କ୍ରାଇମ୍‌ବ୍ରାଞ୍ଚ ନିର୍ଦେଶକୁ ବେଖାତିର: ଥାନାରେ ଲାଗୁନି ଲୁଟେରାଙ୍କ ଫଟୋ

0 97

ଭୁବନେଶ୍ୱର: ଅନୁଗୁଳ ଓ ନୟାଗଡ଼ରେ ବ୍ୟାଙ୍କ ଡକାୟତି ପୁଲିସ ବିଭାଗରେ ଚାଞ୍ଚଲ୍ୟ ଖେଳାଇଥିଲା। ଏହା ପରେ ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି ଓ କମିସନରେଟ ପୁଲିସକୁ ଚିଠି ହୋଇଥିଲା କି, ଡକାୟତ, ଲୁଟେରା ଓ ସିନ୍ଧିଚୋରଙ୍କ ଫଟୋ ଥାନା ଏବଂ ବ୍ୟାଙ୍କ କାନ୍ଥରେ ଲଗାଇବାକୁ। କ୍ରାଇମ୍‌ବ୍ରାଞ୍ଚର ଏଭଳି ନିର୍ଦେଶକୁ ମାସେ ବିତିଗଲାଣି। କିନ୍ତୁ କୌଣସି ଥାନା ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚର ଏଭଳି ନିର୍ଦେଶକୁ ପାଳନ କରାଯାଉନାହିଁ। ଫଳରେ ଏନେଇ ସାଧାରଣ ଲୋକ ସଚେତନ ହେଉଛନ୍ତି ନା ବ୍ୟାଙ୍କ କର୍ତୃପକ୍ଷ। ପୂର୍ବରୁ ଥାନାଗୁଡ଼ିକରେ ଲାଗୁଥିଲା, ରଗ୍‌ ଗ୍ୟାଲେରି। ଏହା ଥାନାର ପ୍ରବେଶପଥରେ ଲାଗିଥାଏ। ଏଥିରେ ଅପରାଧୀମାନଙ୍କର ବିଶେଷ କରି ଲୁଟେରା, ଚୋର, ଡକାୟତମାନଙ୍କ ନଗଦ ଫଟୋ ଥାଏ। ଏହି ରଗ୍‌ ଗ୍ୟାଲେରିରୁ ଅପରାଧୀମାନଙ୍କୁ ଚିହ୍ନଟ କରାଯାଇଥାଏ। କିନ୍ତୁ ବିଗତ କିଛି ବର୍ଷ ହେବ ଆଉ ଥାନାରେ ରଗ୍‌ ଗ୍ୟାଲେରି ଆଉ ଅପରାଧୀଙ୍କ ଫଟୋ େଦେଖିବାକୁ ମିଳୁନାହିଁ। ଯଦି ମିଳୁଛି, କେବଳ ନିଖୋଜ ଥିବା ବ୍ୟକ୍ତି ବିଶେଷଙ୍କର ଫଟୋ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଥାନା ଅଧୀନରେ ଥିବା ଅପରାଧୀମାନଙ୍କ ଫଟୋ ଥାନାର ରଗ୍‌ ଗ୍ୟାଲେରିରେ ଲାଗିବାର ନିୟମ ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକେ ଥାନାକୁ ଆସିଲେ ସେମାନଙ୍କ ଅଞ୍ଚଳରେ ଥିବା ଅପରାଧୀମାନଙ୍କୁ ଚିହ୍ନଟ କରିପାରିବେ। ସେମାନେ କେଉଁଠି ସନ୍ଦେହ ଜନକ ଅବସ୍ଥାରେ ବୁଲାବୁଲି କରୁଥିଲେ ପୁଲିସକୁ ଖବର ମଧ୍ୟ ଦେଇ ପାରିବେ। କିନ୍ତୁ କମିସନରେଟ୍‌ ପୁଲିସ ରଗ୍‌ ଗ୍ୟାଲେରି ବୋଲି କ’ଣ ସଂପୂର୍ଣ ଭୁଲି ଯାଇଛି। ରାଜ୍ୟର କୌଣସି ଥାନାରେ ରଗ୍‌ ଗ୍ୟାଲେରି ନାହିଁ। ଯଦି ବା କେଉଁ ଥାନାରେ ଅଛି ଅପରାଧୀମାନଙ୍କର କେଉଁ ମାନ୍ଧାତା ଅମଳର ଫଟୋ। ଅପରାଧୀମାନେ ମଧ୍ୟ ନିଜ ଫଟୋକୁ ଚିହ୍ନି ପାରିବେ ନାହିଁ। ରଗ୍‌ ଗ୍ୟାଲେରିରେ ଲାଗିଥିବା ଫଟୋକୁ କେବଳ ସ୍ଥାନୀୟ ଲୋକ ନୁହେଁ ବରଂ ପୁଲିସକୁ ମଧ୍ୟ ସହଯୋଗ କରିଥାଏ। ନୂଆ କରି ଥାନାରେ ଯୋଗ ଦେଇଥିବା ଅଫିସରମାନେ ମଧ୍ୟ ଅପରାଧୀଙ୍କୁ ତୁରନ୍ତ ଚିହ୍ନଟ କରିଥାନ୍ତି। କେବଳ ଥାନା କାହିଁକି ବ୍ୟାଙ୍କରେ କାନ୍ଥରେ ମଧ୍ୟ ବ୍ୟାଙ୍କ ଲୁଟେରାଙ୍କ ଫଟୋ ଲଗାଇବାକୁ କ୍ରାଇମ୍‌ବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିଲା। କୁହାଯାଇଥିଲା ବ୍ୟାଙ୍କ କର୍ତୃପକ୍ଷ ସ୍ଥାନୀୟ ଥାନାରୁ ଡକାୟତ, ଲୁଟେରା ଆଦିଙ୍କ ଫଟୋ ସଂଗ୍ରହ କରି କାନ୍ଥରେ ଲଗାଇବେ। କ୍ରାଇମ୍‌ବ୍ରାଞ୍ଚର ଏଭଳି ନିର୍ଦେଶକୁ ଏକ ମାସ ବିତି ଗଲାଣି। କିନ୍ତୁ କୌଣସି ଥାନା ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚର ଏଭଳି ନିର୍ଦେଶକୁ ପାଳନ କରାଯାଉନାହିଁ। କିନ୍ତୁ ଅନ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆମେ ଏବେ ଡିଜିଟାଲ୍‌ କ୍ୟାମେରାରେ ଫଟୋ ଉଠାଇ କମ୍ପ୍ୟୁଟର୍‌ରେ ରଖି ଦେଉଛୁ। ଯେଉଁ ଅପରାଧୀଙ୍କ ଫଟୋ ଚିହ୍ନଟ ହେବାର ଆବଶ୍ୟକ ହେଉଛି, ଆମେ କମ୍ପ୍ୟୁଟରରୁ ଦେଖୁଛୁ। କିନ୍ତୁ ଥାନାରେ ରଗ୍‌ ଗ୍ୟାଲେରି ଲାଗିବାର ନିୟମ ରହିଛି।

ଏଠାରେ ପ୍ରକାଶଥାଉକି, ଗତ ଏପ୍ରିଲ ୭ ତାରିଖରେ ଅନୁଗୁଳ ଆନ୍ଧ୍ରା ବ୍ୟାଙ୍କରୁ ୨୫ଲକ୍ଷ ଟଙ୍କା ଓ ସୁନାଗହଣା, ନୟାଗଡ଼ ରଣପୁର ଗ୍ରାମ୍ୟବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଆଦି ଡକାୟତି ହୋଇଥିଲା। ୫ରୁ ୬ଜଣ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ବ୍ୟାଙ୍କ ଭିତରେ ପଶି ଏଭଳି ଲୁଟପାଟ୍‌ କରିଥିଲେ। ଯାହାର ପର୍ଦାଫାସ କରିବା ରାଜ୍ୟ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.