ଅସୁରକ୍ଷିତ ଆପାର୍ଟମେଣ୍ଟ : ଫ୍ଲାଟ୍‌ରେ କଳାକନା ବୁଲାଇ ଦେ‌ଲେ, ୧୦ ଭରି ସୁନା, ଲକ୍ଷାଧିକ ଟଙ୍କା, ବିଦେଶୀ ମୁଦ୍ରା ଲୁଟ୍‌

ସିସି କ୍ୟାମେରା ଅଚଳ, ସନ୍ଦେହରେ ସୁରକ୍ଷାକର୍ମୀ

ଭୁବନେଶ୍ବର : ରାସ୍ତାରେ ଯିବାକୁ ଲୋକେ ଅସୁରକ୍ଷିତ ମନେ କରୁଥିଲେ। ଏବେ ଆପାର୍ଟମେଣ୍ଟର ଲୋକ ମଧ୍ୟ ଅସୁରକ୍ଷିତ ମନେ କଲେଣି। ଏକ ଫ୍ଲାଟରୁ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ରଘୁନାଥପୁରସ୍ଥିତ ସିଏସ୍ଏସ୍ ହୋମସ୍ ଆପାର୍ଟମେଣ୍ଟରେ। ଫ୍ଲାଟ୍ ନଂ-୩୦୧ରେ ରହୁଥିବା ପୁଷ୍କର ଠାକୁରଙ୍କ ଘର କବାଟ ଭାଙ୍ଗି ପ୍ରାୟ ୧୦ ଭରି ଓଜନର ସୁନା ଅଳଙ୍କାର, ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ଅଷ୍ଟ୍ରେଲୀୟ ମୁଦ୍ରା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଅପରାହ୍‌ଣରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପହଞ୍ଚି ସରଜମିନ୍ ତଦନ୍ତ କରିଛି। ଫ୍ଲାଟ୍ ମାଲିକ ପୁଷ୍କରଙ୍କ ସମ୍ପର୍କରେ ଜାଣିଥିବା କେହି ଦୁର୍ବୃତ୍ତ ଏପରି କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି।

ମିଳିଥିବା ସୂଚନା ଅନୁସାରେ, ଗତ ୨୧ ତାରିଖଠାରୁ ପୁଷ୍କର ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଆଜି ସକାଳେ ଫେରିବା ପରେ ଫ୍ଲାଟ୍ କବାଟ ତଡ଼ା ଯାଇଥିବା ଦେଖିଥିଲେ। ଘର ଭିତରକୁ ଯିବା ପରେ ଆଲମିରା ଭଙ୍ଗା ଯାଇଥିଲା। ଆଲମିରା ଖୋଲିବା ପରେ ତାହା ଭିତରୁ ୧୦ ଭରି ଓଜନର ସୁନା ଓ ରୁପା ଅଳଙ୍କାର, ଲକ୍ଷାଧିକ ଟଙ୍କା, ଲକ୍ଷାଧିକ ଟଙ୍କା ମୂଲ୍ୟର ଅଷ୍ଟ୍ରେଲିୟ ମୁଦ୍ରା ଲୁଟ୍ ହୋଇଥିବା ଜାଣିଥିଲେ। ଏ ନେଇ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ଘଟଣାସ୍ଥଳରେ ତଦନ୍ତ କରିଛି। ଆପାର୍ଟମେଣ୍ଟ ଭିତରେ କେମିତି ଏପରି ବଡଧରଣର ଚୋରି ହେଲା ତାକୁ ନେଇ ଉଠିଛି ପ୍ରଶ୍ନ।

ସିସି କ୍ୟାମେରା ଅଚଳ, ସନ୍ଦେହରେ ସୁରକ୍ଷାକର୍ମୀ
ପୁଷ୍କରଙ୍କ ଘର ଭିତରେ ଓ କବାଟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ହୋଇ ପଡ଼ିଛି। ସୁରକ୍ଷାକର୍ମୀ ନିୟୋଜିତ ଥିଲେ ବି କେମିତି ଚୋରି ହେଲା ତାକୁ ନେଇ ଉଠିଛି ପ୍ରଶ୍ନ। ପୁଷ୍କର ଘରେ ନ ଥିବା ଖବର ନିଶ୍ଚିତ ଭାବେ ଚିହ୍ନା ପରିଚିତ ଲୋକଙ୍କୁ ଜଣାଥିବ। ଏହି ଚୋରି ପଛରେ ସୁରକ୍ଷାକର୍ମୀ ସନ୍ଦେହ ପରିସରକୁ ଆସିଛନ୍ତି। ନନ୍ଦନକାନନ ଥାନା ପୁଲିସ ସୁରକ୍ଷାକର୍ମୀଙ୍କୁ ପଚରାଉଚରା ବି କରିଛନ୍ତି। ଫ୍ଲାଟର କବାଟ, ଆଲମିରାରୁ ସଂଗ୍ରହ କରା ଯାଇଥିବା ଫିଙ୍ଗର ପ୍ରିଣ୍ଟକୁ ପୁଲିସ ମ୍ୟାଚ୍ କରାଇବ ବୋଲି କହିଛି।

ସମ୍ବନ୍ଧିତ ଖବର