ମାଷ୍ଟରକ୍ୟାଣ୍ଟିନ ଛକରୁ ଲୁଟ୍
ଭୁବନେଶ୍ବର : ଖାରବେଳନଗର ଥାନା ଅଧୀନ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏକ ଗହଣା ଦୋକାନ ନିକଟରେ ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି। ଲୁଟ୍ର ଶିକାର ହୋଇଥିବା ମହିଳା ଜଣକ ହେଲେ ଖଣ୍ଡଗିରିବାରିର ଭାରତୀ ରାତୱା। ଏ ନେଇ ଭାରତୀ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଲୁଟେରାର ଏକ ବାଇକ ଜବତ କରିଛି। ବାଇକ ନମ୍ବରକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଗତକାଲି ସୁଧାକର ରାତୱା ଓ ତାଙ୍କ ପତ୍ନୀ ଭାରତୀ ମାର୍କେଟିଂ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକକୁ ଆସିଥିଲେ। ସେଠାରେ ଏକ ଗହଣା ଦୋକାନ ନିକଟରେ ଉଭୟ ଦମ୍ପତି ଛିଡ଼ା ହୋଇଥିବା ବେଳେ ଜଣେ ଲୁଟେରା ଭାରତୀ ଧରିଥିବା ବ୍ୟାଗ୍କୁ ଝାମ୍ପିନେଇ ଚମ୍ପଟ ମାରିଥିଲା। ବ୍ୟାଗ ଚୋରି ହେବା ଜାଣି ମହିଳା ଜଣକ ଚିତ୍କାର କରିଥିଲେ। ଚିତ୍କାର ଶୁଣି ନିକଟରେ ଥିବା ଫିନିକ୍ସ ସେବାର ସଦସ୍ୟମାନେ ଲୁଟେରାର ପିଛା କରି ରବି ଟକିଜ୍ ନିକଟରେ ଧରିବାରେ ସଫଳ ହୋଇଥିଲେ। କିନ୍ତୁ ଠେଲାପେଲାରେ ଲୁଟେରା ଜଣକ ନିଜ ବାଇକ୍ ଛାଡ଼ି ଖସି ପଳାଇଥିଲା। ଚୋରି ହୋଇଥିବା ବ୍ୟାଗ୍ ଓ ଲୁଟେରାର ବାଇକ୍କୁ ଯୁବକମାନେ ଖାରବେଳନଗର ଥାନା ପୁଲିସ ନିକଟରେ ଜିମା ଦେଇଥିଲେ। ବ୍ୟାଗ୍ରେ ନଗଦ ଟଙ୍କା ସୁନା ସହ କିଛି ମୂଲ୍ୟବାନ ସାମଗ୍ରୀ ଥିଲା । ଥାନା ଅଧିକାରୀ ଉକ୍ତ ଅଣ ଓଡ଼ିଆ ଦମ୍ପତିଙ୍କୁ ବ୍ୟାଗ୍ ଫେରାଇ ଦେବା ସହ ଏହି ଘଟଣାର ତଦନ୍ତ କରୁଛନ୍ତି। ସେପଟେ ସାହସର ସହ ଲୁଟେରାକୁ ପିଛାକରି ବ୍ୟାଗକୁ ଉଦ୍ଧାର କରିଥିବାରୁ ଫିନିକ୍ସ ସେବାର ଏହି ସଦସ୍ୟମାନଙ୍କୁ ପୁଲିସ ସମେତ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ସୂଚନା ଥାଉକି ଏହି ଘଟଣାରେ ଲୁଟେରାକୁ ପିଛା କରିଥିବା ଯୁବକ ମାନେ ହେଉଛନ୍ତି ମାଲ୍ଲିକ ଅଓ୍ବେସ୍, ସୁମିତ ରାଉତରାୟ, ବିନୋଦ କୁମାର ପଲେଇ ଓ ରବି ନାରାୟଣ ବେହେରା ।