ଲୁଟିବାକୁ ପଥ ଉତ୍ସବ ମାଧ୍ୟମ, ଆଖିରେ ଆଙ୍ଗୁଠି ଗେଞ୍ଜି ମାସକୁ ୮ଲକ୍ଷରୁ ଅଧିକ ଲୁଟ୍‌

ଆୟୋଜନ କରିବାକୁ ୩ଲକ୍ଷ ଟଙ୍କା ନେଉଛି ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା‌, ବର୍ଷକରେ ଆୟୋଜନ ଖର୍ଚ୍ଚ ଲକ୍ଷେ ଟଙ୍କା ବଢ଼ିଗଲା

ଭୁବନେଶ୍ବର: ପ୍ରତି ରବିବାର ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଜନପଥରେ ଆୟୋଜିତ ହେଉଥିବା ‘ପଥ ଉତ୍ସବ’ ଏବେ ରାଜଧାନୀବାସୀଙ୍କ ମନୋରଞ୍ଜନର ପ୍ରଥମ ପସନ୍ଦର ସ୍ଥାନ ପାଲଟିଛି। ଏଥିପାଇଁ ପ୍ରତ୍ୟେକ ରବିବାର ୧୫ରୁ ୨୦ହଜାର ଲୋକଙ୍କ ଭିଡ଼ ବି ଏଠାରେ ଜମୁଛି। କିନ୍ତୁ ଏହି ପଥ ଉତ୍ସବ ଏବେ କେତେକ ଅଧିକାରୀଙ୍କ ଦୁଇ ନମ୍ବରି ଆୟର ଅନ୍ୟତମ ଉତ୍ସ ପାଲଟିଛି। ସରକାରୀ ଅର୍ଥକୁ ଲୁଟିବାକୁ କେତେକ ଅଧିକାରୀ ଏବେ ପଥ ଉତ୍ସବକୁ ମାଧ୍ୟମ କରିନେଇଛନ୍ତି। ଏଥିପାଇଁ ନିଜେ ଆୟୋଜନ କରିବାକୁ ଥିବା କାର୍ଯ୍ୟକ୍ରମକୁ ଗୋଟିଏ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ଦେଇ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଛନ୍ତି। ରାଜଧାନୀବାସୀ ଯେପରି ଯାତାୟାତ ପାଇଁ ଅଧିକ ମାତ୍ରାରେ ନିଜସ୍ବ ଗାଡ଼ି ବ୍ୟବହାର ନକରି ସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭର କରିବେ। ଭୁବନେଶ୍ବରର ପ୍ରଦୂଷଣ ମାତ୍ରା କମାଇବା‌, ଲୋକଙ୍କୁ ସାଇକେଲ୍‌ ଚଲାଇବାକୁ ଉତ୍ସାହିତ କରିବା, ଫୁଟପାଥ୍‌ର ବ୍ୟବହାର କରିବା ନେଇ ସଚେତନତା‌ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ରାହଗିରି। ବର୍ଷକ ପରେ ପୁଣି ଏହା ପଥ ଉତ୍ସବ ନାମରେ ଆରମ୍ଭ ହୋଇଥିଲା। ଭୁବନେଶ୍ବର ମହାନଗର ନଗର ନିଗମ (ବିଏମ୍‌ସି), ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏହି ପଥ ଉତ୍ସବ ଆୟୋଜନ କରାଯାଉଥିଲେ ହେଁ କର୍ତ୍ତୃପକ୍ଷ ଏହାକୁ ଏକ ଘରୋଇ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା (ପ୍ରିଲ୍ୟୁଡ୍‌)କୁ ଦେଇଛନ୍ତି। ଘରୋଇ ସଂସ୍ଥାକୁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଘରୋଇ ସଂସ୍ଥାକୁ ଆୟୋଜନ ପାଇଁ ଯେଉଁ ମାତ୍ରାରେ ଅର୍ଥ ଦିଆଯାଉଛି ସେନେଇ ଏବେ ପ୍ରଶ୍ନ ଉଠିଲାଣି। ଏବେ ପ୍ରିଲ୍ୟୁଡ୍‌କୁ ପ୍ରତି କାର୍ଯ୍ୟକ୍ରମ ପିଛା କର୍ତ୍ତୃପକ୍ଷ ୩ଲକ୍ଷ ଟଙ୍କା ଦେଉଛନ୍ତି। ଯାହା ୨୦୧୭ରେ ୨ଲକ୍ଷ ଟଙ୍କା ଥିଲା। ୨୦୧୭ରେ ଏହି ସଂସ୍ଥା ପଥ ଉତ୍ସବ ଆୟୋଜନ ପାଇଁ ଯାହା ଯାହା କରୁଥିଲା ଏବେବି ତାହା କରୁଛି। ହେଲେ ବର୍ଷକରେ ଆୟୋଜନ ଖର୍ଚ୍ଚ ଏକ ଲକ୍ଷ ଟଙ୍କା କିପରି ବଢ଼ିଲା ସେନେଇ କର୍ତ୍ତୃପକ୍ଷଙ୍କ ନିକଟରେ କିଛି ଉତ୍ତର ନାହିଁ। ବିନା ଖୋଲା ଟେଣ୍ଡର୍‌ରେ କର୍ତ୍ତୃପକ୍ଷ ପ୍ରିଲ୍ୟୁଡ୍‌କୁ ବାଛିଥିବାବେଳେ କୌଣସି ପ୍ରକାରର ଖର୍ଚ୍ଚ ଆକଳନ ନକରି ହଠାତ୍ ଆୟୋଜନ ଖର୍ଚ୍ଚ ସପ୍ତାହକୁ ଲକ୍ଷେ ଟଙ୍କା ବଢ଼ାଇ ଦେବା ସମସ୍ତଙ୍କୁ ଚକିତ କରିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରିରୁ ମେ ଶେଷ ସପ୍ତାହ ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗରୁ ୬୦ଲକ୍ଷ ଟଙ୍କା ସ୍ପନସରସିପ୍ ବି ଆଣିଛନ୍ତି। ସଂସ୍କୃତି ବିଭାଗ ୩୦ଲକ୍ଷ ଏବଂ ପର୍ଯ୍ୟଟନ ବିଭାଗ ୩୦ଲକ୍ଷ ଟଙ୍କା ଦେଇଛି। ୨୦ ସପ୍ତାହ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଉଭୟ ବିଭାଗ ୬୦ଲକ୍ଷ ଟଙ୍କା ବି ମଞ୍ଜୁର କରିସାରିଲାଣି। ବିଡିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଫାଇଲ୍‌ରେ ସପ୍ତାହକୁ ୩ଲକ୍ଷ ଟଙ୍କା ପ୍ରିଲ୍ୟୁଡ୍‌କୁ ଦେବାକୁ ନିଷ୍ପତ୍ତି ହୋଇଛି। ହେଲେ ଆୟୋଜନର ମାନ ଏବଂ ଏଠାରେ ଉପଲବ୍ଧ ହେଉଥିବା ସୁବିଧାସୁଯୋଗ ଦେଖିଲେ ୩ଲକ୍ଷ ଟଙ୍କା ବହୁତ ଅଧିକ ବୋଲି ଯେ କେହି ବି ଅନୁଭବ କରିପାରିବେ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପଥ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ବିଭିନ୍ନ ସଂସ୍ଥା ନିଜ ଇଚ୍ଛାରେ ଏଥିରେ ସାମିଲ୍‌ ହୁଅନ୍ତି। ଏଥିପାଇଁ ଆମେ ସେମାନଙ୍କଠାରୁ କିଛି ଫି’ ନେଉନୁ କି ସେମାନେ କିଛି ଦିଅନ୍ତିନି। ସମସ୍ତ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ ଆୟୋଜନ କରିବା, ଦୁଇଟି ଷ୍ଟେଜ୍ ନିର୍ମାଣ କରିବା, ସାଉଣ୍ଡ ବ୍ୟବସ୍ଥା କରିବା ଏବଂ ଏଥିରେ ସାମିଲ୍‌ ହୋଇଥିବା ସଂସ୍ଥାଗୁଡ଼ିକୁ ଆବଶ୍ୟକୀୟ କାର୍ପେଟ୍, ଚେୟାର ଟେବୁଲ୍‌ ଆଦି ଯୋଗାଇବା, ସିକ୍ୟୁରିଟି ଗାର୍ଡ ମୁତୟନ କରିବା, ଷ୍ଟେଜ୍ ସମେତ କିଛି ସ୍ଥାନରେ ଫ୍ଲେକ୍ସ ଲଗାଇବା ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ପୂର୍ବରୁ ଏହି ସଂସ୍ଥାକୁ ପ୍ରତି କାର୍ଯ୍ୟକ୍ରମ ପିଛା ୨ଲକ୍ଷ ଟଙ୍କା ଦିଆଯାଉଥିବାବେଳେ ଏବେ ୩ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ହେଲେ ବର୍ଷକରେ କିପରି ୫୦% ଆୟୋଜନ ଫି’ ବଢ଼ିଗଲା ସେନେଇ କାହା ପାଖରେ ଉତ୍ତର ନାହିଁ। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଏମ୍‌ସି-ବିଡିଏର କର୍ମଚାରୀଙ୍କୁ ନେଇ ପଥ ଉତ୍ସବ ଆୟୋଜନ କରିହେବନି। ତେଣୁ ଆମେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ଦାୟିତ୍ବ ଦେଇଛୁ। ପ୍ରଥମରୁ ଏହି ସଂସ୍ଥା କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ରାହଗିରି ଆୟୋଜନ ବେଳେ ଆମେ ବିଭିନ୍ନ ଘରୋଇ ପ୍ରତିଷ୍ଠାନରୁ ସ୍ପନସରସିପ୍ ଆଣି କାର୍ଯ୍ୟକ୍ରମ କରୁଥିଲୁ। କିନ୍ତୁ ସବୁବେଳେ ଘରୋଇ ସଂସ୍ଥାରୁ ଅର୍ଥ ଆଣି କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ଭବ ନଥିଲା। ଏବେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗରୁ ସ୍ପନସରସିପ୍ ଆଣିଛୁ।

ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ବି ସନ୍ଦେହରେ
ପଥ ଉତ୍ସବ ପାଇଁ ସଂସ୍କୃତି ବିଭାଗ ୩୦ଲକ୍ଷ ଓ ପର୍ଯ୍ୟଟନ ବିଭାଗ ୩୦ଲକ୍ଷ କାହିଁକି ସ୍ପନସରସିପ୍ ଦେଇଛନ୍ତି ସେନେଇ ଏବେ ପ୍ରଶ୍ନ ଉଠିଲାଣି। ପଥ ଉତ୍ସବରେ ନା ଓଡ଼ିଆ ସଂସ୍କୃତିର ନା ଓଡ଼ିଶାର ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ହେଉଛି। କେବଳ ବିଭାଗର ଲୋଗୋ ଲାଗୁଛି। ଏଥିପାଇଁ ବିଭାଗ ଗୋଟିଏ କାର୍ଯ୍ୟକ୍ରମ ପାଇଁ ୩ଲକ୍ଷ ଟଙ୍କା କାହିଁକି ଦେଉଛି ସେ ପ୍ରଶ୍ନ ବା‌ କିଏ ପଚାରିବ। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ୬୦ଲକ୍ଷ ଟଙ୍କା ସ୍ପନସରସିପ୍ ଦେଇଥିଲେ ହେଁ ଏହି ଅର୍ଥ କେମିତି ଖର୍ଚ୍ଚ ହେବ ତା’ର ହିସାବ ବି ମାଗିନି। ଗୋଟିଏ ସରକାରୀ ସଂସ୍ଥାକୁ ଆଉ ଏକ ସରକାରୀ ସଂସ୍ଥା ଆର୍ଥିକ ସହାୟତା ଯୋଗାଉଥିବାବେଳେ ଅର୍ଥ ଖର୍ଚ୍ଚର ହିସାବ ମାଗିବାରେ କିଛି ବି ଅସୁବିଧା ନାହିଁ। କିନ୍ତୁ ବିଭାଗ ଏହା କରିନି। ସେହିପରି ସଂସ୍କୃତି ବିଭାଗ ୩୦ଲକ୍ଷ ଟଙ୍କା ନଦେଇ ଯଦି ବିଭିନ୍ନ ସାଂସ୍କୃତିକ ଦଳକୁ ୨୦ସପ୍ତାହ ପାଇଁ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ସୁଯୋଗ ଦେଇଥାନ୍ତା ତେବେ ଏହାର ଦଶ ଭାଗ କମ୍‌ ଅର୍ଥ ଖର୍ଚ୍ଚ ହୋଇଥାନ୍ତା। ଆଉ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିଥାନ୍ତା। ଏପରିକି ପର୍ଯ୍ୟଟନ ବିଭାଗ ୩୦ଲକ୍ଷ ଟଙ୍କା ଦେଇଥିଲେ ହେଁ ପଥ ଉତ୍ସବରେ ଓଡ଼ିଶା ପର୍ଯ୍ୟଟନର କିଛି ବି ପ୍ରଚାର ପ୍ରସାର କରାଯାଉନି। ନା ଫ୍ଲେକ୍ସ ଲାଗୁଛି ନା ଷ୍ଟାଣ୍ଡି ମାଧ୍ୟମରେ ପ୍ରଚାର ହେଉଛି।

୭୫ହଜାର ଟଙ୍କା ଜାଗାରେ ୩ଲକ୍ଷ କାହିଁକି?
ପ୍ରିଲ୍ୟୁଡ୍‌ ପଥ ଉତ୍ସବରେ ଯେଉଁ ସବୁ କାର୍ଯ୍ୟ କରୁଛି ସେଥିପାଇଁ ସର୍ବାଧିକ ୭୦ରୁ ୭୫ହଜାର ଖର୍ଚ୍ଚ ହେବ ବୋଲି ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା କହୁଥିବାବେଳେ ବିଏମ୍‌ସି-ବିଡିଏ କର୍ତ୍ତୃପକ୍ଷ କାହିଁକି ୩ଲକ୍ଷ ଟଙ୍କା ଦେଉଛନ୍ତି ସେନେଇ ପ୍ରଶ୍ନ ଉଠିଲାଣି। ଜଣେ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାର ଅଧିକାରୀଙ୍କ ହିସାବ ଅନୁଯାୟୀ, ସ୍ବସ୍ତି ନିକଟରେ ହେଉଥିବା ବଡ଼ ଷ୍ଟେଜ୍ ପାଇଁ ସର୍ବାଧିକ ୩୦ହଜାର ଟଙ୍କା, ରାମ ମନ୍ଦିର ନିକଟରେ ହେଉଥିବା ଷ୍ଟେଜ୍ ପାଇଁ ସର୍ବାଧିକ ୧୦ରୁ ୧୨ହଜାର ଟଙ୍କା, ୧୦ଟି ସଂସ୍ଥାକୁ କାର୍ପେଟ୍ ଓ ଚେୟାର ଟେବୁଲ୍ ଦେଲେ ସର୍ବାଧିକ ୧୫ହଜାର ଟଙ୍କା, କାର୍ଯ୍ୟକ୍ରମ ହେଉଥିବା ରାସ୍ତାର ଉଭୟ ପାର୍ଶ୍ବରେ ପୁଲିସ ମୁତୟନ ହେଉଥିବାରୁ ଜନପଥରେ ମୁତୟନ ହେଉଥିବା ୧୦ଜଣ ସୁରକ୍ଷା କର୍ମୀଙ୍କ ପାଇଁ ସର୍ବାଧିକ ୫ହଜାର ଟଙ୍କା ଖର୍ଚ୍ଚ ହେବ। ଏହି ହିସାବରେ ୬୨ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଫ୍ଲେକ୍ସ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ‌େଲ ଏହା ସର୍ବାଧିକ ୭୦ରୁ ୭୫ହଜାର ଟଙ୍କା ଖର୍ଚ୍ଚ ହେବ। ହେଲେ ପ୍ରିଲ୍ୟୁଡ୍‌କୁ କାହିଁକି ଗୋଟିଏ ଥର ଆୟୋଜନ ପାଇଁ ୩ଲକ୍ଷ ଟଙ୍କା ଦିଆଯାଉଛି ତାହା ଜଣାପଡ଼ୁନି।

ସମ୍ବନ୍ଧିତ ଖବର