ବିଶ୍ବାସରେ ବିଷ! ଅନ୍ନଦାତାଙ୍କ ଘରେ କଳାକନା ବୁଲାଇଲା

ଖଣ୍ଡଗିରି: ଯିଏ କର୍ମ ନିଯୁକ୍ତି ଦେଇ ଅନ୍ନଦାତା ପାଲଟିଥିଲା, ଶେଷରେ ତାଙ୍କ ଘରେ କଳାକନା ବୁଲାଇଲା ଦୁର୍ବୃତ୍ତ। ବିଶ୍ବାସରେ ବିଷ ଦେଇ ମାଲିକଙ୍କ ଘରୁ ଚୋରି କରିଥିବା ଏହି ଦୁର୍ବୃତ୍ତ ଜଣଙ୍କ ହେଉଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଖଣ୍ଡିସି ଗାଁର ଅଶୋକ କୁମାର ଜେନା(୨୧)। ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ୍‌ ତାକୁ ଗିରଫ କରିବା ସହ ତା’ଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ତା’କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ, ରୋଜଗାର ଅନ୍ବେଷଣରେ ଆସିଥିବା ଅଶୋକ ମାସେ ତଳେ ରୁଚିକା ମାର୍କେଟ୍‌ରେ ଶଶିକାନ୍ତ ଦାସଙ୍କ ସ୍ନାକ୍ସ ଦୋକାନରେ ଚାକିରି କରିଥିଲା। ଖୁବ୍‌ କମ୍‌ ଦିନରେ ସେ ମାଲିକଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା। ‌ତେଣୁ ଶଶିକାନ୍ତ ତା’କୁ ଦୋକାନର ସମସ୍ତ ଦାୟିତ୍ବ ଦେଇଥିଲେ ଓ ଖାଇବାକୁ ଦେଇ ନିଜ ଘରେ ରଖିଥିଲେ। ଗତ ୨୦ ତାରିଖ ସକାଳେ ଶଶିକାନ୍ତ ସପରିବାର ବାହାରକୁ ଯାଇଥିବା ମଉକାରେ ଅଶୋକ ଆଲ୍‌ମିରା ଭାଙ୍ଗି ହଳେ ସୁନା ଚୁଡ଼ି, ହଳେ ଶଙ୍ଖା, ହଳେ କାନଫୁଲ ଓ ନାକଫୁଲ, ୩ ହଜାର ଟଙ୍କା ଓ ୨ଟି ଏଟିଏମ୍‌ କାର୍ଡ ଲୁଟ୍‌ କରିଥିଲା। ସେହି ସମୟରେ ସେ ଦୋକାନରେ ଥିବାରୁ ତା’ ଉପରେ କାହାର ସନ୍ଦେହ ହୋଇନଥିଲା। ମାତ୍ର ପୁଲିସ ତଦନ୍ତରୁ ଅଶୋକର କାରନାମା ଧରା ପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର