ବନ୍ଧୁକ ଦେଖାଇ ଲୁଟିନେଲେ ଗହଣା, କଟୁରି ମାଡ଼ରେ ଶିକ୍ଷୟିତ୍ରୀଙ୍କ ହାତ ଭାଙ୍ଗିଲା

ଭୁବନେଶ୍ବର: ଭୁବନେଶ୍ବରର କ୍ରାଇମ୍ ଜୋନ୍‌ ଖଣ୍ଡଗିରିରେ ପୁଣି ଘଟିଛି ଏକ ବଡ଼ଧରଣର ଲୁଟ୍‌ପାଟ୍‌। ସୋମବାର ରାତି ପ୍ରାୟ ୯ଟା ବେଳେ ଘାଟିକିଆ ରାସ୍ତାରେ ସିଇଟି କଲେଜ ନିକଟରେ ଏହି କାଣ୍ଡ ଘଟିଛି। ଚନ୍ଦକା ଥାନା ଗୋଠପାଟଣାରୁ କାର୍ ଯୋଗେ ପୋଖରୀପୁଟସ୍ଥିତ ଘରକୁ ଫେରୁଥିବା ପୁରୁଣା ଭୁବନେଶ୍ବର ବିଏମ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ମିଶ୍ର ଏହି ଲୁଟ୍‌ର ଶିକାର ‌ହୋଇଛନ୍ତି। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ତାଙ୍କୁ ଓ ତାଙ୍କର ଜଣେ ସମ୍ପର୍କୀୟାଙ୍କଠାରୁ ଗହଣା ଲୁଟିନେବା ସହ ତାଙ୍କ ହାତ ଭାଙ୍ଗି ଦେଇଛନ୍ତି। ଦୁର୍ବୃତ୍ତମାନେ ଦୁଇ ମହିଳାଙ୍କଠାରୁ ପ୍ରାୟ ୧୦୦ଗ୍ରାମ୍‌ରୁ ଅଧିକ ଓଜନର ସୁନା ହାର, ଚେନ୍‌, କାନଫୁଲ, ଚୁଡ଼ି ଆଦି ଗହଣା ଲୁଟି ନେଇଥିଲେ। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହ ଛାନ୍‌ଭିନ୍ ଜାରି ରଖିଛି, କିନ୍ତୁ ଲୁଟେରାମାନଙ୍କ ଟେର୍ ମିଳିନାହିଁ।

ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଶ୍ରୀମତୀ ମିଶ୍ର ଓ ତାଙ୍କ ସ୍ବାମୀ ସରୋଜ ସାମନ୍ତରାୟ ଗୋଠପାଟଣାସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ରାତି ପ୍ରାୟ ୯ଟା ବେଳେ ସେମାନେ ନିଜ ଘର ପୋଖରୀପୁଟକୁ ଫେରୁଥିଲେ। କାର୍‌ରେ ଶ୍ରୀମତୀ ମିଶ୍ର, ତାଙ୍କ ସ୍ବାମୀ ଓ ଅନ୍ୟ ଜଣେ ସମ୍ପର୍କୀୟା ଥିଲେ। ସେମାନେ ଘାଟିକିଆ ଛକ ପାର୍ ହୋଇ ସିଇଟି କଲେଜ ଛକ ନିକଟରେ ପହଞ୍ଚିଥିବା ବେଳେ ହଠାତ୍ ଏକ ବାଇକ୍‌ ତାଙ୍କ କାର୍ ସମ୍ମୁଖକୁ ଆସି ଅଟକିଥିଲା। ସେଥିରେ ମୁହଁକୁ ଢାଙ୍କି ରଖିଥିବା ଦୁଇଜଣ ଦୁର୍ବୃତ୍ତ ଥିଲେ। ବାଇକ୍‌କୁ ସମ୍ମୁଖ‌‌‌‌ରେ ଦେଖି କାର୍ ଡ୍ରାଇଭର ବ୍ରେକ୍ କରି ଅଟକି ଯାଇଥିଲା। ଜଣେ ଦୁର୍ବୃତ୍ତ ଅଚାନକ କାର୍ ଚାଳକ ନିକଟକୁ ଆସି ଏକ କଟୁରିରେ ଡୋର୍‌ କାଚକୁ ପିଟି ଦେଇଥିଲା ଓ ତାହା ଭାଙ୍ଗିଯିବା ପରେ ଚାଳକ ମୁଣ୍ଡରେ କଟୁରି ଲଗାଇ କାର୍ ଚାବି ଟାଣି ନେଇଥିଲା। ପରେ ପରେ ଦୁର୍ବୃତ୍ତଦ୍ବୟ ପଛ ଡୋର୍ ଖୋଲି ମହିଳାଦ୍ବୟଙ୍କୁ ଡରାଇଥିଲେ। ଗୁଳିମାଡ଼ ପୂର୍ବରୁ ଗହଣା ଖୋଲି ପକାଇବାକୁ ଧମକ ଦେଇଥିଲେ। ଜଣେ ଦୁର୍ବୃତ୍ତ ସମ୍ପର୍କୀୟାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗହଣା ସବୁ ଚଟାପଟ୍‌ ଖୋଲିବାକୁ ନିର୍ଦେଶ ଦେଇଥିଲା ଓ ସେ ସଙ୍ଗେ ସଙ୍ଗେ ଭୟରେ ଗହଣା ଖୋଲି ପକାଇଥିଲେ। ମାତ୍ର ଶ୍ରୀମତୀ ମିଶ୍ର ଟିକିଏ ବିଳମ୍ବ କରି ପ୍ରତିବାଦ କରିବାକୁ ଉଦ୍ୟମ କରିବାରୁ କଟୁରି ଧରିଥିବା ଦୁର୍ବୃତ୍ତଜଣଙ୍କ ତାଙ୍କ ହାତକୁ ଏକ ପା‌ହାର ପକାଇଥିଲା। ଡରାଇବାକୁ ସେ କଟୁରିର ଧାରୁଆ ପାର୍ଶ୍ବର ପଛପଟେ ପିଟି ଦେଇଥିଲା। ଏଥିରେ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଭୟରେ ସେ ମଧ୍ୟ ସମସ୍ତ ଗହଣା ଖୋଲି ଦୁର୍ବୃତ୍ତ ହାତକୁ ବଢ଼ାଇ ଦେଇଥିଲେ। ମଝିରେ ମଝିରେ ବନ୍ଧୁକ ଧରିଥିବା ଦୁର୍ବୃତ୍ତଜଣଙ୍କ ଶ୍ରୀ ସାମନ୍ତରାୟଙ୍କ ଓ ତାଙ୍କ ଚାଳକକୁ ଚୁପ୍‌ଚାପ୍ ବସି ରହିବାକୁ କହୁଥିବା ସହ ବନ୍ଧୁକ ପଛରେ ପିଟି ପକାଉଥିଲା। ପ୍ରାୟ ୨୦ ମିନିଟ୍‌ ଭିତରେ ଏହି ସବୁ କାଣ୍ଡ ଘଟିଗଲା ଓ ଦୁର୍ବୃତ୍ତଦ୍ବୟ ଘଟଣାସ୍ଥଳରୁ ଅନାୟାସରେ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ଦୁଇ ମହିଳାଙ୍କଠାରୁ ପ୍ରାୟ ୧୦୦ ଗ୍ରାମ୍‌ରୁ ଅଧିକ ଓଜନର ହାର, ଚେନ୍‌, କାନଫୁଲ, ଚୁଡ଼ି ଆଦି ଗହଣା ଲୁଟି ନେଇଥିଲେ। ଶ୍ରୀ ସାମନ୍ତରାୟଙ୍କ କହିବା ଅନୁସାରେ, କାର୍‌କୁ ଦୁଇଜଣ ଅଟକାଇଥିଲେ ଓ ଲୁଟ୍‌ପାଟ୍‌ ଦୁଇଜଣ ହିଁ କରିଥିଲେ। କିନ୍ତୁ କିଛି ଦୂରରେ ଆଉ ଏକ ବାଇକ୍‌ ଅଟକିଥିଲା ଓ ସେଥିରେ ଅନ୍ୟ ଦୁଇଜଣ ଯୁବକ ଥିଲେ। ତେଣୁ ଏହି ଗ୍ୟାଙ୍ଗ୍‌ରେ ଚାରିଜଣ ସାମିଲ୍ ଥିବା ସେ ସନ୍ଦେହ କରୁଛନ୍ତି। ଖଣ୍ଡଗିରି ଥାନା ପୁଲିସ ସୂଚନାନୁସାରେ, ଏହି ମାମଲାକୁ ଗୁରୁତ୍ବର ସହ ନିଆଯାଇଛି ଓ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି। ଖଣ୍ଡଗିରି ଥାନା ପୁଲିସକୁ ସ୍ପେସାଲ ସ୍କ୍ବାଡ୍‌ ତଦନ୍ତରେ ସହଯୋଗ କରୁଥିବା ସୂଚନା ମିଳିଛି। ତେଣୁ ଖୁବ୍‌ ଶୀଘ୍ର ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରାଯିବ ବୋଲି ପୁଲିସ ଆଶାବାଦୀ ଥିବା କହିଛି।

ସମ୍ବନ୍ଧିତ ଖବର