ମାତିଛନ୍ତି ରାଜପଥ ଲୁଟେରା : ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ

ଦୁଇ ଗିରଫ, ବାଇକ୍‌ ଓ ମୋବାଇଲ ସହ ନଗଦ ଟଙ୍କା ଜବତ

ଭୁବନେଶ୍ଵର : ମାତିଛନ୍ତି ରାଜପଥ ଲୁଟେରା। ଏକୁଟିଆ ଦେଖି ଲୁଟୁଛନ୍ତି। ମାଡ଼ ମାରୁଛନ୍ତି, ଆବଶ୍ୟକ ପଡ଼ିଲେ ମାରଣାସ୍ତ୍ର ବ୍ୟବହାର କରୁଛନ୍ତି। ଗତ ବିଳମ୍ବିତ ରାତିରେ ଏଭଳି ଏକ କାଣ୍ଡ ଘଟାଇ କଟକ ଆଡ଼କୁ ଦ୍ରୁତ ଗତିରେ ଫେରାର୍‌ ହୋଇଯାଉଥିବା ବେଳେ ହଂସପାଳ ନିକଟରୁ ଜଣେ ଲୁଟେରାକୁ କାବୁ କରିଛି ମଞ୍ଚେଶ୍ବର ଥାନା ପୁଲିସ। ତା’ଠାରୁ ସୂଚନା ପାଇ ପରେ ଅନ୍ୟଜଣଙ୍କୁ ସହିଦନଗରରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ବାଇକ୍‌, ମୋବାଇଲ ଓ ଲୁଟି ନେଇ ପଳାଉଥିବା ୫ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଲୁଟେରାଦ୍ବୟ ହେଲେ, ସତ୍ୟନଗର ସତ୍ୟକାଳୀ ବସ୍ତିରେ ରହୁଥିବା କଟକ କିସନ ନଗର ବାବୁଜଙ୍ଗ ଗ୍ରାମର ହବିବୁର ରହେମନ୍‌ ଓ ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ସର୍ବେଶ୍ବର ନାୟକ। ଅନ୍ୟତମ ଅଭିଯୁକ୍ତ ଦେବାଶିଷ ପ୍ରଧାନ ଫେରାର୍ ରହିଛି। ଖୁବ୍‌ଶୀଘ୍ର ତାକୁ ଧରାଯିବ ବୋଲି ମଞ୍ଚେଶ୍ୱର ଥାନା ପୁଲିସ କହିଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଗତ ରାତି ପ୍ରାୟ ୧ଟାରେ ସାଙ୍ଗ ଅଭିଷ‌େକ ପତିଙ୍କୁ ରେଳ ଷ୍ଟେସନରେ ଛାଡ଼ି ସୌମ୍ୟରଞ୍ଜନ ଦାସ ଚକେଇସିଆଣିସ୍ଥିତ ଭଡ଼ା ଘରକୁ ଫେରୁଥିଲେ। ତିନିଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ପଳାଶୁଣୀ ଛକରେ ତାଙ୍କ ପଥ ଅବରୋଧ କରିଥିଲେ। ସୌମ୍ୟରଞ୍ଜନ ଗାଡ଼ି ଅଟକାଇ ଦେବାରୁ ସେମାନେ ତାଙ୍କୁ ମାଡ଼ ମାରି ମୋବାଇଲ ଓ ପର୍ସ ଛଡ଼ାଇ ନେଇ କଟକ ଅଭିମୁଖେ ଫେରାର୍‌ ହୋଇଯାଇଥିଲେ। ସେତିକିବେଳେ ସେଠାରେ ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ୍‌କୁ ଦେଖି ସୌମ୍ୟରଂଜନ ଖବର ଦେଇଥିଲେ। ପିସିଆର୍‌ ଦୁର୍ବୃତ୍ତମାନଙ୍କୁ ପିଛା କରି ହଂସପାଳ ପୋଲ ପୂର୍ବରୁ ସେମାନଙ୍କୁ ଅଟକାଇଥିଲା। କିନ୍ତୁ ପୁଲିସକୁ ଚକ୍‌ମା ଦେଇ ଖସି ଯିବାକୁ ଚେଷ୍ଟା କଲା ବେଳେ ବାଇକ୍‌ ପଛରେ ବସିଥିବା ହବିବୁରକୁ ଜଣେ ପୁଲିସ କର୍ମଚାରୀ ମାଡ଼ି ବସିଥିଲେ। ହବିବୁର୍‌ର ବୟାନ ଆଧାରରେ ପୁଲିସ ସର୍ବେଶ୍ବର ଓ ଅନ୍ୟ ଅଭିଯୁକ୍ତ ଦେବାଶିଷ ସମ୍ବନ୍ଧରେ ସୂଚନା ପାଇଥିଲେ। ଭୋର୍‌ ପ୍ରାୟ ସାଢ଼େ ୩ଟା ବେଳେ ପୁଲିସ ଉଭୟଙ୍କ ଘରେ ଚଢ଼ଉ କରିଥିଲା। ସର୍ବେଶ୍ବର ଧରାପଡ଼ିଥିବା ବେଳେ ଦେବାଶିଷ କିନ୍ତୁ ଘରକୁ ଫେରିନଥିଲା।

ପ୍ରତି ରାତିରେ ଜାତୀୟ ରାଜପଥରେ ସେମାନେ ଯାତ୍ରୀଙ୍କୁ ଏଭଳି ଲୁଟପାଟ୍‌ କରୁଥିବା ପଚରାଉଚରା ବେଳେ ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ତେବ‌େ ଏମାନଙ୍କ ଗ୍ୟାଙ୍ଗ୍‌‌ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେ ନେଇ ପୁଲିସ ତଦନ୍ତ ଚଳାଇଛି ବୋଲି ମଞ୍ଚେଶ୍ବର ଥାନା ଭାରପ୍ରାପ୍ତ ଆଇଆଇସି ଯତୀନ୍ଦ୍ର ନାଥ ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର