ମାତିଛନ୍ତି ଲୁଟେରା: ତାଲା ଭାଙ୍ଗି ୩ ସୋରୁମ୍‌ରୁ ଡକାୟତି

ଖଣ୍ଡଗିରି: ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ବଜାରରେ ଲୁଟେରାମାନେ ତିନିଟି ସୋରୁମ୍‌ର ତାଲା କାଟି ଡକାୟତି କରିଛନ୍ତି। ଟାୟାର୍ ସୋରୁମ୍‌ରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଟାୟାର୍ ଲୁଟିବା ସହ ପ୍ଲାଇ ସୋରୁମ୍‌ ଓ ସାଇକେଲ ସୋରୁମ୍‌ର କ୍ୟାସ୍‌ ବାକ୍ସରୁ ନଗଦ ଟଙ୍କା ଲୁଟି ନେଇଛନ୍ତି। ଥାନାଠାରୁ ପ୍ରାୟ ୫ ଶହ ମିଟର ଦୂରରେ, ପୁଣି ରାଜପଥ ଉପରେ ପିସିଆର୍ ଭ୍ୟାନ୍‌ର ନିୟମିତ ଆତଯାତ ରାସ୍ତାରେ ଲୁଟେରାମାନେ ଏଭଳି କାଣ୍ଡ କରିବାକୁ ସାହସ କରିଛନ୍ତି। ଖଣ୍ଡଗିରି ପେଟ୍ରୋଲ ପମ୍ପ(ଜାଗମରା ପାର୍ଶ୍ବ) ନିକଟ ବଜାରରେ ରହିଛି ବ୍ରିଜ୍‌ଷ୍ଟୋନ୍ ଟାୟାର୍ ସୋରୁମ୍‌, ଇନ୍‌ ସିଟି ସାଇକେଲ ସୋରୁମ୍‌ ଓ ଏକ ପ୍ଲାଇ ସୋରୁମ୍‌। ଆଜି ସକାଳୁ ଏହି ସବୁ ସୋରୁମ୍‌ରୁ ଚୋରି ହୋଇଥିବା ନେଇ ଜଣାପଡ଼ିଥିଲା। ସୋରୁମ୍‌ମାନଙ୍କର ସିସିଟିଭି ସହ ମା‌ଲିକମାନଙ୍କ ମୋବାଇଲ୍ ଫୋନ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯିବାରୁ ସେମାନେ ସନ୍ଦେହ କରି ବଜାରକୁ ଆସିଥିଲେ। ପରେ ଜଣାଗଲା ଯେ ୩ଟିଯାକ ସୋରୁମ୍‌ର ତାଲା କଟାଯାଇଛି ଓ ଟାୟାର୍ ‌ସୋରୁମ୍‌ ପଛ ଗ୍ରିଲ୍‌କୁ ତଡ଼ା ଯାଇଛି। ଟାୟାର୍ ସୋରୁମ୍‌ ମାଲିକ ମୁଜାହିଦ୍‌ ବକ୍‌ସଙ୍କ କହିବା କଥା ଦୁର୍ବୃତ୍ତମାନେ ୨୨ଟି କାର୍ ଟାୟାର୍(୮୮ ହଜାର ଟଙ୍କା ମୂଲ୍ୟର) ଓ କ୍ୟାସ୍‌ ବାକ୍ସ ଭାଙ୍ଗି ନଗଦ ୫୬ ହଜାର ଟଙ୍କା ନେଇଛନ୍ତି। ଏଥିସହିତ ସିସିଟିଭି ହାର୍ଡ ଡିସ୍କ, ଡିଭିଡି, ପାୱାର ବ୍ୟାଙ୍କ୍‌ ଆଦି ଲୁଟ୍‌ କରିଛନ୍ତି। ସେହିଭଳି ୟାକୁବ୍‌ ଖାଁଙ୍କ ସାଇକେଲ ସୋରୁମ୍‌ରୁ ଲୁଟେରାମାନେ କ୍ୟାସ୍ ବାକ୍ସ ଭାଙ୍ଗି ନଗଦ ୧୮ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସେକ୍ ଖାଲିଦଙ୍କ ପ୍ଲାଇ ସୋରୁମ୍‌ରୁ ମଧ୍ୟ ଅନୁରୂପଭାବେ କ୍ୟାସ୍‌ ବାକ୍ସ ଭାଙ୍ଗି ନଗଦ ୩୯ ହଜାର ଟଙ୍କା ଲୁଟ୍‌ ହୋଇଛି। ମୁଜାହିଦ୍ ବକ୍‌ସଙ୍କ କହିବା କଥା ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ସେ ସିସିଟିଭି ସହ ସଂଯୁକ୍ତ ନିଜ ମୋବାଇଲ୍ ଫୋନ୍‌ରେ ସୋରୁମ୍‌ର ହାଲଚାଲ୍ ଦେଖୁଥିଲେ। ସବୁକିଛି ଠିକ୍‌ଠାକ୍ ଥିଲା। ମାତ୍ର ଭୋର୍ ସାଢ଼େ ୪ଟାବେଳେ ମୋବାଇଲ୍‌ରେ ସୋରୁମ୍‌ର ଚିତ୍ର ଆସିଲା ନାହିଁ। ତେଣୁ ସନ୍ଦେହ କରି ସେ ଅନ୍ୟମାନଙ୍କୁ ଫୋନ୍‌ ଯୋଗେ ଜଣାଇଲେ ଓ ବଜାରକୁ ଆସିବା ପରେ ଲୁଟ୍‌ ବାବଦରେ ଜଣାପଡ଼ିଥିଲା। ବକ୍‌ସଙ୍କ ସୂଚନାନୁସାରେ ଗତକାଲି ଜଣେ ବ୍ୟକ୍ତି ଟାୟାର୍ କିଣିବାକୁ ଆସିଥିଲେ ଓ ମୂଲଚାଲ କରିଥିଲେ। ସେ ସିସିଟିଭିରୁ ବର୍ତ୍ତିବା ପାଇଁ ବାରମ୍ବାର ରୁମାଲ୍‌ରେ ମୁହଁକୁ ପୋଛିବା ବାହାନାରେ ଘୋଡ଼ାଉଥିଲେ। ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫୁଟେଜ୍‌ ଖଣ୍ଡଗିରି ଥାନା ପୁଲିସକୁ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବର ମାସର ଏକ ବିଳମ୍ବିତ ରାତିରେ ଏହି ବଜାରରୁ ଦୋକାନୀମାନେ ଜଣେ ନାବାଳକକୁ ଧରି ପୁଲିସ ଜିମା ଦେଇଥିଲେ। ନାବାଳକଟି ଲୋକଙ୍କ ହାବୁଡ଼ରେ ପଡ଼ିବାବେଳେ ରାଜପଥର ଅପରପାର୍ଶ୍ବରେ ଥିବା କିଛି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିଲେ। ଉକ୍ତ ନାବାଳକକୁ ଥାନାରେ ପଚରାଉଚରା କରାଯାଇଥିଲେ ବି ସେ କଥା କହିପାରୁନଥିବାରୁ ପୁଲିସ ତାକୁ ଛାଡ଼ି ଦେଇଥିଲା। ଉକ୍ତ ଗ୍ୟାଙ୍ଗ ନାବାଳକର ଜିଭ କାଟି ଖନା କରିଦେଇଥିବା ସେତେବେଳେ ଚର୍ଚ୍ଚା ଜୋର୍ ଧରିଥିଲା। ପରେ ଚାଇଲ୍ଡ ଲାଇନ୍‌ରୁ ପିଲାଟି କୁଆଡ଼େ ଗଲା, ତା’ର ଖୋଜଖବର ନଥିଲା। ତେଣୁ ସେହି ଗ୍ୟାଙ୍ଗ ହୁଏତ ଏଭଳି କାଣ୍ଡ କରିଥିବ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର