ମାତିଛନ୍ତି ଲୁଟେରା, କାମ କରୁନି ସ୍ପେସାଲ ସ୍କ୍ବାଡ୍‌

ଭୁବନେଶ୍ବର : କମିସନରେଟ ପୁଲିସର ସ୍ପେସାଲ ସ୍କ୍ବାଡ୍। ନାଁ ଶୁଣିଲେ ବଡ଼ ବଡ଼ ଅପରାଧୀମାନଙ୍କ ଆଖିରୁ ନିଦ ହଜି ଯାଇଥାଏ। ଚର୍ଚିତ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଡକାୟତି, ଲୁଟ୍‌ପାଟ ଘଟଣାକୁ ଚୁଟ୍‌କିରେ ପର୍ଦାଫାସ କରିଥାଏ। ଏହି ସ୍ପେସାଲ ସ୍କ୍ବାଡ୍‌ର ଅଫିସର ଓ କର୍ମଚାରୀମାନେ ଅଣ୍ଡରକଭର ପୁଲିସ ଭଳି ରାଜଧାନୀରେ କାମ କରିଥାନ୍ତି। ହାଇ-‌ପ୍ରୋଫାଇଲ ଅପରାଧୀଙ୍କଠାରୁ ଆରମ୍ଭ କରି ଗଳି ଗୁଣ୍ଡା ପର୍ଯ୍ୟନ୍ତ ସେମାନଙ୍କ ନଜରରେ ଥା’ନ୍ତି। ଏପରିକି ଦୁର୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିବାରେ ସ୍ପେସାଲ ସ୍କ୍ବାଡ୍ ସିଦ୍ଧହସ୍ତ। କମିସନରେଟ ପୁଲିସର ସ୍ପେସାଲ ସ୍କ୍ବାଡକୁ ଦେଖି ରାଜ୍ୟର ଜିଲ୍ଲା ପୁଲିସରେ ମଧ୍ୟ ସ୍ପେସାଲ ସ୍କ୍ବାଡ୍ ଗଠନ ହୋଇଥିଲା। କିନ୍ତୁ ରାଜଧାନୀରେ ଥିବା ସ୍ପେସାଲ ସ୍କ୍ବାଡ୍‌ ମୁଖ୍ୟ ପଦ ଦୁଇ ମାସ ହେବ ଖାଲି ପଡ଼ିଛି। ଫଳରେ ଏବେ ରାଜଧାନୀରେ ଘଟି ଯାଇଥିବା କେତେକ ଡକାୟତି, ଲୁଟପାଟ ଓ ସିନ୍ଧିଚୋରି ଭଳି ଘଟଣାର ତଦନ୍ତ ଧିମେଇ ଯାଇଛି। ଏହାର ଫାଇଦା ଉଠାଉଛନ୍ତି ଲୁଟେରା। ଗତ ମାସରେ ପାଖାପାଖି ୨୫ଟି ଲୁଟ୍‌ପାଟ, ଏକାଧିକ ଛିନତାଇ, ଡକାୟତି, ଗୁଳିକାଣ୍ଡ, ବୋମାମାଡ଼ ଓ ହତ୍ୟାକାଣ୍ଡ ଭଳି ଘଟଣା ଘଟି ଯାଇଛି।

ରାଜଧାନୀର ଅପରାଧୀ ଓ ଅପରାଧ ଉପରେ ସ୍ବତନ୍ତ୍ର ଭାବେ ନିଜର ରଖିବାକୁ ସ୍ପେସାଲ ସ୍କ୍ବାଡ ଗଠନ ହୋଇଥିଲା। ସ୍ପେସାଲ ସ୍କ୍ବାଡର ଅଧିକାରୀମାନେ ଯେକୌଣସି ଅପରାଧର ତଦନ୍ତରେ ଅନ୍ୟ ଅଧିକାରୀମାନଙ୍କଠାରୁ ଦୁଇ ପାଦ ଆଗରେ ଥାଆନ୍ତି। ବିଶେଷକରି ଅଭିଯୁକ୍ତମାନଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକିଂ, ଡମ୍ପିଂ କରିବା, କଲ ଡିଟେଲ୍ସ ଯାଞ୍ଚ, ଫୋନ୍‌କୁ ଏଲ୍‌ଆଇ ନେବା ଆଦି ସମ୍ପର୍କରେ ଏମାନଙ୍କ ଜ୍ଞାନ ଅଧିକ ଥାଏ। ଫଳରେ ଅଭିଯୁକ୍ତଟିଏ କେଉଁଠି ରହୁଛି, କାହା କାହା ସହ ମୋବାଇଲ ଫୋନ୍‌ରେ କଥା ହେଉଛି ବା ତାକୁ କିଏ ଫୋନ୍ କଲ କରୁଛି, ସ୍ପେସାଲ ସ୍କ୍ବାଡ୍‌ର ଅଧିକାରୀମା‌ନେ ତାହା ଜାଣି ପାରିଥାନ୍ତି। ଏହାକୁ ଆଧାର କରି ପୁଲିସ ଅପରାଧୀମାନଙ୍କ ନିକଟରେ ପହଞ୍ଚି ଯାଇଥାଏ। ବିଭିନ୍ନ ଟେଲିକମ୍‌ କମ୍ପାନି ସହ ସ୍ପେସାଲ ସ୍କ୍ବାଡ୍‌ ଅଧିକାରୀମାନଙ୍କର ସୁସମ୍ପର୍କ ଥାଏ। ବଡ଼ କଥା ହେଉଛି ପୂରା ରାଜଧାନୀରେ ଯେ କୌଣସି ଥାନା ଅଞ୍ଚଳରେ ଏମାନେ ଅପରେସନ୍‌ ଚଳାଇ ପାରିବେ। ଏପରିକି ସ୍ପେସାଲ ସ୍କ୍ବାଡ୍‌ର ଅଧିକାରୀମାନେ ଜିଲ୍ଲା ବାହାରକୁ ଯାଇ ଅପରାଧୀଙ୍କୁ ଉଠାଇ ଆଣିଥାନ୍ତି। ବଡ଼ କଥା ହେଉଛି, ଏହା ପ୍ରତ୍ୟକ୍ଷ ଭାବେ ଡିସିପିଙ୍କ ତତ୍ତ୍ବାବଧାନ ଓ ନିର୍ଦେଶରେ ଚାଲିଥାଏ। କିନ୍ତୁ ଏଭଳି ଏକ ସେଲ୍‌କୁ ଏବେ କମିସନରେଟ ପୁଲିସ ନିଜେ ଅକାମି କରିଦେଇଛି। ଗତ ଦୁଇ ମାସ ହେବ ସ୍ପେସାଲ ସ୍କ୍ବାଡ୍‌ ଇନ୍ସପେକ୍ଟର ଓ ଏସିପି ଭଳି ଗୁରୁତ୍ବପୂର୍ଣ୍ଣ ପଦ ଖାଲିଥିଲେ ମଧ୍ୟ କାହାକୁ ଏଯାଏ ନିଯୁକ୍ତି ମିଳିନାହିଁ। ଏପରି ସୁଯୋଗରେ ଲୁଟେରାମାନେ ରାଜଧାନୀରେ ପୁଲିସ ସହ ଲୁଚକାଳି ଖେଳୁଛନ୍ତି।

ନୂଆ ପୁଲିସ ଇନ୍ସପେକ୍ଟରମାନଙ୍କୁ ତିଳେମାତ୍ର ଭୟ କରୁନାହାନ୍ତି। ଫଳ‌ରେ ମାସେ ହେବ ଲୁଟେରା ଓ ଡକାୟତମାନେ ରାଜଧାନୀବାସୀଙ୍କୁ କଲବଲ କଲେଣି। ପୂରା ମାସଟାଯାକ ରାଜଧାନୀରେ ଲୁଟେରା, ସିନ୍ଧିଚୋର ଓ ଡକାୟତ ଗ୍ୟାଙ୍ଗ୍ ଲୁଟପାଟର ଆତଙ୍କ ଖେଳାଇଛନ୍ତି। କେଉଁଠି ସକାଳୁ ସିରିଜ ଚେନ୍ ଲୁଟ କରି ଆତଙ୍କ ଖେଳାଇ ଦେଇଥିଲେ ତ ଆଉ କେଉଁଠି ବନ୍ଧୁକ ମୁନରେ ସୁନାଚେନ ଓ ବାଇକ ଛଡ଼ାଇ ନେଇଛନ୍ତି। ଖାଲି ସେତିକି ନୁହେଁ, ବ୍ୟବସାୟୀଙ୍କ ବ୍ୟାଗ୍ ଭର୍ତି ସୁନାଗହଣା ମଧ୍ୟ ଛଡ଼ାଇ ନେଇଛନ୍ତି ଲୁଟେରା। ରାଜଧାନୀ ଉପକଣ୍ଠରେ ସିନ୍ଧିଚୋର ଓ ଡକା‌ୟତଙ୍କ ପାଦୁର୍ଭାବ ମଧ୍ୟ କମ୍ ନୁହେଁ। ଘରୁ ଗୋଡ଼ କାଢ଼ି ପଦାକୁ ଗଲେ ଆଲମାରି ତାଡ଼ି ବୋହି ନେଇଛନ୍ତି ସୁନାଗହଣା। ଏପରିକି ଘରେ ପଶି ବନ୍ଧୁକ ମୁନରେ ଡକାୟତି ମଧ୍ୟ କରିଛନ୍ତି। ମାସେ ହେବ ଧଉଳି, ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର, ସହିଦନଗର, ନୂଆପଲ୍ଲୀ ଓ ମଞ୍ଚେଶ୍ବର ଥାନାରେ ଏଭଳି ପୁଳାପୁଳା‌ ଅଭିଯୋଗ ପହଞ୍ଚିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଘଟଣାରେ ଲୁଟେରାମାନଙ୍କୁ ଗିରଫ କରିବାରେ ପୁଲିସ ଫେଲ ମାରିଛି। ଏପରିକି ଧରା ପଡ଼ିଥିବା ଜଣେ ଡକାୟତର ସହଯୋଗୀଙ୍କୁ ମଧ୍ୟ ଠାବ କରି ପାରିନାହିଁ ପୁଲିସ। ପୁଲିସର ଏଭଳି ଫେଲ ମାରିବା ପଛରେ ଏକ ବଡ଼ କାରଣ ହେଉଛି, ସ୍ପେସାଲ ସ୍କ୍ବାଡ୍‌ ଅଧିକାରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦ ଖାଲି ପଡ଼ିବା। ଏହି କାରଣରୁ ଏବେ ଅପରାଧୀମାନଙ୍କୁ ଟ୍ରାକିଂ କରିବାରେ ମଧ୍ୟ ବିରାଟ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟା ଭୁବନେଶ୍ବର ଭଳି କଟକରେ ମଧ୍ୟ ଦେଖାଦେଇଛି। ଭୁବନେଶ୍ବର ସ୍ପେସାଲ ସ୍କ୍ବାଡ ମୁଖ୍ୟ ଏସିପି ସଂଜୀବ ଶତପଥୀଙ୍କ କଟକ ବଦଳି ହୋଇଥିବା ବେଳେ କଟକର ସ୍ପେସାଲ ସ୍କ୍ବାଡ୍‌ ଏସିପି ପ୍ରମୋଦ ରଥଙ୍କ ବଦଳି କ୍ରାଇମ୍‌ ବ୍ରାଞ୍ଚକୁ ହୋଇଛି। ଫଳରେ ଏବେ ଦ୍ବୈତନଗରୀରେ ଅପରାଧୀମାନେ ଉପରମୁହାଁ ହୋଇ ଯାଇଛନ୍ତି।

ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ନିର୍ବାଚନ ପାଇଁ ପୁଲିସ ଅଦଳବଦଳ ବେଳେ କଟକ ସ୍ପେସାଲ ସ୍କ୍ବାଡ ଏସିପି ପ୍ରମୋଦ ରଥଙ୍କ ବଦଳି କ୍ରାଇମ୍‌ ବ୍ରାଞ୍ଚକୁ ହୋଇଛି। ଭୁବନେଶ୍ବର ସ୍ପେସାଲ ସ୍କ୍ବାଡ ଏସିପି ସଂଜୀବ ଶତପଥୀଙ୍କ ବଦଳି କଟକକୁ ହୋଇଛି। କିନ୍ତୁ ସେ ଏବେ କଟକ ଓ ଭୁବନେଶ୍ବରର ସ୍ପେସାଲ ସ୍କ୍ବାଡ୍‌ ଦାୟିତ୍ବରେ ଅଛନ୍ତି। ଭୁବନେଶ୍ବର ପ୍ରତି ଅଧିକ ଧ୍ୟାନ ଦେବାକୁ ତାଙ୍କୁ କୁହାଯାଇଛି। କଟକରେ ଅଜୟ ଦାସ ନାମକ ଜଣେ ଇନ୍ସପେକ୍ଟର ମଧ୍ୟ ଏହି ଦାୟିତ୍ବରେ ଅଛନ୍ତି।

ସମ୍ବନ୍ଧିତ ଖବର