ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡିରୁ ଚୋରି ଘଟଣା: ମୁଣ୍ଡିଆ ମାରିବା ଆଳରେ ଚୋରି ମନ୍ଦିର ପ୍ରଶାସନ ଚୁପ୍‌ କାହିଁକି?

ସିସିଟିଭିରେ ଚୋର, ପୂର୍ବରୁ ବି ହୋଇଥିଲା ଚୋରି

ପୁରୁଣା ଭୁବନେଶ୍ୱର:ଶ୍ରୀଲିଙ୍ଗରାଜ ମନ୍ଦିର ଜଗମୋହନଠାରେ ଥିବା ହୁଣ୍ଡିରୁ ଚୋରି ଘଟଣାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଆଜି ବିଧିବଦ୍ଧ ଭାବେ ଏକ ମାମଲା ରୁଜୁ କରିଛି। ଆଜି ସକାଳୁ ଖରାବେଳ ପର୍ଯ୍ୟନ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଲୁଟେରାକୁ ଠାବ କରିଛି। ଫୁଟେଜ୍‌ରେ ଦେଖାଯାଉଛି ଯେ ହୁଣ୍ଡିକୁ ମୁଣ୍ଡିଆ ମାରିବା ଆଳରେ  ଜଣେ ଯୁବକ ସେଥିରେ କାଗଜ ଠୋଲା ଲଗାଉଛି। ଏହି ଭିଜୁଆଲକୁ ପୁଲିସ ଜବତ କରି ସମ୍ପୃକ୍ତ ଦୁର୍ବୃତ୍ତକୁ ଚିହ୍ନଟ ପାଇଁ ଉଦ୍ୟମ ଆରମ୍ଭ କରିଛି। କିନ୍ତୁ ପୁଲିସ ପକ୍ଷରୁ ଏହି ଫୁଟେଜ୍‌କୁ ଲୁଚାଇ ରଖିବାକୁ ଉଦ୍ୟମ ହୋଇଛି। କାହାରିକୁ ଦିଆଯାଇନଥିବା ବେଳେ ସାର୍ବଜନୀନ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ଚିହ୍ନଟରେ ସମସ୍ୟା ହୁଏ, ତାହାକୁ ସାର୍ବଜନୀନ କରି ସାଧାରଣ ଲୋକଙ୍କଠାରୁ ସହାୟତା ମଗାଯାଏ। ଏଠାରେ କିନ୍ତୁ ବ୍ୟତିକ୍ରମ ଘଟିଛି। ମନ୍ଦିର ପ୍ରଶାସନ ଏହାକୁ ସାର୍ବଜନୀନ କରିବା ପରିବର୍ତ୍ତେ ଲୁଚାଇ ରଖିଛି। ଏଣୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଚୋରି କରୁଥିବା ଲୋକ ଚିହ୍ନଟ ହେଲେ ମନ୍ଦିର ପ୍ରଶାସନର କେହି ପଦାରେ ପଡ଼ିଯିବା ଆଶଙ୍କା ଥିବାରୁ ଏଭଳି କରାଯାଇଥିବା ଅନୁମାନ କରାଯାଉଛି। ନଚେତ୍‌ ଏହା ପଛରେ ଏଭଳି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଧରାପଡ଼ିବା ଭୟରେ ଭିଜୁଆଲ ସାର୍ବଜନୀନ ନ କରିବା ପାଇଁ ଚାପ ପକାଇଛନ୍ତି। ଏଭଳି ଅନେକ ପ୍ରଶ୍ନ ଏବେ ଭକ୍ତଙ୍କୁ ଆନ୍ଦୋଳିତ କରୁଛି। ମନ୍ଦିର ପ୍ରଶାସନ ଥାନାରେ ଏତଲା ଦେଇ ଦୁଇ ଜଣ କର୍ମଚାରୀ ହୁଣ୍ଡିକୁ ନଜର ରଖିବେ ବୋଲି ଆଜି ନିର୍ଦେଶ ଦେଇଛି। ନିଜ ଆଡୁ ତଦନ୍ତ କରୁନାହିଁ କିମ୍ବା କହାରିକୁ ନୋଟିସ ମଧ୍ୟ କରିନାହିଁ, ବରଂ ଭିଜୁଆଲକୁ ଚାପି ରଖିଛି। ଭିଜୁଆଲରେ ଥିବା ଦୃଶ୍ୟ ମୁତାବକ, ସାଧାରଣ ଭକ୍ତ ଭଳି ହୁଣ୍ଡି ପାଖରେ ଠିଆ ହୋଇ ଦୁର୍ବୃତ୍ତ କାଗଜ ଠୋଲା ଲଗାଉଛି। ପରେ ଠୋଲାରୁ ପଇସା ନେଇଯାଉଛି। ସାର୍ଟ ପ୍ୟାଣ୍ଟ୍ ପିନ୍ଧିଥିବା ଏହି ଦୁର୍ବୃତ୍ତଜଣକ ହୁଣ୍ଡିଙ୍କୁ ମୁଣ୍ଡିଆ ମାରିବା ବାହାନାରେ ଏହି କାମ କରୁଛି। କୌଣସି ବ୍ୟକ୍ତି ଏକ ସାଧାରଣ ଲୋକକୁ ମୋହରା କରି ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି।

ଅପରପକ୍ଷେ ମନ୍ଦିରରେ ଏହା ପ୍ରଥମ ଚୋରି ନୁହେଁ, ପୂର୍ବରୁ ମଧ୍ୟ ହୁଣ୍ଡିରୁ ଏପରି ଟଙ୍କା ଚୋରି ହୋଇଛି। ୫ବର୍ଷ ତଳେ ମା’ ପାର୍ବତୀଙ୍କ ଜଗମୋହନ ହୁଣ୍ଡିରୁ ଚୋରି ହୋଇଥିଲା। ସେତେବେଳେ କିଛି ଦୁର୍ବୃତ୍ତ ସୂତାରେ ଚୁଇଙ୍ଗମ୍‌ ଲଗାଇ ଚୋରି କରିଥିଲେ। ଚୁଇଙ୍ଗମ୍‌କୁ ହୁଣ୍ଡି ଭିତରକୁ ପୂରାଇ ସେଥିରେ ଟଙ୍କା ଲାଗିବା ପରେ ତାକୁ ବାହାରକୁ କାଢ଼ି ନେଇ ଯାଉଥିଲେ। ସେତେବେଳେ ହୁଣ୍ଡିରୁ ଟଙ୍କା ଗଣତି ବେଳେ ସେଥିରୁ ଚୁଇଙ୍ଗମ୍‌ ମିଳିବାରୁ ଘଟଣା ପଦାକୁ ଆସିଥିଲା। ଏହା ପରେ ନୂତନ ଶୖଳୀରେ ହୁଣ୍ଡି ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ତା’ପରେ ମଧ୍ୟ ଏଭଳି ଚୋରି ଏବେ ଚର୍ଚ୍ଚାକୁ ଆସିଛି। ପ୍ରଶାସନ ଖୋଳତାଡ଼ କରିବା ପରିବର୍ତ୍ତେ ଘଟଣାକୁ ଲୁଚାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ପ୍ରଶାସନ ପକ୍ଷରୁ କେହି କିଛି କହିବା ପାଇଁ ଚାହିନାହାନ୍ତି। ସୂଚନା ଅନୁଯାୟୀ ଗତକାଲି ପୂର୍ବାହ୍ନ ୧୧ଟାରେ ମନ୍ଦିର ପ୍ରଶାସନ ଅଧିକାରୀ, ଆହ୍ଲାବାଦ ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ଶ୍ରୀଲିଙ୍ଗରାଜଙ୍କ ଜଗମୋହନଠାରେ ଥିବା ହୁଣ୍ଡି ଖୋଲା ଯାଇଥିଲା। ହୁଣ୍ଡି ଭିତରୁ ୮ଟି କାଗଜ ଠୋଲା ବାହାରିଥିଲା। କିଛି ଅଠାରେ ଲାଗିଥିବା ବେଳେ କିଛି ଫାଟି ହୁଣ୍ଡି ଭିତରକୁ ଖସି ପଡ଼ିଥିଲା। ଏଣୁ ଠୋଲା ଲଗାଇ ଚୋରି ହୋଇଥିବା ସ୍ପଷ୍ଟ ହେବାରୁ ମନ୍ଦିର ପ୍ରଶାସନ ଏତଲା ଦେଇଥିଲା। ଏତଲାକୁ ଆଧାର କରି ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏକ ମାମଲା(୪୬/୧୯) ରୁଜୁ କରି ତଦନ୍ତ କରୁଛି। ମନ୍ଦିର କାର୍ଯ୍ୟ ନୀର୍ବାହୀ ଅଧିକାରୀ ଦୁଇ ଜଣ କର୍ମଚାରୀ ହୁଣ୍ଡିରେ ନଜର ରଖିବା ପାଇଁ ଦେଇଥିବା ନିର୍ଦେଶ ମୁତାବକ ଆଜିଠାରୁ ହୁଣ୍ଡି ଜଗିବା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର