ଶିଶୁପାଳଗଡ଼ରେ ଆତଙ୍କ, ବରିଷ୍ଠ ନାଗରିକଙ୍କ ହାତଗୋଡ଼ ବାନ୍ଧି ଲୁଟ୍‌

ଧଉଳି: ଧଉଳି ଥାନା ଅଧୀନ ଶିଶୁପାଳଗଡ଼ରେ ବରିଷ୍ଠ ନାଗରିକଙ୍କୁ ହାତଗୋଡ଼ ବାନ୍ଧି ଲୁଟ୍‌ ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ପ୍ଲଟ୍‌ ନଂ ୧୩୮/୪୭୩୭ରେ ରହୁଥିବା ବ୍ରଜକିଶୋର ମହାନ୍ତିଙ୍କ ଘର ପଛପଟ ଝରକା ତାଡ଼ି ୨ଜଣ ଦୁର୍ବୃତ୍ତ ୫ ଭରି ଓଜନର ଗୋଟିଏ ମଙ୍ଗଳସୂତ୍ର , ୨ଟି ସୁନା ଚେନ, ୪ଟି କାନଫୁଲ ସମେତ ୬ ଭରି ଓଜନର ରୁପା ଅଳଙ୍କାର ଓ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ ବେଳେ ସେମାନେ ଅତି ନିର୍ଦୟ ଭାବେ ଶ୍ରୀ ମହାନ୍ତି ଓ ତାଙ୍କ ପତ୍ନୀ ପୁଷ୍ପଲତାଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ସେହିପରି ଗଲାବେଳେ ମଧ୍ୟ ଘର ବାହାର ପଟୁ ତାଲା ପକାଇ ଦେଇଥିଲେ। ଘର ଭିତରେ ଦୀର୍ଘ ଦୁଇ ଘଣ୍ଟା କାଳ ବୃଦ୍ଧ ଦମ୍ପତି ଚିତ୍କାର କରିବା ପରେ ପଡ଼ୋଶୀମାନେ ତାଲା ଭାଙ୍ଗି ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଧଉଳି ଥାନା ପୁଲିସ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମା‌ନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ମିଳିଥିବା ସୂଚନା ମୁତାବକ, ଝାରସୁଗୁଡ଼ାସ୍ଥିତ ମହାନଦୀ କୋଇଲା ଖଣି (କୋଲଫିଲ୍ଡ ଲିମିଟେଡ୍‌) ସଂସ୍ଥାର ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ ଯନ୍ତ୍ରୀ ବ୍ରଜକିଶୋର ଓ ପତ୍ନୀ ପୁଷ୍ପଲତା ଏଠାରେ ରହି ଆସୁଛନ୍ତି। ସେମାନଙ୍କ ଏକମାତ୍ର ପୁଅ ଓ ବୋହୂ ଢେଙ୍କାନାଳ ଜିଲ୍ଲା ଖୁଣ୍ଟୁଣି‌ରେ ରୁହନ୍ତି। ଗତକାଲି ବିଳମ୍ବିତ ରାତିରେ ସେମାନେ ଶୋଇଥିବା ବେଳେ ୨ଜଣ ଦୁର୍ବୃତ୍ତ ଘର ପଛପଟ ଝରକା ତାଡ଼ି ଡାଇନିଂ ରୁମକୁ ବାଟେ ପଶିଥିଲେ। ସେ ଶୋଇଥିବା ପାଖ ୩ଟି ଯାକ ରୁମର କବାଟ ତାଲା ଭାଙ୍ଗି ଘରେ ଥିବା ଆଲମିରା, ଡ୍ରେସିଂ ଟେବୁଲ ଓ ବାକ୍ସ ତାଲା ଭାଙ୍ଗି ଟଙ୍କା ଓ ସୁନାଗହଣା ଖୋଜାଖୋଜି କରିଥିଲେ। ଘର ଭିତରେ ଦୀର୍ଘ ସମୟ ଧରି ଲୁଟପାଟ୍‌ ଚାଲିଥିଲେ ମଧ୍ୟ ସେମାନେ କିଛି ଜାଣି ପାରି ନଥିଲେ। ରାତି ପାଖାପାଖି ୨ଟାରେ ବ୍ରଜମୋହନଙ୍କୁ ପରିସ୍ରା ଲାଗିବାରୁ ସେ ଘର ବାହାରେ ଥିବା ପାଇଖାନା ଘରକୁ ଯିବାକୁ କବାଟ ଖୋଲିବା ବେଳେ ଦୁର୍ବୃତ୍ତ ତାଙ୍କୁ ଘର ଭିତରକୁ ପେଲି ନେଇଥିଲେ। ଟଙ୍କା ଓ ସୁନାଗହଣା କୋଉଠି ଅଛି କହି ତାଙ୍କୁ ଆଲମିରା ଚାବି ମାଗିଥିଲେ। ବ୍ରଜକିଶୋର ବିରୋଧ କରିବା ସହ ଝରକା ଖୋଲି ପଡ଼ୋଶୀଙ୍କୁ ଡାକ ପକାଇବାକୁ ଚେଷ୍ଟା କରିବାରୁ ଲୁହା ରଡ୍‌ ଧରିଥିବା ଯୁବକଜଣକ ତାଙ୍କ ହାତକୁ ପିଟି ଦେବାରୁ ସେ ଆହାତ ହୋଇ ତଳେ ପଡ଼ି ଯାଇଥିଲେ। ଅନ୍ୟ ଜଣେ ଯୁବକ ପୁଷ୍ପଲତାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେବା ବେଳେ ସେ ଧରି ପକାଇବାରୁ ଲକେଟ୍‌ଟି ତାଙ୍କ ହାତମୁଠାରେ ରହି ଯାଇଥିଲା। ଏହାପରେ ଆଲମିରା ତାଲା ଖୋଲି ହ୍ୟାଣ୍ଡ ବ୍ୟାଗରେ ଥିବା ସୁନା, ରୁପା ଅଳଙ୍କାର ଓ ଟଙ୍କା ଲୁଟି ନେଇ ମୁଖ୍ୟଗେଟ ବାଟେ ଫେରାର ହୋଇଯାଇଥିଲେ।

ବ୍ରଜମୋହନଙ୍କ କହିବା ଅନୁସା‌ରେ, ଲୁଟ୍‌ରେ ସଂପୃକ୍ତ ଦୁଇ ଯୁବକଙ୍କ ବୟସ ପାଖାପାଖି ୩୫ବର୍ଷ ବୟସ ହେବ। ସେମାନେ ମୁହଁ ଗାମୁଛାରେ ଘୋଡ଼ାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହାତରେ ଲୁହାରଡ୍‌ ଧରିଥିବା ବେଳେ ଅନ୍ୟ ଜଣେ ହାତରେ ସ୍କ୍ରୁ ଡ୍ରାଇଭର ଧରିଥିଲା। ଦୁହେଁ ଓଡ଼ିଆରେ ତାଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଭୟଭୀତ କରାଇଥି‌ଲେ। ବ୍ରଜକିଶାରଙ୍କ ଅଭିଯୋଗକୁ ଭିତ୍ତି କରି ଧଉଳି ଥାନା ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧିତ ଖବର