ନିଶା ଦେଇ ୨ଜଣଙ୍କୁ ଲୁଟିଲେ

ଖଣ୍ଡଗିରି: ରାଜଧାନୀ ରାଜରାସ୍ତାରୁ ଆଜି ପୁଣି କମିସନରେଟ୍‌ ପୁଲିସ ନିଶାଦିଆ ଲୁଟେରାଙ୍କ ଶିକାର ପାଲଟିଥିବା ୨ ଜଣ ଯୁବକଙ୍କୁ ଉଦ୍ଧାର କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ରାଜକନିକା ଦଶଭୋଗରିଆର ରମେଶ ରାଉତଙ୍କ ପୁଅ ରତ୍ନକାର (୨୪) ଓ ମୟୂରଭଂଜ ତିରିଙ୍ଗି ଥାନା ଜିରାଇ ଗାଁର ଦୀପକ କାଳୁନ୍ଦିଆ(୨୫)। ଲୁଟେରାମାନେ ସେମାନଙ୍କୁ ନିଶା ମିଶ୍ରିତ ଥଣ୍ଡା ପାନୀୟ କିମ୍ବା ଚା’ ଦେଇ ସଂଜ୍ଞା‌ହୀନ କରିବା ପରେ ଟଙ୍କା ମୋବାଇଲ୍‌ ଫୋନ୍‌ ଓ ସମସ୍ତ ଜିନିଷପତ୍ର ଲୁଟି ନେଇ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ। ସୂଚନାନୁସାରେ ରତ୍ନାକର ଆଜି ଭୋର୍ ସମୟରେ କୋଣାର୍କ ଏକ୍ସପ୍ରେସ୍‌ରୁ ଓହ୍ଲାଇ ଥିଲେ। ବାଣୀବିହାରରୁ କେନ୍ଦ୍ରାପଡ଼ା ବସ୍‌ ଧରିବା ପାଇଁ ସେ ଭୁବନେଶ୍ବର ରେଳଷ୍ଟେସନ୍‌ ନିକଟରୁ ଏକ ଅଟୋ ଭଡ଼ା କରିଥିଲେ। ବାଟରେ ତାଙ୍କୁ ଅଟୋ ଚାଳକ ଚା’ ପିଇବାକୁ ଯାଚିଥିଲା। ଏହା ପରେ ସେ ଆଉ କିଛି ଜାଣି ପାରି ନଥିଲେ। ଆଜି ସକାଳେ ତାଙ୍କୁ ପାହାଳ ନିକଟ ଏକ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା କଡ଼ରେ ପଡ଼ିଥିବା ଦେଖିବା ପରେ ସ୍ଥାନୀୟ ଫାଣ୍ଡି ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ମଞ୍ଚେଶ୍ବର ଅଞ୍ଚଳରୁ ଉଦ୍ଧାର ହୋଇଥିବା ଦୀପକଙ୍କ ସଂଜ୍ଞା ଫେରି ନଥିବାରୁ ତାଙ୍କ ବିଷୟରେ ବି‌ଶେଷ ତଥ୍ୟ ମିଳିପାରିନାହିଁ। ସ୍ବେଚ୍ଛାସେବୀ ସଂଗଠନ ‘ସହାୟ’ ଓ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର କର୍ମଚାରୀମାନେ ତାଙ୍କ ଚିକିତ୍ସା ଦାୟିତ୍ବ ତୁଲାଉଥିବାବେଳେ ତାଙ୍କ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରାଯାଇଛି।

ସମ୍ବନ୍ଧିତ ଖବର