍ତି ଲୁଟେରା। ଗତ ୩ ମାସ ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ ଏତେ ବଢ଼ି ଯାଇଛି ଯେ ‌ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସନ୍ଧ୍ୟା ହେବା କ୍ଷଣି ମହିଳା, ଯୁବତୀମାନେ ଘରେ କବାଟ କିଳି ରହିବାକୁ ଉଚିତ୍‌ ମଣୁଛନ୍ତି। ପଦାକୁ ବାହାରୁ ନାହାନ୍ତି।

କେବଳ ସାଧାରଣ ଲୋକ ନୁହନ୍ତି। ବ୍ୟବସାୟୀମାନେ ବି ଲୁଟେରାଙ୍କ ଉତ୍ପାତରୁ ରକ୍ଷା ପାଉନାହାନ୍ତି। ରାତିରେ ଦୋକାନ ବନ୍ଦ କରି ବ୍ୟବସାୟୀମାନେ ଘରକୁ ଫେରି ଯାଉଥିବା ବେଳେ ସକାଳେ ଦୋକାନରେ କଳାକନା ବୁଲି ଯାଉଛି। ଲୁଟେରାଙ୍କ ଆତଙ୍କରେ ବିଡିଏ କଲୋନି ବାସିନ୍ଦା ଅଧିକ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ୧୫ ଦିନ ପୂର୍ବରୁ ବିଡିଏ କଲୋନି ବାସିନ୍ଦା ଓ ନୀଳକଣ୍ଠେଶ୍ବର ବ୍ୟବସାୟ ସଂଘର ବ୍ୟବସାୟୀମାନେ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ୧୨ ହଜାରରୁ ଅଧିକ ଲୋକ ବାସ କରୁଥିବା ବିଡିଏ କଲୋନିରେ ରାତି ପେଟ୍ରୋଲିଂ ବଢ଼ାଇବାକୁ ଦାବି କରିଥିଲେ।

ସବୁଠାରୁ ବଡ଼ କଥା ହେଉଛି ଯେ ଚନ୍ଦ୍ରଶେଖରପୁର ଥାନା ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଯେଉଁଠାକୁ ପ୍ରତିଦିନ ସାଧାରଣ ଲୋକ ଯିବା ଆସିବା କରିଥାନ୍ତି। ଗତ କିଛି ଦିନ ହେଲା ଏହି ଅଞ୍ଚଳରୁ ବାଇକ୍‌ ଚୋରି ବଢ଼ୁଛି। ଲୋକେ କାର୍ଯ୍ୟାଳୟ ବାହାରେ ଗାଡ଼ି ରଖି ଭିତରକୁ ଯାଉଛନ୍ତି। ଫେରିଲା ବେଳକୁ ଗାଡ଼ି ନାହିଁ। ବିଡିଏ କଲୋନିରେ ବି ସମାନ ଅବସ୍ଥା। ଦିନକୁ ଦିନ ଚୋରି, ଡକାୟତି, ନିଶା କାରବାର ବଢ଼ି ଚାଲିଛି। କିଛି ଅସାମାଜିକ ଯୁବକ ନମ୍ବରବିହୀନ ବାଇକ୍‌ରେ ଆସି ଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି। କମେଣ୍ଟ ବି ମାରୁଛନ୍ତି। ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି।

ବିଡିଏ କଲୋନିର ବରିଷ୍ଠ ନାଗରିକ ସଦାଶିବ ରାଉତ କୁହନ୍ତି, ବର୍ତମାନ ସମୟରେ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ଝିଅ, ବୋହୂମାନେ ପଦାକୁ ବାହାରି ପାରୁ ନାହାନ୍ତି। ଗତ କିଛି ଦିନ ତଳେ ଚନ୍ଦ୍ରଶେଖରପୁର ଥାନା ନିକଟରେ ଘର ଭିତରେ ପଶି ଲୁଟେରା ଯେଉଁଭଳି ଭାବେ ସାମଗ୍ରୀ ଲୁ‌ଟିନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ରାତିରେ ପିସିଆର୍‌ ଭ୍ୟାନ୍‌ ମୁଖ୍ୟ ରାସ୍ତାରେ ଚକ୍କର ନ କାଟି ଗଳିକନ୍ଦିରେ ବୁଲିବା ଆବଶ୍ୟକ।

ସମ୍ବନ୍ଧିତ ଖବର